ରାୟଗଡ଼ା: ପାହାଡ଼ିଆ ଇଲାକାରୁ ଉତ୍ପାଦନ ହେଉଛି ଶହ ଶହ କ୍ବିଣ୍ଟାଲ୍ ଆତ (ସୀତାଫଳ)। ବିକ୍ରି ପାଇଁ ବଜାର ସୁବିଧା ନଥିବାରୁ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ। ରାୟଗଡ଼ାରେ ଉଚିତ୍ ଦର ମିଳୁନଥିବା ବେଳେ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗରେ ଭଲ ଦରରେ ବିକ୍ରି ହେଉଛି। ବାହାର ରାଜ୍ୟ ବ୍ୟବସାୟୀ ଶାଗମାଛ ଦରରେ କିଣି ନେଇ ଉଚ୍ଚାଦରରେ ବିକ୍ରି କରି ଲାଭବାନ ‌ହେଉଛନ୍ତି। ଏପଟେ କ୍ଷତି ଦର୍ଶାଇ ଆତ ବଜାରୀକରଣରୁ ଦୂରେଇ ରହିଛି ଓରମାସ୍ ଓ ଧରିଣୀପେନୁ।

Advertisment

୨୦୨୦ ମସିହାରେ ଆତ ବଜାରୀକରଣ ପାଇଁ ଓରମାସ ଓ ଧରିଣୀପେନୁ ପଦକ୍ଷେପ ନେଇଥିଲା। ଆଦିବାସୀଙ୍କ ନିକଟରୁ କିଣା ଯାଇଥିବା ଆତ ଭୁବନେଶ୍ବର, କଟକ ସମେତ ରାୟପୁର, ଆନ୍ଧ୍ରପ୍ରଦେଶ ମାର୍କେଟକୁ ବିକ୍ରି ପାଇଁ ପଠାଯାଇଥିଲା। ହେଲେ, ପରିବହନ ସମସ୍ୟା ଏବଂ ଆତ ବଜାରରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯିବା କାରଣରୁ ଓରମାସକୁ ବ୍ୟବସାୟୀ ଆତର ମୂଲ୍ୟ ପ୍ରଦାନ କରିନଥିଲେ। ଓରମାସ୍ କ୍ଷତି ସହିଥିବା ବେଳେ ଆଦିବାସୀଙ୍କୁ କିନ୍ତୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିଥିଲା। କ୍ଷତି କାରଣରୁ ଓରମାସ ଏବଂ ଧରିଣୀପେନୁ ୨୦୨୧ ଏବଂ ୨୦୨୨ ମସିହାରେ ବଜାରୀକରଣ ଉପରେ ଦୃଷ୍ଟି ଦେଇନାହାନ୍ତି। ଧରିଣୀପେନୁ ସିଇଓ ନିକୁଞ୍ଜ ପ୍ରଧାନଙ୍କ କହିବାନୁଯାୟୀ, ରାୟଗଡ଼ାରୁ ଉତ୍ପାଦିତ ହେଉଥିବା ଆତ ସଠିକ୍ ସମୟରେ ତୋଳା ଯାଉନି।

ପରିପକ୍ବ ହେବା ପୂର୍ବରୁ ଆଦିବାସୀ ତୋଳି ନେଉଥିବାରୁ ସଂଗ୍ରହର ଦିନକ ପରେ କଳା ପଡ଼ିଯାଉଛି। ଯାହାକୁ ବାହାର ବ୍ୟବସାୟୀ ଗ୍ରହଣ କରୁନାହାନ୍ତି। ବଜାରୀକରଣ ପାଇଁ ଉନ୍ନତମାନର ଆତ ପହଞ୍ଚୁନଥିବାରୁ ଚଳିତ ବର୍ଷ ବିଭାଗ ଏହି ଦିଗରେ କୌଣସି ପଦକ୍ଷେପ ନେଇପାରିନି। ତେବେ, ଏସନ ବଜାରରେ ଭଲ ଦରରେ ଆଦିବାସୀ ବିକ୍ରି କରିଥିବା ଏବଂ ଶୋଷଣର ଶିକାର ହୋଇନଥିବା ଶ୍ରୀ ପ୍ରଧାନ କହିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏପରି କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ବଜାରରେ ଉଚିତ୍ ଦର ମିଳୁନଥିବାରୁ ପ୍ରତିଦିନ ଉତ୍ପାଦନକାରୀ ଆତ ବିକ୍ରି ପାଇଁ ଘଣ୍ଟାଘଣ୍ଟା ଧରି ବଜାରରେ ବସି ରହୁଛନ୍ତି। ଆଦିବାସୀ ମହିଳା ଝୁଡ଼ିରେ ଭର୍ତ୍ତି କରି ବିକ୍ରି ପାଇଁ ରାୟଗଡ଼ା ସହରର ଗଳିକନ୍ଦିରେ ବୁଲୁଛନ୍ତି। ଯେଉଁଦିନ ଭଲ ଗ୍ରାହକ ମିଳନ୍ତି, ଝୁଡ଼ି ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହୁଏ। ନଚେତ୍ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼େ ବୋଲି ଆଦିବାସୀ ମହିଳା ରାମି ମିଣିଆକା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଓ କୋଲନରା ବ୍ଲକ୍‌ରୁ ଉତ୍ପାଦିତ ହେଉଛି ଆତ। ସ୍ବତନ୍ତ୍ର ଭାବେ ଜିଲ୍ଲାରେ ଆତ ଚାଷ ହେଉନଥିଲେ ମଧ୍ୟ ଏହି ଦୁଇ ବ୍ଲକ୍‌ର ଜଙ୍ଗଲ ଅଞ୍ଚଳରେ ଥିବା ଗଛରୁ ବାର୍ଷିକ ଶହେ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଆତ ଉତ୍ପାଦନ ହୋଇଥାଏ।