କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ କଳାବାଡ଼ିଆ ପଞ୍ଚାୟତ ବୁଡ଼ାମରା ରେଳଷ୍ଟେସନ୍‌ରେ ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍‌ ରହଣି, ଷ୍ଟେସନ୍‌ ମାନ୍ୟତା ପ୍ରଦାନ ତଥା ଟିକେଟ୍‌ ବୁକିଂ କାଉଣ୍ଟର ଦାବି ନେଇ ରେଳ ବିକାଶ ମଞ୍ଚ ପକ୍ଷରୁ ରେଳରୋକ କରାଯାଇଛି। ୫ ହଜାରରୁ ଅଧିକ ଜନସାଧାରଣ ଆଜି ଭୋର୍‌ ୪ଟା ୩୦ ମିନିଟ୍‌ରେ ରେଳଷ୍ଟେସନ୍‌ରେ ପହଞ୍ଚିଥିଲେ ଏବଂ ସୁପରଫାଷ୍ଟ ଟ୍ରେନ୍‌କୁ ଷ୍ଟେସନ୍‌ରେ ଅଟକ ରଖିଥିଲେ। ଅନେକ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଏଥିରେ ସାମିଲ ଥିଲେ। କିଛି ରେଳବାଇ ପୁଲିସ, ବାଙ୍ଗିରିପୋଷି ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେ, ସଦର ଏସ୍‌ଡିପିଓ କେକେ ହରିପ୍ରସାଦ, ଥାନା ଅଧିକାରୀ ସଂଜୟ କୁମାର ପରିଡ଼ା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ କିଛି ଫଳ ମିଳି ନଥିଲା।

Advertisment

ଏହି ସମୟରେ ବିକାଶ ମଞ୍ଚର ସଭାପତି କମଳାକାନ୍ତ ବାରିକ, ସମ୍ପାଦକ ଅମୃତ କୁମାର ପାଣି, ୨୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମୁର୍ମୁ ‌ସୁପରଫାଷ୍ଟ ଟ୍ରେନ୍‌ର ସ୍ଥାୟୀ ରହଣି ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଦାମ ମାରାଣ୍ଡି ଦୃଷ୍ଟି ଦେବା ପାଇଁ କହିଥିଲେ। ରେଳ ବିଭାଗର ସିଆଇ ସାହାଜଉଦ୍ଦିନ ସାହା ଏବଂ ଖଡ଼ଗପୁର କମର୍ସିଆଲ୍‌ ମ୍ୟା‌ନେଜର (ଏସିଏମ୍) ଆଶୁତୋଷ ସିଂହ ପହଞ୍ଚି ଲୋକଙ୍କୁ ଧାରଣା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ‌ହେଲେ କିଛି ଫଳ ମିଳି ନଥିଲା। ଏପରି ସମୟରେ ଅନେକ ଯାତ୍ରୀ ଆଜି ହଇରାଣ ହୋଇଥିଲେ। ତେବେ ଶେଷ ଖବର ଅନୁସାରେ; ଖଡ଼ଗପୁର କମର୍ସିଆଲ୍‌ ମ୍ୟା‌ନେଜର ଶ୍ରୀ ସିଂହ ସମସ୍ୟା ବାବଦରେ ରେଳ ବୋର୍ଡକୁ ଜଣାଯିବ ଏବଂ ସେ ନିଜେ ଏନେଇ ବୋର୍ଡକୁ ସୁପାରିସ କରିବେ ବୋଲି କହିଥିଲେ। ଫଳରେ ୧୫ ଘଣ୍ଟା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।

ସୂଚନା ଥାଉକି ସ୍ଥାନୀୟ ଅଞ୍ଚଳରେ ଜାତୀୟ ରାଜପଥ ଲେଭେଲ୍‌ କ୍ରସିଂ ଥିବା ଯୋଗୁ ବୁଡ଼ାମରା ଷ୍ଟେସନ୍‌ରେ ସୁପରଫାଷ୍ଟ୍‌ ଟ୍ରେନ୍‌ଟି କିଛି ସମୟ ଅଟକୁ ଥିଲା। କିନ୍ତୁ ସେଠାରେ ରାଜପଥ ପ୍ରାଧିକରଣ ପକ୍ଷରୁ ଫ୍ଲାଇ ଓଭର୍‌ବ୍ରିଜ୍‌ ହେବା ଦିନଠାରୁ କର୍ତ୍ତୃପକ୍ଷ ରେଳଫାଟକକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଫଳରେ ଫେବ୍ରୁଆରିରୁ ଆଉ ସୁପରଫାଷ୍ଟ ଟ୍ରେନ୍‌ଟି ରହୁନାହିଁ। ଯାହାଦ୍ବାରା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରେ ଅଭିଯୋଗ କରାଯାଇଥିଲା। ହେଲେ କିଛି ଫଳ ମିଳି ନଥିଲା। ଏପରି ସମୟରେ ୨୦୧୨ ମସିହା ସେପ୍ଟେମ୍ବର ମାସ ଷ୍ଟେସନ୍‌ରେ ରେଳରୋକ ହୋଇଥିଲା। ସେହିପରି ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖ ଦିନ ପୁଣି ରେଳରୋକ କରାଯାଇଥିଲା। ଯେଉଁଥିରେ ୧ ହଜାରରୁ ଅଧିକ ଲୋକ ସାମିଲ ଥିଲେ। ସେତେବେଳେ ସୁପରଫାଷ୍ଟ ଟ୍ରେନ୍‌ ରହଣି ନେଇ ପ୍ରତିଶ୍ରୁତି ମିଳିଥିଲା। ‌ହେଲେ ସମସ୍ତେ ସବୁ ପ୍ରତିଶ୍ରୁତି ଭୁଲିଯାଇଥିଲେ।