ନରସିଂହପୁର: ନରସିଂହପୁରରେ ବିଜେପିର ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତ୍ତାବ, ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଏକ ବାଇକ ଶୋଭାଯାତ୍ରାରେ ବଡ଼ମ୍ବା ବ୍ଳକର ଅଭିମାନପୁର ଠାରୁ ବାହାରି ଚମ୍ପେଶ୍ୱର ଠାରେ ଚମ୍ପାନାଥ ଓ ନରସିଂହପୁରରେ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଆୟୋଜିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ। ଖୁବଶିଘ୍ର ବଡ଼ମ୍ବା ନରସିଂହପୁରକୁ ରେଳ ଲାଇନ ସଂଯୋଗ ହେବାକୁ ଯାଉଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନ ଲାଭ କରି ସାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ। ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ବିଜେପି ଦଳ ସରକାରକୁ ଆସିଲେ ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ନୂତନ ସୂର୍ଯ୍ୟୋଦୟ ହେବ। ଘରେ ଘରେ ପାନୀୟ ଜଳ ଯୋଗାଇ ଦିଆଯିବ।
ଡାକ୍ତରଖାନା ଗୁଡ଼ିକରେ ଡ଼ାକ୍ତର ସମସ୍ୟା ରହିବ ନାହିଁ। ଯୋଡୁମ ପ୍ରଗଣା ଅଞ୍ଚଳକୁ ବ୍ୟାଘ୍ର ପ୍ରକଳ୍ପରୁ ବାଦ ଦିଆଯିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରିବ କହିଲେ ଯେ ବିଜେପି ସରକାର ଆସିଲେ ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଓ ନିଯୁକ୍ତି କ୍ଷେତ୍ରରେ ନୂତନ ପଦକ୍ଷେପ ନିଆଯିବ। ବିଜେପି ସରକାର ଶାସନକୁ ଆସିଲେ ପୁରୀ ଶ୍ରୀ ମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସମାବେଶରେ ବିଜେପି ନେତା ସରୋଜ ରଣା, ରାମ ନାରାୟଣ ମହାନ୍ତି, ସୂର୍ଯ୍ୟ କିଶୋର ମହାନ୍ତି, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ନାୟକ, ପ୍ରଭାକର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବଡ଼ମ୍ବା ନରସିଂହପୁର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଯୁଗଳ କିଶୋର ରାଉତ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ନାୟକ, ନିଜିଗଡ ପ୍ରାକ୍ତନ ସରପଞ୍ଚ ପ୍ରଭାକର ମିଶ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବିଧିବଦ୍ଧ ଭାବେ ବିଜେପିରେ ସାମିଲ କରିଥିଲେ। ବିଜେପି ନେତା ଶ୍ରୀ ରଣା ଧନ୍ୟବାଦ ଦେଇଥିଲେ। ପୂର୍ବରୁ ଅଶ୍ବିନୀ ବୈଷ୍ଣବ ବଡ଼ମ୍ବାରୁ ନରସିଂହପୁର ଯିବା ସମୟରେ କିଛି ଅସନ୍ତୁଷ୍ଟ ବିଜେପି କର୍ମୀ ତାଙ୍କୁ ବିରୋଧ କରିଥିଲେ। ସୂଚନାଯୋଗ୍ୟ ଯେ ବିଜେପିର ଅସନ୍ତୁଷ୍ଟ ବିଜୟ ଦଳବେହେରା ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/gdjjdgjgdjgjg.jpg)