ଆୟକର ବନାମ ଜିଏସ୍‌ଟି: ପଦ୍ମପୁରରେ ଚଢ଼ଉ ତାତି

ପଦ୍ମପୁର ବନ୍ଦ ଡାକରା ପ୍ରତ୍ୟାହୃତ

ବରଗଡ଼/ପଦ୍ମପୁର/ପାଇକମାଳ : ଉପନିର୍ବାଚନକୁ ନେଇ ପଦ୍ମପୁର ପଡ଼ୁଛି ଉଠୁଛି। ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି, ରାଜନୀତି ତାତି ସେତିକି ବଢ଼ିବାରେ ଲାଗିଛି। ବିଜେଡି ଓ ବିଜେପି ପରସ୍ପରକୁ ମାତ୍ ଦେବା ଲାଗି କଳ, କୌଶଳ ପ୍ରୟୋଗ କରୁଛନ୍ତି। ଠିକ୍ ଏମିତି ସମୟରେ ଆଜି କେନ୍ଦ୍ର ଏବଂ ରାଜ୍ୟର ଦୁଇ ପ୍ରମୁଖ ସଂସ୍ଥାର ଚଢ଼ଉ ଉପନିର୍ବାଚନ ରାଜନୀତିକୁ ନୂଆ ମୋଡ଼ ଦେଇଛି।

ସୋମବାର ଭୋରରେ ବିଜେଡି ସମର୍ଥକ ବୋଲି କୁହାଯାଉଥିବା ଚାରି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିଲେ। ସେମାନେ ହେଲେ, ପଦ୍ମପୁର ସହର ହନୁମାନପଡ଼ାର ମହମ୍ମଦ ସାଜିଦ, ତେଲିପଡ଼ାର ମାନଭଂଜନ ସାହୁ, ଶାସ୍ତ୍ରୀ ଛକର ଗଜାନନ ଅଗ୍ରୱାଲ ଓ ନେହେରୁଗଳିର ମହମ୍ମଦ ଜାବେଦ। ଅପରାହ୍ନରେ ବାଣିଜ୍ୟକର ଅଧିକାରୀମାନେ ବିଜେପି ସମର୍ଥିତ ବ୍ୟବସାୟୀଙ୍କ ଘର ଉପରେ ଜାଲ ବିଛାଇଛନ୍ତି। କେବଳ ସେତିକି ନୁହେଁ, ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇକମାଳ ସହର ସତ୍ୟସାଇନଗରରେ ବ୍ୟବସାୟୀ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ବାଣିଜ୍ୟକର ବିଭାଗ ଚଢ଼ଉ କରିଛି। ଶ୍ରୀ ଅଗ୍ରୱାଲଙ୍କ ପେଟ୍ରୋଲ ପମ୍ପ୍‌ ଏବଂ ଔଷଧ ଦୋକାନରେ ବି ଚଢ଼ଉ ହୋଇଛି। ସୋମବାର ସଂଧ୍ୟା ପାଖାପାଖି ସାଢ଼େ ୫ଟାରେ ଏହି ଚଢ଼ଉ ଆରମ୍ଭ ହୋଇଥିଲା। ସେହିଭଳି ପଦ୍ମପୁର ନିର୍ବାଚନମଣ୍ଡଳୀର ତିନିଟି ବ୍ଲକ୍‌, ବରଗଡ଼ ସହରରେ ବି ଜିଏସ୍‌ଟି ବିଭାଗ ଚଢ଼ଉ କରିଛି। ପଦ୍ମପୁରର ଉଦ୍ଦିପକ ଗ୍ୟାସ୍‌ ଏଜେନ୍ସି ଦୋକାନ ଏବଂ ମାଲିକ ରାଜେଶ ସାହୁ, ପଦ୍ମପୁର ଜଗଦମ୍ବା କପଡ଼ା ଦୋକାନ ମାଲିକ ସୁନୀଲ ଅଗ୍ରୱାଲଙ୍କ ଘରେ ଓ ଦୋକାନରେ, ବରଗଡ଼ ସହର ଅଶୋକ ମେଡିକାଲ୍‌ରେ ମଧ୍ୟ ଜିଏସ୍‌ଟି ବିଭାଗ ଚଢ଼ଉ କରିଥିବା ଜଣାପଡ଼ିଛି। ବିଜେପି ସମର୍ଥକଙ୍କ ସହ ସଂପୃକ୍ତ ୯ଟି ସ୍ଥାନରେ ଏହି ଚଢ଼ଉ ହୋଇଛି।

ଚଢ଼ଉକୁ ନେଇ ବିଜେଡି-ବିଜେପି ଛକାପଞ୍ଝା
୪ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ, ସମସ୍ତେ ବିଜେଡି ସମର୍ଥକ
ବିଜେପି ସମର୍ଥକଙ୍କ ଘରେ ପଶିଲା ବାଣିଜ୍ୟକର ବିଭାଗ, ବରଗଡ଼ରେ ବି ରେଡ୍‌

ସୋମବାର ଭୋର୍‌ ୪ଟା ସମୟରେ ଛତିଶଗଡ଼ରୁ ଆସିଥିବା ଆୟକର ଅଧିକାରୀମାନେ ପଦ୍ମପୁରରେ ପହଞ୍ଚିଥିଲେ। ବହୁସଂଖ୍ୟାରେ ସିଆର୍‌ପିଏଫ୍‌ ଯବାନ ସେମାନଙ୍କ ସାଙ୍ଗରେ ଥିଲେ। ଏତେ ସକାଳୁ ପ୍ରାୟ ଡଜନେରୁ ଅଧିକ ଗାଡ଼ିରେ ସଶସ୍ତ୍ର ସିଆର୍‌ପିଏଫ୍‌ ଯବାନ ଏବଂ ଆୟକର ଅଧିକାରୀଙ୍କୁ ଦେଖି ସ୍ଥାନୀୟ ଲୋକେ ତାଜୁବ ହୋଇ ଯାଇଥିଲେ। ଉପନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ହେଉଥିବାରୁ ସେମିତି କିଛି କାମରେ ଆସିଥିବା ନେଇ ପ୍ରଥମ ଆଲୋଚନା ହୋଇଥିଲା। ମାତ୍ର କିଛି କ୍ଷଣ ପରେ ଦେଖାଗଲା ଯେ ଆୟକର ଅଧିକାରୀମାନେ ଏକକାଳୀନ ଏହି ୪ ବ୍ୟବସାୟୀଙ୍କ ଘରେ ଚଢ଼ଉ ଆରମ୍ଭ କରିଥିଲେ। ପ୍ରାୟ ସକାଳ ୬ଟା ସମୟରେ ଚଢ଼ାଉ ଅଭିଯାନ ଆରମ୍ଭ ହୋଇଥିଲା। ଜାବେଦଙ୍କ ଘରେ ତାଲା ପଡ଼ିଥିବାରୁ ସେଠି କେବଳ ସିଆର୍‌ପିଏଫ୍‌ ଯବାନ ଜଗି ରହିଥିଲା ବେଳେ ଅନ୍ୟମାନଙ୍କ ଘରେ ଅଧିକାରୀମାନେ ପ୍ରବେଶ କରିଥିଲେ। ଏମାନଙ୍କ ମଧ୍ୟରୁ ମହମ୍ମଦ ସାଜିଦଙ୍କ ୨ଟି ରାଇସ୍‌ ମିଲ୍‌ ରହିଛି। ଗଜାନନଙ୍କ ଗୋଟିଏ ରାଇସ୍‌ ମିଲ୍‌ ରହିଛି। ଏହି ରାଇସ୍‌ ମିଲ୍‌ଗୁଡ଼ିକରେ ବି ଆୟକର ବିଭାଗ ଚଢ଼ଉ କରିଛି। ଚଢ଼ଉ‌ ହୋଇଥିବା ଘରଲୋକଙ୍କୁ ବାହାରକୁ ଛଡ଼ା ଯାଇନଥିଲା। କିମ୍ବା ସେମାନଙ୍କର କୌଣସି ସଂପର୍କୀୟଙ୍କୁ ବି ଭିତରକୁ ଯିବାପାଇଁ ଅନୁମତି ଦିଆଯାଇନଥିଲା। ସେମାନଙ୍କ ଘରର ଚତୁଃପାର୍ଶ୍ବରେ ସଶସ୍ତ୍ର ଯବାନ ମୁତୟନ ରହି ବାହାରର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଶହେରୁ ଅଧିକ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ୩୦ରୁ ଅଧିକ ବିଭାଗୀୟ ଅଧିକାରୀ ଏହି ଚଢ଼ଉରେ ସାମିଲ ଅଛନ୍ତି। ରାତି ୯ଟାରେ ଖବର ହସ୍ତଗତ ହେବାସୁଦ୍ଧା ଚଢ଼ଉ ଚାଲିଥିବା ବେଳେ ଏ ନେଇ ବିସ୍ତୃତ ସୂଚନା ମିଳିପାରିନାହିଁ। ଚଢ଼ଉରେ ସାମିଲ ଥିବା ଅଧିକାରୀମାନେ ଗଣମାଧ୍ୟମ ସମ୍ମୁଖରେ ପଦୁଟିଏ ବି ବୟାନ ରଖିନାହାନ୍ତି। ଯବାନଙ୍କ ସୁରକ୍ଷିତ ବଳୟରେ ରହି ସେମାନେ ଚଢ଼ଉ ଜାରି ରଖିଛନ୍ତି। ସେଥିପାଇଁ ଚଢ଼ଉ ବେଳେ କ’ଣ ଜବତ ହୋଇଛି, ତାହା କିଛି ବି ଜଣାପଡ଼ିନାହିଁ।

ତେବେ ଏହି ଘଟଣା ଆଜି ଚର୍ଚ୍ଚାର ବ‌ିଷୟ ପାଲଟିଛି। ସମସ୍ତ ବ୍ୟବସାୟୀ ହେଉଛନ୍ତି ବିଜେଡି ସମର୍ଥକ ସାଜିଦ୍‌ ସର୍ବଦା ଦିବଂଗତ ବିଧାୟକ ବିଜୟ ରଂଜନ ବରିହାଙ୍କ ଡାହାଣ ହାତ ଭଳି କାମ କରୁଥିଲେ। ତାଙ୍କ ପରିବାରର ଭଲମନ୍ଦ ବି ବୁଝୁଥିଲେ। ବିଗତ ନିର୍ବାଚନ ବେଳେ ବି ତାଙ୍କୁ ଦଳ ପାଇଁ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ଫଳରେ ଏକକାଳୀନ ଶାସକ ଦଳର ୪ଜଣ ନେତାଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିବା ଉପନିର୍ବାଚନର ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି। ଉଲ୍ଲେଖ‌ଯୋଗ୍ୟ ଯେ ଏ ସମ୍ପର୍କରେ ସ୍ଥାନୀୟ ପୁଲିସ ବି କୌଣସି ଟେର୍‌ ପାଇନଥିଲା।

ସେହିଭଳି ବାଣିଜ୍ୟକର ଚଢ଼ଉ କରିଥିବା ଶ୍ରୀ ଅଗ୍ରୱାଲ୍‌ ବିଜେପି ଦଳର ସମର୍ଥକ। ସେଠାରେ ମଧ୍ୟ ଚଢ଼ଉ ଜାରି ଥିବାରୁ ବିଭାଗୀୟ ଅଧିକାରୀମାନେ କିଛି ପ୍ରତିକ୍ରିୟା ରଖିନାହାନ୍ତି। ପାଇକମାଳ ପୁଲିସ୍‌ ଚଢ଼ଉ ସ୍ଥାନରେ ମୁତୟନ ରହିଛି।

ପଦ୍ମପୁର ବନ୍ଦ ଡାକରା ପ୍ରତ୍ୟାହୃତ

ବରଗଡ଼/ପଦ୍ମପୁର : ‌ବ୍ୟବସାୟିକ ପ୍ରତିଷ୍ଠାନ ଓ ଘର ଉପରେ ଆୟକର ଏବଂ ବାଣିଜ୍ୟକର ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉର ପ୍ରତିବାଦରେ ପଦ୍ମପୁର ବଣିକ ସଂଘ ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଥିଲ‌ା। ତେ‌େବ ଏସପିଙ୍କ ସହ ଆଲୋଚନା ପରେ ବନ୍ଦ ଡାକରାକୁ ସଂଘ ଆଜି ରାତିରେ ପ୍ରତ୍ୟାହାର କରିନେଇଥିବ‌ା ଘୋଷଣା କରିଛି।

ସମ୍ବନ୍ଧିତ ଖବର