ବିଛାଖଣ୍ଡିରେ ଚଢ଼ଉ, ମେସିନ ଜବତ

ଯାଜପୁର/କବାଟବନ୍ଧ : ଧର୍ମଶାଳା ତହସିଲ ପକ୍ଷରୁ ଗୁରୁବାର ସଂଧ୍ୟାରେ ବିଛାଖଣ୍ତି ପାହାଡ଼ରେ ଅତର୍କିତ ଚଢ଼ଉ କରି ୫ଟି ପୋକଲିନ୍ ମେସିନ ଓ ଦୁଇଟି କଂପ୍ରେସର ଜବତ କରାଯାଇଛି। ଗାଡ଼ିଗୁଡ଼ିକର ଚାଳକ ଓ ଶ୍ରମିକଙ୍କୁ ଅଟକ ରଖାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ଗୁରୁବାର ସଂଧ୍ୟାରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ ଓ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତିଙ୍କ ସହିତ ଏକାଧିକ ଆରଆଇ ବିଛାଖଣ୍ତି ପାହାଡ଼ ଉପରେ ଅତର୍କିତ ଚଢ଼ଉ କରିଥିଲେ। ବେଆଇନ ଭାବେ ପଥର ଖନନ କରୁଥିବା ୫ ଟି ପୋକଲିନ୍ ମେସିନ୍ ଓ ଦୁଇଟି କଂପ୍ରେସରକୁ ରାଜସ୍ବ ବିଭାଗ ଜବତ କରିଛନ୍ତି। ଚୋରା ପଥର ଚାଲାଣରେ କାର୍ଯ୍ୟରତ ପୋକଲିନ୍ ମେସିନର ଚାଳକ ତଥା କିଛି ଶ୍ରମିକଙ୍କୁ ମଧ୍ୟ ରାଜସ୍ବ ବିଭାଗ ପକ୍ଷରୁ ଅଟକ ରଖି ପଚରାଉଚରା କରିଥିଲେ। ମେସିନ ଜବତ ପରେ ରାଜସ୍ବ ବିଭାଗ ଜେନାପୁର ପୁଲିସକୁ ଖବର କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି କାରବାର ମାଷ୍ଟରମାଇଣ୍ଡ ଜଣେ ସରପଞ୍ଚ। ଯାହାଙ୍କ ନେତୃତ୍ବରେ ଏହି କାରବାର ଚାଲିଛି। ନିଜର ଗୋଟିଏ ଗାଡ଼ି ଥିବା ବେଳେ ଅନ୍ୟ ଗୁଡ଼ିକ ଭଡାରେ ଆଣି ଏହି ଚୋରା କାରବାର କରି କୋଟିକୋଟି ଟଙ୍କା ମୁନାଫା କରୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଥାନାଧିକାରୀ ଉମାକାନ୍ତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଗାଡ଼ି ଜବତ ସହିତ ଅଟକ ଥିବା ଲୋକଙ୍କୁ ପଚରାଉଚରା ଜାରି ରହିଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର