୩୧ ଯାଏ ରେଳ ଟିକେଟ କାଉଣ୍ଟର ଓ ପାର୍ସଲ ଅଫିସ ବନ୍ଦ

୩୧ ଯାଏ ପାସ୍‌ପୋର୍ଟ ସେବା କେନ୍ଦ୍ର ବନ୍ଦ, ବନ୍ଦ ରହିବ ସିବିଏଫସି

ଭୁବନେଶ୍ୱର : କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ ଟ୍ରେନ ସେବାକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର, ଅଣସଂରକ୍ଷିତ ଟିକେଟ ପ୍ରଣାଳୀ (ୟୁଟିଏସ) ସହିତ ପାର୍ସଲ ଅଫିସକୁ ମଧ୍ୟ ଆସନ୍ତା ୩୧ତାରିଖ ଯାଏ ବନ୍ଦ କରାଯାଇଛି। ଏହି ସମୟ ମଧ୍ୟରେ ଆଗଧାଡ଼ିର କର୍ମଚାରୀ ଯଥା ପିଆରଏସ, ୟୁଟିଏସ, ପାର୍ସଲ ଅଫିସ ଓ ଟିକେଟ ଚେକିଂ କର୍ମଚାରୀମାନେ ସେମାନଙ୍କର ଅନ୍ୟାନ୍ୟ କାର୍ଯ୍ୟାଳୟ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ରହିବା ସହ ଦରକାର ହେଲେ ସେମାନଙ୍କର କାର୍ଯ୍ୟାଳୟ ରେକର୍ଡ କାର୍ଯ୍ୟରେ ନିୟୋଜିତ ରହିବେ। ଯେହେତୁ ପିଆରଏସ କାଉଣ୍ଟର ୩୧ ତାରିଖ ଯାଏ ବନ୍ଦ ରହିବ, ସେଥିପାଇଁ ଯାତ୍ରୀମାନେ ଭୟ କିମ୍ବା ଆଶଙ୍କା ଭିତରେ ନରହି କୋହଳ ଟଙ୍କା ଫେରସ୍ତ ନିୟମ ଆପଣେଇବାକୁ କୁହାଯାଇଛି, ଯେମିତି ଯାତ୍ରୀମାନେ ଟିକେଟ କାଉଣ୍ଟରକୁ ନଆସିବେ।

ଏହି ସମୟରେ ଟଙ୍କା ଫେରସ୍ତ ନିୟମକୁ କୋହଳ କରାଯାଇଛି। କାଉଣ୍ଟରରୁ ଟିକେଟ କ୍ରୟ କରିଥିବା ଯାତ୍ରୀମାନେ ଆସନ୍ତା ଜୁନ ୨୧ ମଧ୍ୟରେ ପିଆରଏସ କାଉଣ୍ଟରରୁ ସେମାନଙ୍କର ଟିକେଟ ବାତିଲ କରି ପୂର୍ଣ୍ଣ ଦେୟ ପାଇପାରିବେ।

ଏହାବ୍ୟତୀତ, ଟ୍ରେନ ଯାତ୍ରା ତାରିଖଠାରୁ ୩୦ ଦିନ ମଧ୍ୟରେ ଷ୍ଟେସନରୁ ଟିକେଟ ଡିପୋଜିଟ ରସିଦ(ଟିଡିଆର) ଆଣି କ୍ଲେମସ୍ ଅଫିସରେ ଦାଖଲ କରି ୬୦ ଦିନ ମଧ୍ୟରେ ଦେୟ ଫେରସ୍ତ ନେବାକୁ ମଧ୍ୟ ଏହି କୋହଳ ବ୍ୟବସ୍ଥାରେ କୁହାଯାଇଛି। ଅନ୍‌ଲାଇନରେ ଟିକେଟ ବୁକ୍‌ କରିଥିବା ଯାତ୍ରୀମାନେ ଏହି କୋହଳ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରି ଆଇଆରସିଟିସି ୱେବସାଇଟରୁ ସେମାନଙ୍କର ଫେରସ୍ତ ପାଇପାରିବେ।

୩୧ ଯାଏ ପାସ୍‌ପୋର୍ଟ ସେବା କେନ୍ଦ୍ର ବନ୍ଦ
ଭୁବନେଶ୍ବର : କରୋନା ମୁକାବିଲାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭୁବନେଶ୍ବରର ପାସ୍‌ପୋର୍ଟ ସେବା କେନ୍ଦ୍ରକୁ ୩୧ ତାରିଖ ଯାଏ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ମୁଖ୍ୟ ଡାକ ଘରେ ଥିବା ପେ‌ାଷ୍ଟ ଅଫିସ୍‌ ପାସ୍‌ପୋର୍ଟ ସେବା କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ପାସ୍‌ପୋର୍ଟ ଆବେଦନ ସମ୍ବନ୍ଧୀୟ ସାକ୍ଷାତକାରଗୁଡ଼ିକ ରଦ୍ଦ କରିଦିଆଯାଇଛି। ଯେଉଁ ଆବେଦନକାରୀମାନଙ୍କର ଆବେଦନ ରଦ୍ଦ ହୋଇଛି, ସେମାନେ ଏପ୍ରିଲ ୭ ତାରିଖ ପରେ ଅନ୍‌ଲାଇନ୍ ମାଧ୍ୟମରେ ପୁନଃ ଆବେଦନ କରିପାରିବେ ବୋଲି ଆଞ୍ଚଳିକ ପାସ୍‌ପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଏକ ‌େପ୍ରସ୍‌ ଇସ୍ତାହାରରେ ସୂଚନା ଦେଇଛନ୍ତି।

ବନ୍ଦ ରହିବ ସିବିଏଫସି
ଭୁବନେଶ୍ୱର : କରୋନା ମୁକାବିଲା ନିମନ୍ତେ ସରକାର ଲକ୍‌-ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କଟକସ୍ଥିତ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫସି)କୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ତେବେ ସମସ୍ତ କର୍ମଚାରୀ ସେମାନଙ୍କର କାର୍ଯ୍ୟାଳୟ କାମ ଘରୁ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିବିଏଫସିର ଅଧିକାରୀ ଗୋପାଳ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର