ଯୋଡ଼ା : କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ସିଲଯୋଡ଼ା ଗ୍ରାମର କୁଦରସାହି ନିକଟ ଜଙ୍ଗଲରେ ଚୋରା ଡିପୋ ଉପରେ ପୁଲିସ ଚଢ଼ଉ କରିଛି। ଗୋଟିଏ ମାଙ୍ଗାନିଜ ବୋଝେଇ ହାଇୱା ଓ ଲୋଡର ମେସିନ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, କୁଦୁରସାହି ନିକଟ ଜଙ୍ଗଲରେ ବିଭିନ୍ନ ଅଞ୍ଚଳରୁ ଚୋରା ମାଙ୍ଗାନିଜ ଅଣାଯାଇ ଗଚ୍ଛିତ କରି ରଖାଯାଇଥିଲା। ଏଠାରୁ ବିଭିନ୍ନ ସ୍ଥାନକୁ ହାଇୱା ଯୋଗେ ଚାଲାଣ ହେଉଥିଲା। ଏହି ବେଆଇନ ମାଙ୍ଗାନିଜ ଡିପୋ ସମ୍ପର୍କରେ ଖବର ପାଇବା ପରେ ପୁଲିସ ଗତକାଲି ସନ୍ଧ୍ୟାରେ ଚଢ଼ଉ କରିଥିଲା। ଏହି ସମୟରେ ଏକ ଲୋଡର ମେସିନ ଯୋଗେ ଗୋଟିଏ ହାଇୱାରେ ମାଙ୍ଗାନିଜ ବୋଝେଇ କରାଯାଉଥିଲା। ପୁଲିସ ସେଗୁଡ଼ିକୁ ଜବତ କରିଛି।

ପୁଲିସକୁ ଦେଖି ସେଠାରେ ଥିବା ମାଫିଆମାନେ ଫେରାର ହୋଇଯାଇଛନ୍ତି। ପୁଲିସ ହାଇୱା ହେଲ୍‌ପର୍‌ ବିହାରର ଦିବାକର ଯାଦବ, ସିଲଯୋଡ଼ା ଗ୍ରାମର ରାଜୁ ଓରଫ କାମାଇ ସିଦୁ ଓ ଗୁରୁଡ଼ା ଗ୍ରାମର ମଣ୍ଟୁ ନାଏକକୁ ଗିରଫ କରିଛି। ଉକ୍ତ ଡିପୋରେ ଥିବା ପ୍ରାୟ ୧୧୬ ମେଟ୍ରିକ୍ ଟନ୍ ମାଙ୍ଗାନିଜକୁ ଜବତ କରାଯାଇଛି। ଏନେଇ ବାମେବାରି ଥାନାରେ କେସ୍‌ ନମ୍ବର ୮୨/୨୦୨୩ ଏମ୍‌ଏମ୍‌ଡିଆର୍ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବାମେବାରି ଭାରପ୍ରାପ୍ତ ଥାନା ଅଧିକାରୀ ସ୍ବରୂପ ନାୟକ କହିଛନ୍ତି।