କରୋନା ନିୟନ୍ତ୍ରଣ ପାଇଁ ଚଢ଼ଉ ଜୋର୍‌ଦାର୍‌ କର

ବ୍ରହ୍ମପୁର ସହରରେ ଦୈନିକ ୫୦ ଓ ଗ୍ରାମାଞ୍ଚଳରେ ୨୫ ଚଢ଼ଉ ଟାର୍ଗେଟ୍‌

ଡ୍ରାଏ ରନ୍‌ ସରିଲା, ଆଜି ଠାରୁ ବରିଷ୍ଠ ନାଗରିକ ନେବେ ଟିକା
ଗୋଟିଏ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ସମେତ ୨୮ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯିବ ଟିକା
ଜିଲ୍ଲାରେ ଆଜି କୋଭିଡ଼୍‌ ପଜିଟିଭ୍‌ ଶୂନ୍‌, ସୁସ୍ଥ ହୋଇଛନ୍ତି ଜଣେ

ବ୍ରହ୍ମପୁର/ଛତ୍ରପୁର : ଦେଶର ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟ‌ରେ କରୋନା ମହାମାରୀର ପ୍ରକୋପ ପୁଣି ବଢ଼ିବାରେ ଲାଗିଛି। ଏହାପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କରୋନା କାୟାରୁ ଗଞ୍ଜାମ ଜିଲ୍ଲା ସଂପୂର୍ଣ୍ଣ ମୁକୁଳି ନାହିଁ। ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟ ସମସ୍ତଙ୍କୁ ଘାରିଛି। କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟ ପାଇଁ ମଡେଲ୍ ପାଲଟିଥିବା ବେଳେ ଏବେ ପୁଣି ଯେଭଳି କରୋନା ଜିଲ୍ଲାରେ ନ ବ୍ୟାପେ, ସେଥିଲାଗି ଜିଲ୍ଳା ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି। ଜିଲ୍ଲାପାଳ ସମସ୍ତ ବିଡିଓ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ଚଢ଼ଉ ଜୋର୍‌ଦାର୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘରୁ ବାହାରିବା କ୍ଷଣି ଲୋକେ ଯେଭଳି ମାସ୍କ୍‌ ପରିଧାନ କରିବେ, ସମାଜିକ ଦୂରତା ଅବଲମ୍ବନ ଓ ନିୟମିତ ବ୍ୟବଧାନରେ ହାତ ଧୋଇବେ ସେଥିଲାଗି ଦୃଷ୍ଟି ଦେବାକୁ କୁହାଯାଉଛି। ଦୋକାନ ଗୁଡ଼ିକ ଯେଭଳି ପଞ୍ଚସୂତ୍ରୀ ନିୟମ ପାଳନ କରିବେ ସେଥିପ୍ରତି କଡ଼ା ନଜର ରଖିବାକୁ କୁହାଯାଉଛି। କୋଭିଡ଼୍‌ ନିୟମ ଉଲ୍ଲଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରତ୍ୟହ ଅନ୍ୟୁନ ୫୦ଟି, ବ୍ଲକ୍‌ ଓ ତହସିଲ ପକ୍ଷରୁ ପ୍ରତ୍ୟହ ୨୫ଟି ଲେଖାଏଁ ଏବଂ ପ୍ରତି ପୌର ସଂସ୍ଥା ପ୍ରତ୍ୟହ ୨୦ ଲେଖାଏଁ ଚଢଉ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଟାର୍ଗେଟ୍‌ ଦେଇଛନ୍ତି। ସେହିପରି ଜିଲ୍ଲାପାଳ ବ୍ରହ୍ମପୁର ଓ ଗଞ୍ଜାମ ଏସ୍‌ପିଙ୍କୁ ଚିଠି ଲେଖି ଚଢ଼ଉରେ ସହଯୋଗ କରିବା ଲାଗି ପରାମର୍ଶ ଦେଇଛନ୍ତି। ବ୍ଲକ, ତହସିଲ ଓ ପୌରସଂସ୍ଥା ପକ୍ଷରୁ ହେଉଥିବା ଚଢ଼ଉରେ ସ୍ଥାନୀୟ ପୁଲିସ ସହଯୋଗ କରିବା ଲାଗି ନିର୍ଦ୍ଦେଶ ରହିଛି।
BioWorld
ଅନ୍ୟପକ୍ଷରେ ‌କରୋନାର ପ୍ରତିଷେଧକ ଟିକା ଆସିବା ପରେ ଗଞ୍ଜାମ ଜିଲ୍ଲାରେ କୋଭିଡ଼୍‌ ଟିକାକରଣ ଜାରି ରହିଛି। ଜାନୁଆରି ୧୬ରେ ପ୍ରଥମେ ଜିଲ୍ଲା‌ର ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆ ଯାଇଥିଲା। ପରବର୍ତ୍ତୀ ସମୟରେ ଆଗଧାଡ଼ିର କୋଭିଡ଼୍‌ ଯୋଦ୍ଧାଙ୍କୁ ଟିକା ଦିଆ ଯାଇଥିଲା। ପ୍ରଥମ ଡୋଜ୍‌ ଟିକାଦାନ ଶେଷ ହେବା ପରେ ଏବେ ଦ୍ବିତୀୟ ଡୋଜ୍‌ ଟିକାକରଣ ଚାଲିଛି। ସମୁଦାୟ ଟାର୍ଗେଟର ୮୬ ପ୍ରତିଶତ ପ୍ରଥମ ଡୋଜ୍‌ ଟିକା ନେଇଥିଲେ। ଆସନ୍ତା କାଲି ଠାରୁ ଜିଲ୍ଲାରେ ୬୦ବର୍ଷରୁ ଉର୍ଦ୍ଧ୍ବ ଓ କୋ-ମର୍ବିଡିଟି(୪୫-୫୯) ଲୋକଙ୍କୁ କୋଭିଡ଼୍‌ ଟିକା ଦିଆଯିବ। ସମସ୍ତ ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସହରାଞ୍ଚଳ ଡାକ୍ତରଖାନାରେ ଏହି ଟିକା ଦିଆଯିବ। ଗୋଟିଏ ଘରୋଇ ଡାକ୍ତରଖାନା ସମେତ ସମୁଦାୟ ୨୮ଟି ସ୍ଥାନରେ ଟିକା ଦିଆଯିବ। ଆଜି ବ୍ରହ୍ମପୁର ବୈକୁଣ୍ଠନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଡ୍ରାଏ ରନ୍‌ ହୋଇଥିଲା। ଏହାକୁ ବ୍ରହ୍ମପୁର ମହାନଗର ନିଗମ କମିସନର ଡ.ଏସ୍‌.ବି.ବୋନ୍ଦାର ପରିଚାଳନା କରିଥିଲେ। ଏଥିରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନ୍‌.ଭି, ସିଡ଼ିଏମ୍‌ଓ ଡା.ଉମାଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଜିଲ୍ଲା ପ୍ରକଳ୍ପ ସଂ‌ଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ଗଞ୍ଜାମରୁ ଜଣେ ବି କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହିଁ। କିନ୍ତୁ ଆଜି ଜିଲ୍ଲାର ଜଣେ କୋଭିଡ଼୍‌ ସଂକ୍ରମିତ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ଆଜି ସୁଦ୍ଧା ୨୧ହଜାର ୮୯୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ହଜାର ୬୩୬ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାର ସୁସ୍ଥହାର ୯୮.୮ ପ୍ରତିଶତ ରହିଛି। ଜିଲ୍ଲାରେ ଏବେ ମାତ୍ର ୪ଟି ଆକ୍ଟିଭ୍‌ କେସ୍‌ ରହିଛି। ଆଜି ସୁଦ୍ଧା ୨୪୮ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଗତ ୨୪ଘଣ୍ଟା ମଧ୍ୟରେ ୭୯୩ ଜଣଙ୍କ କୋଭିଡ଼୍‌ ଟେଷ୍ଟ୍‌ କରା ଯାଇଥିବା ବେଳେ କେହି ପଜିଟିଭ୍‌ ବାହାରି ନାହାନ୍ତି। ଜିଲ୍ଳାରେ ଆଜି ସୁଦ୍ଧା ୭ଲକ୍ଷ ୭୫ହଜାର ୫୩୨ଜଣଙ୍କ କୋଭିଡ଼୍‌ ପରୀକ୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।
ସମ୍ବନ୍ଧିତ ଖବର