ଜଗତସିଂହପୁର : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏକ କୋଇଲା ବୋଝେଇ ଟ୍ରକ୍ର ଭୁଲ୍ ଯୋଗୁଁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଏଥିରେ କାହାରି କିଛି କ୍ଷତି ହୋଇନଥିଲେ ମଧ୍ୟ ରେଳ ଧାରଣା ଉପରେ ଟ୍ରକ୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଟ୍ରକ୍ ଚାଳକ ଜଣକ ଡେଇଁ ପଡ଼ି ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।
ଆଜି ବନ୍ଦର ପରିସରରେ କୋଇଲା ବୋଝେଇ ଟ୍ରକ୍ ଯିବା ରାସ୍ତାଟି ଜାମ୍ ରହିଥିଲା। ଏହି ସମୟରେ ଏକ କୋଇଲା ବୋଝେଇ ଟ୍ରକ୍(ଓଡି୨୯ଜି ୭୯୨୮)ସୁବିଧାରେ ପଳାଇବା ପାଇଁ ଭୁଲ ରାସ୍ତାରେ ରେଳଲାଇନ ଉପର ଦେଇ ଯିବାବେଳେ ରେଳ ଧାରଣାରେ ଫସି ଯାଇଥିଲା। ବର୍ଷା ଲାଗି ରହିଥିବାରୁ ରେଳଧାରଣାରେ ଥିବା କାଦୁଅରେ ଟ୍ରକ୍ ଚକାଟି ଗଳିପଡ଼ି ଉଠିନଥିଲା। ଏହି ସମୟରେ ବନ୍ଦର ଫାଟକ–୧ରେ ଥିବା ରେଳଲାଇନ ଉପରେ ମାଲ୍ ଖଲାସ କରି ଏକ ୱାଗନ ପଛେଇ ପଛେଇ ଆସୁଥିଲା। ସେଥିରେ କୌଣସି ସିଗନାଲ୍ମ୍ୟାନ ନଥିବାରୁ ଟ୍ରେନ୍ ଚାଳକ ଜଣକ ମଧ୍ୟ କିଛି ଜାଣି ପାରିନଥିଲେ। ଏଣୁ ରେଳଲାଇନରେ ଫସି ରହିଥିବା ଟ୍ରକ୍ ଉପରେ ୱାଗନ୍ ଚଢ଼ିଯାଇ କିଛି ବାଟ ଘୋଷାଡ଼ି ନେଇଥିଲା। ପରେ ବିଭାଗୀୟ କର୍ମଚାରୀମାନେ ପହଞ୍ଚି କ୍ରେନ୍ ଜରିଆରେ ରେଳଧାରଣା ସଫା କରିବା ବ୍ୟବସ୍ଥା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/paradeep.jpg)