ଭୁବନେଶ୍ବର : ଲକ୍ଡାଉନ୍ରେ ଭାରତୀୟ ରେଳପଥ ଦେଶର କୋଣ ଅନୁକୋଣକୁ ନିୟମିତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପହଞ୍ଚାଇଥିଲା। ଏହି ସମୟରେ ସାର, ପେଟ୍ରୋଲିୟମ ଉତ୍ପାଦ, କୋଇଲା ସହ ଖାଦ୍ୟଶସ୍ୟ, ଫଳ, ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ, ରନ୍ଧନ ତୈଳ, ଚିନି ଓ ଲୁଣ, ଡାକ୍ତରୀ ଉପକରଣ, ଔଷଧ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ତେଜରାତି ସାମଗ୍ରୀ ପରିବହନ ହୋଇଛି। ଅପରପକ୍ଷେ ମାର୍ଚ୍ଚ ୨୨ରୁ ଜୁନ୍ ୩୦ମଧ୍ୟରେ ଅର୍ଥାତ ୧୦୧ ଦିନରେ ପୂର୍ବତଟ ରେଳପଥ ଏହାର ଅଧିକାର କ୍ଷେତ୍ରରୁ ୭୧୦୦ ଟ୍ରେନରେ ୭୧.୦୬ ମିଲିୟନ ଟନ୍ର କୋଇଲା ପରିବହନ କରିଛି। ସେଥିମଧ୍ୟରୁ ତାଳଚେର ଅଞ୍ଚଳରୁ ୪୧୫୭ ଟ୍ରେନ୍ରେ ୧୬.୧୪ମିଲିୟନ ଟନ୍ର ସ୍ଥାନୀୟ କୋଇଲା ଓ ୧୦.୯୨ ମିଲିୟନ ଟନ୍ର ଆମଦାନି କୋଇଲା ଦେଶର ବିଭିନ୍ନ ସ୍ଥାନରେ ଥିବା ଶକ୍ତି ଉତ୍ପାଦନ କେନ୍ଦ୍ର ଓ ଶିଳ୍ପ ପ୍ରତିଷ୍ଠାନକୁ ପରିବହନ କରାଯାଇଥିଲା।
ସେହିପରି ପୂର୍ବତଟ ରେଳପଥ ୦.୯୫ ମିଲିୟନ ଟନ୍ର ଖାଦ୍ୟଶସ୍ୟ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଝାଡଖଣ୍ଡ ଆଦି ରାଜ୍ୟକୁ ୩୩୩ଟି ଟ୍ରେନରେ ପରିବହନ କରିଥିଲା। ଏହାବ୍ୟତୀତ ୧.୨୦ ମିଲିୟନ ଟନ୍ର ସାର ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ୪୭୦ଟି ଟ୍ରେନ୍ରେ ପରିବହନ ସହ ପୂର୍ବତଟ ରେଳପଥରୁ ବିଭିନ୍ନ ସ୍ଥାନକୁ ୨୭୯ଟି ଟ୍ରେନ୍ରେ ପେଟ୍ରୋଲିୟମ୍ ଉତ୍ପାଦ ପରିବହନ ହୋଇଛି। ୧୨୬୮ ଟ୍ରେନ୍ରେ ଲୁହାପଥର, ୮୯୫ ଟ୍ରେନ୍ରେ ଲୁହା ଓ ଇସ୍ପାତ ଉତ୍ପାଦ, ୪୧ଟି ଟ୍ରେନ୍ରେ ସିମେଣ୍ଟ ବୋଝେଇ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଇଛି। ମୋଟ ଉପରେ ମାର୍ଚ୍ଚ ୨୨ରୁ ଜୁନ୍ ୩୦ ମଧ୍ୟରେ ପୂର୍ବତଟ ରେଳପଥ ୧୨ ହଜାର ୬୮୦ଟି ଟ୍ରେନରେ ୪୫.୮୦ ମିଲିୟନ ଟନ୍ର ପଣ୍ୟ ପରିବହନ କରିଛି।
୨୦୨୦-୨୧ର ପ୍ରଥମ ତିନି ମାସରେ ପୂର୍ବତଟ ରେଳପଥ ୪୨ମିଲିୟନ ଟନ୍ ମାଲ ପରିବହନ କରିଥିଲା, ଯାହା ପୂର୍ବବର୍ଷର ସେହି ତୁଳନାରେ ୮୨% ଅଧିକ ରହିଛି। ଭାରତୀୟ ରେଳପଥରେ ଥିବା ସମସ୍ତ ଜୋନ୍ଗୁଡ଼ିକ ତୁଳନାରେ ପୂର୍ବତଟ ରେଳପଥ ଏହି ସମାୟାବଧିରେ ଅଧିକ ମାଲ ପରିବହନ କରିଛି। ପୂର୍ବତଟ ରେଳପଥ ଏହି ସଫଳତାର ଶ୍ରେୟ, ଏହାର ୩ଟି ମଣ୍ଡଳରେ କାର୍ଯ୍ୟରତ ପରିଶ୍ରମୀ ଓ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଓ କୋଇଲା ଖଣି, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ୍ କମ୍ପାନି, ଭାରତୀୟ ଖାଦ୍ୟ ନିଗମକୁ ଅନ୍ତର୍ଭୁକ୍ତ କରି ସମସ୍ତ ଷ୍ଟେକ୍ ହୋଲଡର୍ମାନେ କରିଥିବା ଉଦ୍ୟମକୁ ସଂପୂର୍ଣ୍ଣ ରୂପେ ଉତ୍ସର୍ଗ କରୁଛି।