ନବରଙ୍ଗପୁର: ଜମି ଅଧିଗ୍ରହଣ ଉପରେ ନିର୍ଭର କରୁଛି ରେଳ ପ୍ରକଳ୍ପ

ନବରଙ୍ଗପୁର : କୋରାପୁଟ ଜିଲ୍ଲା ଗସ୍ତ ସାରି ଶନିିବାର ଦିନ ନବରଙ୍ଗପୁରରେ ପହଞ୍ଚିଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ ସଂଗଠନ ମନ୍ତ୍ରୀଙ୍କୁ ଭେଟି ଗୋଟିଏ କଥା ଦୋହରାଇଥିଲେ, ନବରଙ୍ଗପୁର ଜିଲ୍ଲାକୁ କିଭଳି ଭାବେ ରେଳପଥ ସଂଯୋଗ ହୋଇପାରିବ। ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ ବିଭିନ୍ନ ସଂଗଠନର ଦାବିର ଉତ୍ତର ଦେଇ କହିଥିଲେ ଯେ, କେନ୍ଦ୍ର ସରକାର ଏହି ବହୁ ପ୍ରତୀକ୍ଷିତ ରେଳପଥ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଜିଲ୍ଲାପାଳଙ୍କ ସହ ସେ ପ୍ରକଳ୍ପ ବାବଦରେ ସମୀକ୍ଷା କରିଛନ୍ତି। ଯେତେଶୀଘ୍ର ଜମି ଅଧିଗ୍ରହଣ ହେବ ସେତେଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବ। ତେବେ କୌଣସି ବଡ଼କାମ କରିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଏବଂ ସହଯୋଗ ରହିଲେ ବିକାଶ ନିଶ୍ଚିତ ହୋଇପାରିବ। ଜିଲ୍ଲାବାସୀଙ୍କ ବହୁ ବର୍ଷର ଦାବିକୁ ପୂରଣ ନିମନ୍ତେ ତୁରନ୍ତ ଜମି ଅଧିଗ୍ରହଣ କରିବାକୁ ଜିଲ୍ଲାପାଳ ଏବଂ ବିଭାଗୀୟ ସଚିବଙ୍କୁ ନିବେଦନ କରିଥିବା ପ୍ରକାଶ କରିଥିଲେ। ନବରଙ୍ଗପୁରକୁ ‌ନିଶ୍ଚିତ ଭାବେ ରେଳପଥ ହେବ। ସେ ଦିଲ୍ଲୀରେ ପହଞ୍ଚିବା ପରେ ଏହି ରେଳପଥର କାର୍ଯ୍ୟକୁ ତ୍ବରାନ୍ବିତ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଜୟପୁର-ନବରଙ୍ଗପୁର ରେଳପଥ ପ୍ରକଳ୍ପ କେବେ ସୁଦ୍ଧା ଶେଷ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ୭୦ବର୍ଷ ହେବ ନବରଙ୍ଗପୁର ଜିଲ୍ଲାର ଆଖିଦୃଶିଆ ଉନ୍ନତି ହୋଇପାରିଲା ନାହିଁ। ୭୦ବର୍ଷ ପରେ ଯଦି ଆମେ ବିକାଶ ପାଇଁ ସଂପୂର୍ଣ୍ଣ ପ୍ରୟାସ କରୁଛୁ, ଏଥିପାଇଁ ସମୟ ଲାଗିପା‌ରେ। କିନ୍ତୁ ପ୍ରୟାସରେ କୌଣସି ପ୍ରକାର ଊଣା ହେବ ନାହିଁ। ଜୁନାଗଡ଼-ନବରଙ୍ଗପୁର ରେଳପଥ ନିର୍ମାଣ ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ରେଳପଥ ନିର୍ମାଣ ହୋଇପାରିଲେ ବହୁ ଅଞ୍ଚଳକୁ ରେଳ ଚଳାଚଳ ସମ୍ଭବ ହୋଇପାରିବ। ଓଡ଼ିଶାରେ ରେଳପଥ, ଗମନାଗମନ, ଶିକ୍ଷା, ପ୍ରତି ଘରେ ଇଣ୍ଟରନେଟ୍, ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଛନ୍ତି। ପୂର୍ବ ଭାରତର ବିକାଶ ହେଲେ ସାରା ଦେଶର ଉନ୍ନତି ହୋଇପାରିବ। ଏହି ଚିନ୍ତାଧାରାକୁ ନେଇ ଆମେ କାମ କରୁଛୁ। ଓଡ଼ିଶାରେ ଗମନାଗମନ ଓ ଆଇଟି କ୍ଷେତ୍ରରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପଠାଇଥିବା କହିଥିଲେ। ସେହିପରି ଆୟୋଜିତ ସମ୍ବର୍ଦ୍ଧନା ସଭାରେ ୭ଟି ପ୍ରମୁଖ ବିଭାଗର ମନ୍ତ୍ରୀ ଭାବେ ଓଡ଼ିଶାର ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି। ସମ୍ପୂର୍ଣ୍ଣ ଓଡ଼ିଶାର ସମଗ୍ରୀକ ବିକାଶ ପାଇଁ ମୋଦୀ ପରିକଳ୍ପନା କରିଛନ୍ତି। ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ଗୁରୁତ୍ବପୂର୍ଣ୍ଣ। ନବରଙ୍ଗପୁରକୁ ତୁରନ୍ତ ରେଳପଥ ହୋଇ ଜିଲ୍ଲାବାସୀ ଏହାର ସୁଫଳ ପାଇବା ନିମନ୍ତେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଥି‌ଲେ। ତେବେ ପ୍ରତିବଦଳରେ ତଥା ଆଶୀର୍ବାଦ ଭାବେ ନବରଙ୍ଗପୁର ସାଂସଦ ଆସଦ ଓ ୪ ବିଧାୟକ ଆସନ ଜିଲ୍ଲାବାସୀ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର