ରେଳ ଅନୁଦାନ କମିଲା : ଗତବର୍ଷ ତୁଳନାରେ ୧୬୨୦ କୋଟି କମ୍

ଏବର୍ଷ ସରିବ ହରିଦାସପୁର-ପାରାଦୀପ
ଅନୁଗୁଳ-ସୁକିନ୍ଦା ପ୍ରକଳ୍ପକୁ ବି ଗୁରୁତ୍ବ
ସମ୍ବଲପୁର-ଗୋପାଳପୁର ନୂଆ ରେଳଲାଇନ
ସୁରକ୍ଷା ପାଇଁ ୧୧୬୫ କୋଟି

ଭୁବନେଶ୍ବର : ୨୦୧୯ରେ ସାଧାରଣ ନିର୍ବାଚନ ଥିଲା। ଏଣୁ ସ୍ବାଭାବିକ ଭାବେ କେନ୍ଦ୍ର ସରକାର ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶା ପ୍ରତି ଟିକିଏ ଉଦାରତା ପ୍ରଦର୍ଶନ କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରେ କିନ୍ତୁ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ୨୦୨୦-୨୧ ଆର୍ଥିକ ବର୍ଷର ରେଳ ବଜେଟରେ ଆବଣ୍ଟିତ ଅର୍ଥ ରାଶି ପାଖାପାଖି ୧୬୨୦ କୋଟି ଟଙ୍କା ହ୍ରାସ ପାଇଛି।

ପୂର୍ବତଟ ରେଳପଥ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି, ତାହା ସୂଚାଉଛି େଯ ୨୦୧୯-୨୦ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେ ୫୯୯୩ କୋଟି ଟଙ୍କା ମିଳିଥିବା ବେଳେ ୨୦୨୦-୨୧ ବର୍ଷରେ ଏହି ପରିମାଣ ୪୩୭୩ କୋଟି ଟଙ୍କା। ତେବେ ରେଳ ମନ୍ତ୍ରାଳୟ ସଫେଇ ଦେଇଛି ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ଏନଟିପିସିର ଝାରସୁଗୁଡ଼ା-ବରପାଲି କୋଇଲା କରିଡରରେ ମୋଟ ୧୪୦୦କୋଟି ଟଙ୍କା ସାମିଲ ଥିଲା। ଏହି କୋଇଲା କରିଡ଼ର ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇସାରିଥିବାରୁ ଉକ୍ତ ପ୍ରକଳ୍ପ ବଜେଟରେ ସାମିଲ କରାଯାଇ ନାହିଁ। ଏଣୁ ବାସ୍ତବରେ ୨୨୦ କୋଟି ଟଙ୍କା ପୂର୍ବବର୍ଷ ତୁଳନାରେ ଅନୁଦାନ ରାଶି କମିଛି।

୨୦୧୭-୧୮ରେ େକନ୍ଦ୍ର ସରକାର ଓଡ଼ିଶାର େରଳ ବିକାଶ ପାଇଁ ୫୧୦୨ େକାଟି ଟଙ୍କା ବ୍ୟୟବରାଦ କରିଥିଲେ। ଯେତେବେଳେ କି ୨୦୧୮-୧୯ରେ ରାଜ୍ୟ ପାଇଁ େରଳ ବଜେଟ୍ ବ୍ୟୟବରାଦ ଥିଲା ୫୨୫୨ େକାଟି। ୨୦୧୯-୨୦ ଅନ୍ତରୀଣ ବଜେଟରେ େକନ୍ଦ୍ର ରେଳମନ୍ତ୍ରୀ ପୀୟୂଷ େଗାୟଲ େଯଉଁ ଆକଳନ କରିଥିଲେ ସେଥିରେ ଏହା ୫ ହଜାର ୯୯୩ େକାଟିକୁ ଛୁଇଁଥିଲା, ଅର୍ଥାତ୍ ପୂର୍ବବର୍ଷ ତୁଳନାରେ ୧୪.୧୦% ଅର୍ଥ ବଢିଥିଲା।

ବଜେଟ୍‌ରେ ନୂଆ କହିଲେ, ୨୪୧କିମି ଦୀର୍ଘ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳଲାଇନ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି େରଳ ମନ୍ତ୍ରାଳୟ। ଏଥିପାଇଁ ଟୋକେନ୍ ଭାବେ ମାତ୍ର ୧ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଯଦିଓ ଏହି ପ୍ରକଳ୍ପ ଲାଗି ରେଳ ମନ୍ତ୍ରାଳୟ ୨୯୫୭କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଓ ନିତି ଆୟୋଗଙ୍କ ଚୂଡ଼ାନ୍ତ ଅନୁମୋଦନ ପରେ ଏଥିଲାଗି ଅର୍ଥ ବରାଦ କରାଯିବ। ସେହିଭଳି ନୂଆପଡା-ଗୁଣୁପୁର ରେଳପଥକୁ ଥେରୁବାଲି ଯାଏ ସଂପ୍ରସାରଣକୁ ନୀତିଗତ ଅନୁମୋଦନ ଦେଇଛି େରଳ ମନ୍ତ୍ରାଳୟ। ହେଲେ ଏଯାଏ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି କିମ୍ବା ନିତି ଆୟୋଗ ଅନୁମୋଦନ ଦେଇନାହାନ୍ତି। ତେବେ ବଜେଟରେ ସମ୍ବଲପୁରସ୍ଥିତ ମାନେଶ୍ୱରଠାରେ ନୂଆ ୱାଗନ ମରାମତି ୱାର୍କସପ୍ ସ୍ଥାପନ ପାଇଁ ୨୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି। ସେହିଭଳି ପୂର୍ବତଟ ରେଳପଥରେ ବିଦ୍ୟୁତୀକରଣ କାର୍ଯ୍ୟକୁ ଜୋରସୋରରେ କରାଯିବ, ଯେଉଁଥିପାଇଁ ୧୮୦ େକାଟି ଟଙ୍କା ବରାଦ ହୋଇଛି।

ରେଳ ବଜେଟ୍‌ରେ ଓଡ଼ିଶାକୁ ମିଳିଥିବା ଅନୁଦାନ ସୂଚାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ଖୋର୍ଧା-ବଲାଙ୍ଗୀର ରେଳପଥକୁ ଗୁରୁତ୍ବ ମିଳିଛି ଓ ଏଥର ୫୨୦ କୋଟି ଟଙ୍କା ଅର୍ଥାତ୍ ସର୍ବାଧିକ ରାଶି ଏହି ପ୍ରକଳ୍ପ ପାଇଁ ବ୍ୟୟ ବରାଦ ହୋଇଛି। ରେଳ ମନ୍ତ୍ରାଳୟ ଦର୍ଶାଇଛି ଯେ ହରିଦାସପୁର-ପାରାଦୀପ ରେଳପଥ ମାର୍ଚ୍ଚ େଶଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଣୁ ଚୂଡାନ୍ତ ଦେୟ ପୈଠ କରିବା ପାଇଁ ମାତ୍ର ୧୦୦ କୋଟି ଟଙ୍କା ଦିଆଯାଇଛି। ଏହାବ୍ୟତୀତ ଅଧିକ ଅର୍ଥର କିଛି ଆବଶ୍ୟକ ନାହିଁ।

ଓଡ଼ିଶାରେ ଯେଉଁ ସବୁ ଦୋହରା ରେଳପଥ ନିର୍ମାଣ ଚାଲିଛି, ସେ କ୍ଷେତ୍ରରେ ଜମି ଅଧିଗ୍ରହଣ ଆବଶ୍ୟକ ହେଉନାହିଁ। ଏଣୁ ଏହାର ଅଗ୍ରଗତି ଉଲ୍ଲେଖନୀୟ ଢଙ୍ଗରେ ଚାଲିଛି। ଏହି କ୍ଷେତ୍ରକୁ ବଜେଟ୍‌ରେ ଅଧିକ ଅର୍ଥ ମିଳିଛି।

ବଜେଟ୍‌ରେ ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ପାଇଁ ୪୫୦ େକାଟି ଟଙ୍କା ବରାଦ ହୋଇଛି। ୨୦୧୯-୨୦ରେ ୨୫୦ କୋଟି ଟଙ୍କା ଦିଆଯାଇଥିଲା। ଖୋର୍ଧା-ବଲାଙ୍ଗୀର ଭଳି ଏହି ପ୍ରକଳ୍ପକୁ ବି ପ୍ରଧାନମନ୍ତ୍ରୀ ନଜରରେ ରଖିଛନ୍ତି। ଏହାବ୍ୟତୀତ ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ, ଟିଟିଲାଗଡ-ରାୟଗଡା ଓ ଟିଟିଲାଗଡ-ରାୟପୁରକୁ ଅଧିକ ଅର୍ଥ ବରାଦ ହୋଇଛି।

ଖୋର୍ଧା ରୋଡ୍-ବଲାଙ୍ଗୀର ଓ ଲାଞ୍ଜିଗଡ ରୋଡ୍-ଜୁନାଗଡ ରୋଡ୍ ରେଳପଥ କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ବଜେଟ୍‌ରେ ଏହି ଦୁଇ ପ୍ରକଳ୍ପ ପାଇଁ ବିଦ୍ୟୁତୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ।

ଆହୁରି ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସୁରକ୍ଷା ଓ ଲେବଲ କ୍ରସିଂ ବ୍ୟବସ୍ଥାର ଉଚ୍ଛେଦ ଏବଂ ଓଭରବ୍ରିଜ୍ ନିର୍ମାଣ ଲାଗି କେନ୍ଦ୍ର ସରକାର ବଜେଟ୍‌ରେ ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି। ସେହିଭଳି ଏକାଧିକ ରୋଡ୍ ଅଣ୍ଡର ବ୍ରିଜ୍ ନିର୍ମାଣ କରାଯିବ। ଏସବୁପାଇଁ ୧୧୬୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସମ୍ବନ୍ଧିତ ଖବର