ରେଳ ବଜେଟ୍‌ରେ ଓଡ଼ିଶା ଲାଗି ବ୍ୟୟ ବରାଦ ହ୍ରାସ ଚିନ୍ତାର ବିଷୟ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ତରଫରୁ ଗତ ୧ ତାରିଖରେ ଆଗତ କରାଯାଇଥିବା ରେଳ ବଜେଟ୍‌ରେ ଓଡ଼ିଶାକୁ କମ୍‌ ପାଣ୍ଠି ମିଳିଛି ବୋଲି ବିଜେଡି ଅଭିଯୋଗ କରିଛି। ରେଳ ବଜେଟକୁ ନେଇ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ରେଳ ବଜେଟ୍‌ରେ ଓଡ଼ିଶାକୁ ପାଣ୍ଠି ହ୍ରାସ ଚିନ୍ତାର ବିଷୟ। ରେଳବାଇ କ୍ଷେତ୍ରରେ ଦେଶକୁ ଓଡ଼ିଶା ଅଧିକ ରାଜସ୍ୱ ଦେଇଥାଏ। ମାତ୍ର ରେଳ ବଜେଟ୍‌ରେ ଓଡ଼ିଶାକୁ ଅନୁଦାନ କମ୍‌ ମିଳୁଛି ବୋଲି ସେ କହିଛନ୍ତି।

ସସ୍ମିତ ପାତ୍ର କହିଛନ୍ତି, ଗୋପାଳପୁରରୁ ଫୁଲବାଣୀ ଦେଇ ସମ୍ବଲପୁରକୁ ରେଳ ସଂଯୋଗ କରିବା ପ୍ରସ୍ତାବ ସ୍ୱାଗତଯୋଗ୍ୟ। କିନ୍ତୁ ପ୍ରସ୍ତାବ ଅନୁସାରେ ଓଡ଼ିଶାକୁ ବିଭିନ୍ନ ନୂଆ ପ୍ରକଳ୍ପର ଅନୁମୋଦନ ମିଳି ନାହିଁ। ତେଜସ୍ ଭଳି ଅଧିକ ଦ୍ରୁତଗାମୀ ଟ୍ରେନ ପ୍ରଚଳନ ଯୋଜନା ସ୍ୱାଗତଯୋଗ୍ୟ। କିନ୍ତୁ, ଓଡ଼ିଶାରେ ମଧ୍ୟ ଏପରି ଟ୍ରେନ ପ୍ରଚଳନ ହେବାର ଆବଶ୍ୟକତା ରହିଛି। ଏଥିସହ ବିଳମ୍ବିତ ହୋଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ସାରିବାକୁ ରେଳ ବିଭାଗ ପଦକ୍ଷେପ ନେଉ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ର ରେଳ ବଜେଟରେ ଓଡ଼ିଶା ପାଇଁ ପ୍ରାୟ ୪୩୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାକୁ ମିଶାଇ ସମଗ୍ର ପୂର୍ବତଟ ରେଳପଥକୁ ମୋଟ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତ ବର୍ଷ ଓଡ଼ିଶାକୁ ପ୍ରାୟ ୪୫୯୩ କୋଟି ମିଳିଥିଲା ।

ନୂଆ ପ୍ରକଳ୍ପ ଭାବେ ଏଥର ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳପଥକୁ ମଂଜୁରୀ ମିଳିଛି । ମୋଟ ୨୪୧ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ପାଇଁ ୨୯୫୭ କୋଟି ଟଙ୍କା ମଂଜୁର କରାଯାଇଛି । ନିତି ଆୟୋଗର ଚୂଡ଼ାନ୍ତ ମଂଜୁରୀ ପରେ ଏହା କାର୍ଯ୍ୟକାରୀ ହେବ । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳପଥ ପାଇଁ ସର୍ବାଧିକ ୫୨୦ କୋଟିର ବ୍ୟୟବରାଦ କରାଯାଇଛି । ଗତ ବର୍ଷ ଏହି ପ୍ରକଳ୍ପ ପାଇଁ ୩୫୦ କୋଟିର ବ୍ୟୟବରାଦ କରାଯାଇଥିଲା ।

ସେହିପରି ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ହରିଦାସପୁର-ପାରାଦୀପ ରେଳପଥ ପାଇଁ ୧୦୦ କୋଟି, ତାଳଚେର-ବିମଳାଗଡ଼ ରେଳପଥ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ରେଳପଥ ପାଇଁ ୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସେହିପରି ସମ୍ବଲପୁର-ତାଳଚେର ରେଳପଥର ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳପଥ ଦୋହରୀକରଣ ପାଇଁ ୩୮୨କୋଟି, ଟିଟିଲାଗଡ଼-ବିଜୟନଗରମ ୩ୟ ଲାଇନ ପାଇଁ ୩୮୦ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ଭଦ୍ରକ-ନିର୍ଗୁଣ୍ଡି ୩ୟ ଲାଇନ ପାଇଁ ୧୦୨ କୋଟି ଟଙ୍କା ଓ ବୁଢାପଙ୍କ-ଶାଳଗାଁ ୩ୟ ଲାଇନ ପାଇଁ ୨୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାରେ ରେଳବାଇ ବିଦ୍ୟୁତୀକରଣ ପାଇଁ ୧୮୦ କୋଟିର ବ୍ୟୟବରାଦ କରାଯାଇଛି ।

ସମ୍ବନ୍ଧିତ ଖବର