ଗୁଣପୁର-ଥେରୁବାଲି ରେଳପଥ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ
ବଦଳିବ ରାୟଗଡ଼ା, କୋରାପୁଟ, ଲକ୍ଷ୍ମୀପୁର, ଟିକିରି ଷ୍ଟେସନ ରୂପ

Advertisment

ରାୟଗଡ଼ା : ନୂଆ ରେଳ ଡିଭିଜନ୍ ପାଇଁ ଆବଶ୍ୟକ ଅନୁଦାନ ମିଳିନି। ଘୋଷଣା ସମୟରେ ଯେଉଁ ସାମାନ୍ୟ ଅନୁଦାନ ମିଳିଛି ସେଥିରେ ହିଁ ନିର୍ମାଣ କାମ ଚାଲିଛି। ନିର୍ମାଣାଧୀନ କାମ କନଷ୍ଟ୍ରକସନ୍ କମ୍ପାନି କରୁଥିବାରୁ ତଦାରଖ ପରେ ହିଁ ଅଗ୍ରଗତି ସଂପର୍କରେ ଜଣାପଡ଼ିବ। ରାୟଗଡ଼ାରେ ନୂଆ ରେଳ ଡିଭିଜନର ଅଗ୍ରଗତି ସମୀକ୍ଷା କରି ଏମିତି ମତ ରଖିଛନ୍ତି ବିଶାଖାପାଟଣା ଡିଆରଏମ୍ ଅନୁପ ଶତପଥୀ।

ଶ୍ରୀ ଶତପଥୀ କହିଛନ୍ତି, କରୋନା ଯୋଗୁ ରେଳ ବିଭାଗ ଆର୍ଥିକ କ୍ଷତି ସହିଥିବାରୁ ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମରେ ଅସୁବିଧା ହେଉଛି। ତଥାପି ଆଗାମୀ ବଜେଟରେ ରାୟଗଡ଼ା ଡିଭିଜନକୁ ଗୁରୁତ୍ବ ମିଳିବାର ସମ୍ଭାବନା ରହିଛି। ରାୟଗଡ଼ା ଷ୍ଟେସନରେ ନିକଟରେ ଶେଷ ହୋଇଥିବା ବିଭିନ୍ନ ଉନ୍ନତୀକରଣକୁ ଡିଆରଏମ୍ ବୁଲି ଦେଖିବା ସହ ନୂତନ ଡିଭିଜନ୍ ପାଇଁ ଆବଶ୍ୟକ ଭୂମି ଚିହ୍ନଟ, ଭିତ୍ତିଭୂମି ବିକାଶ ଅନୁଧ୍ୟାନ କରିଛନ୍ତି। କରୋନା କଟକଣା ଯୋଗୁ ଶତ ପ୍ରତିଶତ ଟ୍ରେନ୍ ଚଳାଚଳ କରୁନଥିବାରୁ ବନ୍ଦ ଥିବା ଟ୍ରେନ୍ ଗୁଡ଼ିକ ଚଳାଚଳ ପାଇଁ ବିଭାଗ ଚିନ୍ତା କରୁଛି। ସେହିପରି ଗୁଣପୁର-ଥେରୁବାଲି ରେଳପଥ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିଆରଏମ୍ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ଗୁଣପୁର-ପାରଳାଖେମୁଣ୍ଡି ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନଥିବାରୁ ଖୁବ୍‌ଶୀଘ୍ର ଉଭୟ ଷ୍ଟେସନ ପରିଦର୍ଶନରେ ଯାଇ ବିକାଶ ଦିଗରେ ଦୃଷ୍ଟି ଦେବେ ବୋଲି ଡିଆରଏମ୍ କହିଛନ୍ତି। ଉଭୟ ଷ୍ଟେସନର ପ୍ଲାଟଫର୍ମ କମ୍ ଉଚ୍ଚତା କାରଣରୁ ଟ୍ରେନ୍ ଚଢ଼ିବା ସମୟରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଟିକେଟ୍ ବିକ୍ରିକୁ ଦୃଷ୍ଟିରେ ରଖି ଷ୍ଟେସନ ଭିତ୍ତିଭୂମିର ବିକାଶ ଦିଗରେ ରେଳ ବିଭାଗ ପଦକ୍ଷେପ ନେଉଥିବା ଡିଆରଏମ୍ କହିଛନ୍ତି।
ଡିଆରଏମ୍ ଶ୍ରୀ ଶତପଥୀଙ୍କ ସମେତ ସିନିୟର୍ ଡିଭିଜିନାଲ୍ କର୍ମସିଆଲ୍ ମ୍ୟାନେଜର୍ ଏ. କେ. ତ୍ରିପାଠି, ସିନିୟର୍ ଡିଭିଜିନାଲ୍ ଅପରେଟର୍ ଜି. ସୁନୀଲ୍, ସିନିୟର୍ ଡିଭିଜିନାଲ୍ ଇଞ୍ଜିନିୟର୍ ପ୍ରଦୀପ ଯାବଦଙ୍କ ସମେତ ଅନ୍ୟ ବିଭାଗ ଅଧିକାରୀ ରାୟଗଡ଼ା ଗସ୍ତରେ ଆସିଥିଲେ।