ସମଲେଶ୍ୱରୀ ଟ୍ରେନ୍ ଦୁର୍ଘଟଣା ତଦନ୍ତ ଲାଗି ରାୟଗଡାରେ ରେଳପଥ ନିରାପତ୍ତା କମିସନର

ରାୟଗଡ଼ା: କୋରାପୁଟ-ରାୟଗଡା (କେଆର୍) ରେଳ ଲାଇନରେ ମେଣ୍ଟେନାନ୍ସ ଇଞ୍ଜିନ୍-ସମଲେଶ୍ବରୀ ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣାର ତଦନ୍ତ ଲାଗି ରାୟଗଡାରେ ପହଞ୍ଚିଛନ୍ତି ରେଳପଥ ନିରାପତ୍ତା କମିଶନର ଏ.କେ.ରାୟ । ସେ କେଉଟାଗୁଡା, ସିଙ୍ଗାପୁର ଷ୍ଟେସନ ସହ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଦୁର୍ଘଟଣା ସଂପର୍କରେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ବୟାନ ସଂଗ୍ରହ କରିଛନ୍ତି ରେଳପଥ ନିରାପତ୍ତା କମିସନର ଏ.କେ.ରାୟ ।

ଅନ୍ୟପଟେ, ସମଲେଶ୍ବରୀ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଆକ୍ସନ୍ ମୁଡକୁ ଆସିଛି ରେଳ ବିଭାଗ। କର୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ ୪ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଗତକାଲି ଆଉ ଜଣେ ଅଧିକାରୀଙ୍କ ମୁଣ୍ଡ ଗଡିଛି। ଡିଭିଜିନାଲ୍ ଟ୍ରାଫିକ୍ ଇନସପେକ୍ଟର୍ ସନ୍ତୋଷ କୁମାର ବେହେରାଙ୍କୁ ବିଶାଖାପାଟଣା ଡିଆରଏମ୍ ଚେତନ ଶ୍ରୀବାତ୍ସବ ନିଲମ୍ବନ କରିଛନ୍ତି।

୨୬ ତାରିଖ ରାତିରେ ଡିଆରଏମ୍ ଶ୍ରୀବାତ୍ସବଙ୍କ ସମେତ ଏଡିଆରଏମ୍ ଓ ଟେକ୍ନିକାଲ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖି ଆଜି ବିଶାଖାପାଟଣା ଫେରି ଯାଇଥିବା ବେଳେ ଗତକାଲି ଇଷ୍ଟକୋଷ୍ଟ୍ ରେଲୱେର ଉପ ମୁଖ୍ୟ ନିରାପତ୍ତା ଅଧିକାରୀ ସରୋଜ କୁମାର ସାହୁଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ସିଙ୍ଗାପୁର ରୋଡ୍ ଷ୍ଟେସନ୍ ଓ କେଉଟଗୁଡା ଷ୍ଟେସନରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ତଦନ୍ତ କରିଛନ୍ତି। ତେବେ ନିରାପତ୍ତା ଟିମ୍ ଗସ୍ତ ସଂପର୍କିତ ସମସ୍ତ ସୂଚନାକୁ ରେଳ କର୍ତୃପକ୍ଷ ଗୁପ୍ତ ରଖିଛନ୍ତି। କୌଣସି ଅଧିକାରୀ ଏ ସଂପର୍କରେ ମୁହଁ ଖୋଲୁ ନାହାନ୍ତି।

ସମ୍ବନ୍ଧିତ ଖବର