ଆଜି ରେଳ ବଜେଟ୍‌: ଅଶ୍ୱିନୀଙ୍କ ଉପରେ ଆଶା, ଓଡ଼ିଶାକୁ ମିଳିପାରେ ଅଗ୍ରାଧିକାର

ରାଜ୍ୟ ଦାବି ସମ୍ପର୍କରେ କେହି କାହିଁକି ମୁହଁ ଖୋଲୁନାହାନ୍ତି

ଭୁବନେଶ୍ୱର : ରେଳ ଭିତ୍ତିଭୂମି ବିକାଶ କିମ୍ବା କୌଣସି ନୂଆ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଥର ଭଳି ଏଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନାହିଁ। ରାଜ୍ୟ ପରିବହନ ମନ୍ତ୍ରୀ ବି ନିରବ। ଓଡ଼ିଶାର କିଛି ସାଂସଦ ନିଜ ନିଜ ଅଞ୍ଚଳର ରେଳ ବିକାଶ ସଂକ୍ରାନ୍ତ କିଛି ପ୍ରସ୍ତାବ ସଂକ୍ରାନ୍ତରେ ରେଳ ମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ। କିନ୍ତୁ ସାମଗ୍ରିକ ଭାବେ ରାଜ୍ୟ ସରକାର ବା ଓଡ଼ିଶାର ଦାବି ସାଂସଦମାନଙ୍କ ଦ୍ବାରା ମଧ୍ୟ ରେଳମନ୍ତ୍ରୀଙ୍କ ପାଖରେ ପହଞ୍ଚିନାହିଁ। ହଠାତ କ’ଣ ଏମିତି ହେଲା ଯେ ସମସ୍ତେ ଚୁପ ରହିଗଲେ? ଯେତେବେଳେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଏବେ ରେଳମନ୍ତ୍ରୀ, ସେବେ ଓଡ଼ିଶା ଏ କ୍ଷେତ୍ରରେ କାଳକ୍ଷେପଣ ନୀତି କାହିଁକି ଗ୍ରହଣ କଲା? ଏପରିସ୍ଥଳେ ଆଜି ଆଗତ ହେବାକୁ ଥିବା ରେଳ ବଜେଟରେ ଓଡ଼ିଶା କେତେ ଗୁରୁତ୍ବ ପାଇବ, ଦଶନ୍ଧି ଧରି ରାଜ୍ୟର ସମସ୍ୟା ସମାଧାନ ହେବ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ଆଗତ ହେବ। ରାଜ୍ୟ ସରକାରଙ୍କ ରେଳ ଦାୟିତ୍ବ ସହିତ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟର ପ୍ରସ୍ତାବ ଅର୍ଥ ବିଭାଗ ମାଧ୍ୟମରେ ଦିଆଯାଇଛି। ଅର୍ଥ ବିଭାଗ ଜଣାଇବ। ଅର୍ଥ ବିଭାଗର ଅଧିକାରୀମାନେ ଏ ସଂକ୍ରାନ୍ତରେ ମୁହଁ ଖୋଲିବାକୁ ନାରାଜ। ଯଦି ଓଡ଼ିଶା ଦାବି ରଖିଛି, ସବୁବର୍ଷ ଭଳି ଏହାକୁ ସାର୍ବଜନୀନ କାହିଁକି କରାଗଲାନାହିଁ ଏବଂ ଏହାଦ୍ବାରା କାହା ସ୍ବାର୍ଥ ବ୍ୟାହତ ହେଉଥିଲା ଯେ ରାଜ୍ୟ ସରକାର ନିରବ ରହିଲେ, ତାହା ବୁଝାପଡୁନାହିଁ। କିନ୍ତୁ ଏକଥା ସତ ଯେ ଏଥର ରେଳ ବଜେଟ୍‌ରୁ ଓଡ଼ିଶା ଅଧିକ କିଛି ଆଶା ରଖିଛି। କାରଣ ରେଳ ମନ୍ତ୍ରଣାଳୟ ଭାର ଓଡ଼ିଶା ସାଂସଦଙ୍କ କାନ୍ଧରେ। ଯାହାକୁ ନେଇ ଓଡ଼ିଶାବାସୀ ବି ଉତ୍ସାହିତ ଅଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କି କି ନୂଆ ପ୍ରକଳ୍ପ ଓଡ଼ିଶା ପାଇଁ ଭେଟି ଦେଉଛନ୍ତି ତାହାକୁ ଚାହିଁ ରହିଛନ୍ତି। ନିଜେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଚଳିତ ମାସ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ କହିଥିଲେ ଯେ ଓଡ଼ିଶାରେ ରେଳ ବିକାଶ ପାଇଁ କେବେ ବି ଅର୍ଥ ପ୍ରତିବନ୍ଧକ ସାଜିବ ନାହିଁ। ବଜେଟ୍‌ରେ ପ୍ରଚୁର ଅର୍ଥ ରହିଛି। ରେଳ ପ୍ରକଳ୍ପ ଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେଲେ ବିକାଶ ମାଡ଼ି ଚାଲିବ।

RailNews Media India Ltd

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରେଳ ବଜେଟ୍‌ରେ ପ୍ରତିବର୍ଷ ଓଡ଼ିଶାକୁ ହାରାହାରି ୮୦୦ କୋଟି ଟଙ୍କା ମିଳୁଥିଲା। ୨୦୧୪-୧୫ରେ ୪୭୦୦ କୋଟି ଦିଆଯାଇଥିଲା। ପର୍ଯ୍ୟାୟକ୍ରମେ ତାହା ବୃଦ୍ଧି ପାଇ ୨୦୨୧-୨୨ରେ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି।

କିନ୍ତୁ ସତ ହେଲା, ୧୯୯୫ରୁ ୨୦୨୧; ୨୬ ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ସମ୍ପୂର୍ଣ୍ଣ ହୋଇପାରୁନି। ଅନେକ ଥର ସମୟସୀମା‌ ଧାର୍ଯ୍ୟ ହୋଇଛି, ସବୁ ଫେଲ୍। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏହି ପ୍ରକଳ୍ପକୁ ଉଦାହରଣ ଭାବେ ନିଆଯାଇପାରେ। କେବଳ ସେତିକି ନୁହେଁ, ତା​ଳଚେର-ବିମଳାଗଡ କାମ ଦୁଇ ଦଶନ୍ଧି ଧରି ସରିପାରୁନାହିଁ। ଏହିପରି ରାଜ୍ୟର କୌଣସି ଗୋଟିଏ ଜିଲ୍ଲାର ସ୍ଥିତି ସମ୍ପୂର୍ଣ୍ଣ ନୁହେଁ।

ଅନ୍ୟପକ୍ଷରେ ମିଳୁଥିବା ସୂଚନା ଅନୁସାରେ, ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ପାଇଁ ଚଳିତ ବଜେଟ୍‌ରେ ବ୍ୟୟ ବରାଦ ହୋଇପାରେ। ଜୁନାଗଡ଼ରୁ ଭଦ୍ରାଚଳମ୍‌ ପର୍ଯ୍ୟନ୍ତ ରେଳ ପ୍ରକଳ୍ପକୁ ବି ଅନୁମତି ମିଳିଛି। ଜୁନାଗଡ଼ରୁ ନବରଙ୍ଗପୁର ସର୍ଭେ ଅନୁମତି ‌ଦିଆଯାଇଛି। ନବରଙ୍ଗପୁରରୁ ଜୟପୁର ଓ ଜୟପୁରରୁ ମାଲକାନଗିରି ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଚାଲିଛି। ରାଜ୍ୟ ସରକାର ଜାଗା ଯୋଗାଇ ଦେଲେ ପ୍ରକଳ୍ପ ଆଗକୁ ବଢ଼ିବ। ଏହାଦ୍ବାରା ବର୍ଷ ବର୍ଷ ଧରି ରେଳ ପ୍ରକଳ୍ପ ଦେଖିବାକୁ ଚାହୁଥିବା ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଏବେ ରେଳ ଦେଖିପାରେ। ଗୋପାଳପୁର-ସମ୍ବଲପୁର ଭୟା ଫୁଲବାଣୀ ୨୪୧ କିମି ରେଳ ପ୍ରକଳ୍ପକୁ ୨୦୨୦-୨୧ରେ ଅନୁମୋଦନ ମିଳିଥିବାରୁ ସେଥିପାଇଁ ଚଳିତ ବଜେଟ୍‌ରେ କିଭଳି ବ୍ୟୟ ବରାଦ କରାଯିବ ତାହା ଦେଖିବାକୁ ବାକି ରହିଲା। ଏହା ବ୍ୟତୀତ ତାଳଚେର-ଅନୁଗୁଳ ନୂଆ ରେଳ ଲାଇନ, ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୨୦୨୨-୨୩ ବଜେଟରେ କେତେ ଅର୍ଥ ବ୍ୟୟ ଅଟକଳ କରାଯାଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସେହିଭଳି ପୁରୀ-କୋଣାର୍କ ୩୮ କିମି ରେଳ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଫାଇଲ୍‌ ତଳେ ରହିଯାଇଛି। ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ଏହା ଉପରେ କିଛି ପଦକ୍ଷେପ ନେବେ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ପକ୍ଷରୁ ଏକାଧିକ ନୂଆ ପ୍ରକଳ୍ପ ପାଇଁ ଦାବି କରାଯାଇଥିଲା। ଯେଉଁଥିରେ ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ସଂଯୋଗକୁ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ, ପୁରୀ-କୋଣାର୍କ, ବାଂଶପାଣି-ବଡ଼ବିଲ୍‌, କେନ୍ଦୁଝର ରୋଡ୍‌-ଧାମରା ବନ୍ଦର (ଭାୟା ଯାଜପୁର/ଆରେଡ଼ି), ତାଳଚେର-ଗୋପାଳପୁର, ପାରାଦୀପ-ଧାମରା, ବୁରାମାର-ଚକୁଳିଆ, ବାଙ୍ଗିରୀପୋଷି-ଗୋରୁ ମହିଷାଣି ରେଳ ପ୍ରକଳ୍ପ। ମାତ୍ର ଗତବର୍ଷ ବଜେଟ୍‌ରେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିଲା।

ସମ୍ବନ୍ଧିତ ଖବର