ସ୍ବାଭାବିକ ହେଲା ରେଳ ଚଳାଚଳ

କୋରେଇ: କୋରେଇ ରେଳ ଷ୍ଟେସନ ଦୁର୍ଘଟଣାର ପ୍ରାୟ ୧୪ ଘଣ୍ଟା ପରେ ଡାଉନ ଲାଇନ୍‌ରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ସୋମବାର ସକାଳ ୬.୪୪ରେ ଦୁର୍ଘଟଣା ଘଟିଥିଲା। ଉକ୍ତ ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। କୋରେଇ ରେଳ ଷ୍ଟେସନର ଅପ୍‌ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଧାରଣାରୁ ବାହାରି ଯାଇ ପ୍ଲାଟ୍‌ଫର୍ମକୁ ମାଡ଼ି ଯାଇଥିଲା। କେତେକ ବଗି ଡାଉନ୍‌ ଲାଇନ୍‌ରେ ପଡ଼ି ରହିଥିଲା। ପ୍ରାୟ ୭ଶହ ଶ୍ରମିକ ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ। ଯାଜପୁରରୋଡ ରେଳ ଷ୍ଟେସନ୍‌ରେ ଅଟକି ରହିଥିବା ଏକ ମାଲବାହୀ ଟ୍ରେନ୍‌କୁ ରାତି ପ୍ରାୟ ୯.୪୫ରେ ପରୀକ୍ଷାମୂଳକ ଭାବେ ଅତିକ୍ରମ କରାଯିବା ପରେ ପୁରୀ-ପାଟଣା ଯାତ୍ରୀବାହୀ ଟ୍ରେନ୍‌କୁ ମଧ୍ୟ ସେହି ଲାଇନ୍‌ରେ ଛଡାଯାଇଛି।

ଟ୍ରେନ ଖଣ୍ଡଖଣ୍ଡ, ଷ୍ଟେସନ ଗୁଣ୍ଡ

ଯାଜପୁର ଜିଲ୍ଲାର କୋରେଇ ରେଳଷ୍ଟେସନରେ ସକାଳୁ ସକାଳୁ  ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ପରେ ଦେଖିବାକୁ ମିଳିଛି ଭୟଙ୍କର ଚିତ୍ର। ଟ୍ରେନ୍‌ର ବଗିଗୁଡ଼ିକ ଖଣ୍ଡଖଣ୍ଡ ହୋଇ ଏଣେତେଣେ ପଡ଼ିଥିବା ବେଳେ ରେଳଷ୍ଟେସନ୍‌ ଧ୍ବସ୍ତବିଧ୍ବସ୍ତ ହୋଇଛି। ମାତ୍ର କେଇ ମିନିଟ୍‌ର ଏହି ଛାତିଥରା ଦୁର୍ଘଟଣା ୩ଜଣଙ୍କ ଜୀବନ ନେଇଛି। ଏହାପରେ ଉଦ୍ଧାର କାର୍ଯ୍ୟ ସାଂଗକୁ ଦୁର୍ଘଟଣାର କାରଣ ଖୋଜା ଚାଲିଛି।

ପତ୍ନୀ ଆଖିବୁଜିଲେ, ଶଯ୍ୟାଶାୟୀ ପତି ଆଖିରେ ଲୁହର ବନ୍ୟା

ଦୁଇପୁଅ ବାହାରେ। ମୁଣ୍ଡ ଉପରେ ସାନଝିଅର ବାହାଘର। ସେକ୍ ମଇଉଦ୍ଦିନ୍ ବହୁଦିନ ହେଲା ଅସୁସ୍ଥ। ଘର ଚଳାଉଥିବା ତାଙ୍କ ପତ୍ନୀ ଅବଜୁନ ବିବି ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ। ତାଙ୍କ ଆକସ୍ମିକ ଦୁର୍ଘଟଣା ଖବର ପାଇ ଶଯ୍ୟାଶାୟୀ ମଇଉଦ୍ଦିନଙ୍କ ଆଖି ବୋଲ ମାନୁନି। ଛୁଆଙ୍କ ଭଳି କଇଁକଇଁ ହୋଇ କାନ୍ଦି ଚାଲିଛନ୍ତି। ତାଙ୍କ ସେବା ଓ ଝିଅର ବାହାଘର ହେବ କିପରି? କରିବ କିଏ? ସତେ ଯେପରି ଆଲ୍ଲା ତାଙ୍କ ଉପରେ ଦୁଃଖ ପରେ ଦୁଃଖର ପାହାଡ଼ ଲଦି ଦେଇଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ମଇଉଦ୍ଦିନ୍।

ସମ୍ବନ୍ଧିତ ଖବର