ରେଳ ସୁରକ୍ଷା ସମ୍ବନ୍ଧିତ ସମସ୍ତ ସଂସ୍ଥାଙ୍କ ସହ ଆଲୋଚନା: ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ
ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ରାଜ୍ୟ ରେଳ ସୁରକ୍ଷା ସମୀକ୍ଷା
କଟକ: ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବନସଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୁଲିସ ସଦର ମହକୁମାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଡି.ଜି. ରେଳ ଓ ତଟ ସୁରକ୍ଷା ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ, ଆରପିଏଫ୍ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ।
ରାଜ୍ୟରେ ରେଳ ସୁରକ୍ଷାର ସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଆଗାମୀ ଦିନରେ ସରକାରୀ ରେଲୱେ ପୁଲିସର ଭିତ୍ତିଭୂମିର ଆଧୁନୀକିକରଣ, ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଓ ଟ୍ରେନମାନଙ୍କରେ ସିସିଟିଭି ସଂଯୋଗ, ମହିଳା ଯାତ୍ରୀମାନଙ୍କ ସୁରକ୍ଷା ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆ ଯାଇଥିଲା। ଦୁଇ ବର୍ଷ ପରେ ଏଥର ପୁରୀରେ ରଥଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେଉଥିବା ଯୋଗୁଁ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରିବାକୁ ପୁଲିସ ଡିଜି ଶ୍ରୀ ବନସଲ୍ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ କେନ୍ଦ୍ରୀୟ ରେଳ ସୁରକ୍ଷା ବାହିନୀ ତରଫରୁ ଆଇଆରପିଏଫ୍ଏସ୍, ଆଇଜି-ପିସିଏସ୍ସି/ଏସ୍ଇସି ରେଳପଥ ଏନ୍.ସିହ୍ନା, ଆଇଆରପିଏଫ୍ଏସ୍/ଏସ୍ଇ ରେଳପଥ ଡି. ବି. କସର୍, ଆଇଜି ପିସିଏସ୍ସି ପୂର୍ବତଟ ରେଳପଥ ଯୁଗୋଳ କିଶୋର ଯୋଶୀ, ଏଡିଆରଏମ୍/ଖୋର୍ଦ୍ଧା ଅଶୋକ କୁମାର, ଡେପୁଟି (ସିଇ) (ଟିପି) ଭୁବନେଶ୍ବର ଏମ୍.ଭି ସତ୍ୟ ନାରାୟଣ, ଏସ୍ଆରପି ରାଉରକେଲା ଅରୁଣ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।