ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ଆନ୍ଦୋଳନ; ଲିଖିତ ପ୍ରତିଶ୍ରୁତି ପରେ ହଟିଲା ରେଳରୋକ

ସୁନ୍ଦରଗଡ଼/ହେମଗିର: ପୂର୍ବ ଘୋଷଣା ଅନୁସାରେ ଆଜି ସକାଳୁ କନିକା ହେମଗିର ରେଳ ଷ୍ଟେସନରେ ସ୍ଥାନୀୟ ଅଞ୍ଚଳବାସୀ ରେଳରୋକ କରିଥିଲେ। ମହାମାରୀ କରୋନା ସମୟରେ ବନ୍ଦ ଥିବା ୬ଟି ପାସେଞ୍ଜର ଟ୍ରେନ ହେମଗିର ଷ୍ଟେସନ ଦେଇ ପୁଣି ଚଳାଚଳ କରିବା ଦାବିକୁ ରେଳ ବିଭାଗ ଅଣଦେଖା କରିବାରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ଷ୍ଟେସନରେ ଏକାଧିକ ଟ୍ରେନ ଅଟକି ରହିଥିବା ବେଳେ କନିକାରେ ସମସ୍ତ ଦୋକାନବଜାର ମଧ୍ୟ ବନ୍ଦ ରହିଥିଲା। ପରେ ଜୁନ୍ ୨୫ରୁ ପାସେଞ୍ଜର ଟ୍ରେନ ଚଳାଚଳ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ରେଳରୋକ ପ୍ରତ୍ୟାହାର କରି ନିଆଯାଇଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ହେମଗିର ଓ ଲେଫ୍ରିପଡ଼ାର ସାଧାରଣଲୋକଙ୍କ ସହ ଛୋଟ ବ୍ୟବସାୟୀମାନେ ଝାରସୁଗୁଡ଼ା, ରାୟଗଡ଼, ରାୟପୁର ଯିବାକୁ କନିକାସ୍ଥିତ ହେମଗିର ରେଳ ଷ୍ଟେସନ ଦେଇ ଯାଉଥିବା ପାସେଞ୍ଜର ଟ୍ରେନ ଉପରେ ନିର୍ଭର କରି ଆସୁଥିଲେ। କିନ୍ତୁ ଟ୍ରେନ ବନ୍ଦ ହୋଇଯିବା ଫଳରେ ଲୋକଙ୍କ ରେଳ ଯାତାୟତ ଠପ୍ ହୋଇଯାଇଛି। ଅନ୍ୟ ସବୁ ଏକ୍ସପ୍ରେସ ଟ୍ରେନର ରହଣି କନିକା ଷ୍ଟେସନରେ ନଥିବାରୁ ଲୋକେ ଦୂର ସ୍ଥାନକୁ ଯାତାୟତ ନେଇ ଅସୁବିଧାରେ ପଡ଼ିଛନ୍ତି। କରୋନା କଟକଣା ହଟିବା ଓ ସ୍ଥିତି ସ୍ବାଭାବିକ ହେବା ପରେ ଏ ପଥରେ ଅନ୍ୟ ସବୁ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ ପାସେଞ୍ଜର ଟ୍ରେନ ପୂର୍ବ ପରି ବନ୍ଦ ରହିଥିବାରୁ ତୁରନ୍ତ ଉକ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଅଞ୍ଚଳବାସୀ ଦାବି କରି ବିଭାଗୀୟ କର୍ତ୍ତୃପକ୍ଷ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ। ମେ’ ୩୧ ସୁଦ୍ଧା ଦାବି ପୂରଣ ନହେଲେ ଜୁନ୍ ୫ରୁ ରେଳରୋକ କରିବାକୁ ଚେତାବନୀ ଦିଆଯାଇଥିଲା। ହେଲେ ତା ପୂର୍ବରୁ ଜୁନ୍ ୩ ତାରିଖରେ ଦକ୍ଷିଣ ପୂର୍ବ ରେଳପଥ ବିଳାସପୁର ଜୋନର ଏଆରଏମ ହେମଗିର ଆସି ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ୨ଟି ଟ୍ରେନ ୨ଟି ଟ୍ରେନ ଝାରସୁଗୁଡ଼ା-ଗୋନ୍ଦିଆ ମେମୋ ଓ ଗୋନ୍ଦିଆ-ଝାରସୁଗୁଡ଼ା ମେମୋ ଚଳାଚଳ ନେଇ ପ୍ରତିଶ୍ରୁତି ଦେବା ପରେ ରେଳରୋକ ଆନ୍ଦୋଳନକୁ ୧୨ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ୧୧ ତାରିଖ ସୁଦ୍ଧା ପ୍ରତିଶ୍ରୁତି ମୁତାବକ ରେଳ ବିଭାଗ ପଦକ୍ଷେପ ନନେବାରୁ ୧୨ ତାରିଖ ସକାଳୁ ରେଳରୋକ ଆନ୍ଦୋଳନକୁ ଲୋକେ ଓହ୍ଲାଇଥିଲେ।

ଆଜି ସକାଳୁ କନିକା ହେମଗିର ଷ୍ଟେସନରେ ଶତାଧିକ ଆନ୍ଦୋଳନକାରୀ ପହଞ୍ଚି ରେଳ ଲାଇନକୁ ଅବରୋଧ କରିଥିଲେ। ଫଳରେ ସମସ୍ତ ଯାତ୍ରୀବାହୀ ଏକ୍ସପ୍ରେସ ଓ ମାଲ୍ ବୋଝେଇ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା। ଟ୍ରାକରେ ଏକାଧିକ ଟ୍ରେନ ସାଢ଼େ ୪ ଘଣ୍ଟା ଧରି ଅଟକି ରହିଥିଲା। ଆନ୍ଦୋଳନ ଯୋଗୁଁ ରାୟଗଡ଼ରେ ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ଓ ଜବଲପୁର- ବିଶାଖାପାଟନମ ପରୀକ୍ଷା ସ୍ପେସାଲ, ଖରସିଆରେ ସାଇଶିରିଡି-ହାବଡ଼ା ଏକ୍ସପ୍ରେସ, ଚାଂପାରେ ଯୋଗନଗରୀ ଋଷିକେଶ- ପୁରୀ ଉତ୍କଳ, ଶକ୍ତିରେ ଦୁର୍ଗ- ରାଜେନ୍ଦ୍ରନଗର ସାଉଥ ବିହାର, ବାରାଦ୍ବାର ପୁନେ-ହାବଡ଼ା ଦୂରନ୍ତ, ବିଳାସପୁରରେ ଇତବାରୀ-ଟାଟାନଗର ଏକ୍ସପ୍ରେସ, ବେଳପାହାଡ଼ରେ ଶାଳୀମାର-ଏଲଟିଟି ଏକ୍ସପ୍ରେସ ଓ ଝାରସୁଗୁଡ଼ା ଷ୍ଟେସନରେ ଶାଳୀମାର-ପୋରବନ୍ଦର ଏକ୍ସପ୍ରେସ ଅଟକି ରହିଥିଲା। ପରେ ବ୍ରଜରାଜନଗର ଜୋନର ଏଆରଏମ ପୀୟୂଷ ଲେହେରେ ଜୁନ୍ ୨୫ରୁ ପାସେଞ୍ଜର ଟ୍ରେନ ଚଳାଚଳ ତଥା ଆବଶ୍ୟକ ସ୍ଥଳେ ଦୂରଗାମୀ ଟ୍ରେନର ଅସ୍ଥାୟୀ ରହଣି ସୁବିଧା ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର