ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବିଷମକଟକ ଥାନା ଅନ୍ତର୍ଗତ ଝିମିରିଗୁଡ଼ା ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାୟଗଡ଼ା-ବିଷମକଟକ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବିଷମକଟକ ଥାନା ଝିମିରିଗୁଡ଼ାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଗ୍ରାମର ବାମି କୃଷିକା (୩୦) ଅଟୋରୁ ଓହ୍ଲାଇ ଘରକୁ ଯାଉଥିବା ବେଳେ ରାୟଗଡ଼ାରୁ ମୁନିଗୁଡା ଅଭିମୁଖେ ଯାଉଥିବା ଟ୍ୟାଙ୍କର ଧକ୍କା ଦେଇଥିଲା। ମହିଳାଙ୍କୁ ବଞ୍ଚାଇବା ପାଇଁ ଟ୍ୟାଙ୍କର ଡ୍ରାଇଭର ଚେଷ୍ଟା କରି ବ୍ରେକ କଷିବା ଯୋଗୁ ଭାରସାମ୍ୟ ହରାଇ ଟ୍ୟାଙ୍କର ଓଲଟି ପଡିଛି। ଗୁରୁତର ଅବସ୍ଥାରେ ବାମିଙ୍କୁ ଚିକିତ୍ସା ପାଇଁ ବିଷମ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏଥିପାଇଁ କ୍ଷତିପୂରଣ ଦାବିରେ ଆଜି ସକାଳେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଲୋଚନା ପାଇଁ ଡାକିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭର ଫେରାର୍ ହୋଇ ଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।