୨୦୨୨-୨୩ ରେଳ ବଜେଟ୍: ରାୟଗଡ଼ା ଡିଭିଜନ ପାଇଁ ମିଳିଲା ୪୦ ଲକ୍ଷ

ନୂଆପଡା-ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ୧୦ କୋଟି ଅନୁଦାନ, ଜୟପୁର-ନବରଙ୍ଗପୁର ରେଳପଥକୁ ୮୧ କୋଟି, ଜୟପୁର-ମାଲକାନଗିରି ପ୍ରକଳ୍ପକୁ ମିଳିଲା ୧୩ କୋଟି

ରାୟଗଡ଼ା: ୨୦୨୨-୨୩ ରେଳ ବଜେଟରେ ରାୟଗଡ଼ା ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଗୁଣପୁର-ଥେରୁବାଲି ନୂଆ ରେଳପଥ ପ୍ରକଳ୍ପ ପାଇଁ ୧୦ କୋଟିର ଅନୁଦାନ ଘୋଷଣା ହୋଇଛି। ପୂର୍ବରୁ ୨୦୧୭-୧୮ ବଜେଟରେ ୯୩୫ କୋଟି ଅନୁଦାନ ଏହି ରେଳପଥକୁ ମିଳିଥିଲା। ଗୁଣପୁରରୁ ଥେରୁବାଲିକୁ ସଂପ୍ରସାରିତ ହେବାକୁ ଥିବା ନୂତନ ପ୍ରକଳ୍ପ ଲାଗି ସର୍ଭେ ଶେଷ ହୋଇଥିବା ବେଳେ ଜମି ଅଧିଗ୍ରହଣ ବାକି ରହିଛି। ଜମି ଅଧିଗ୍ରହଣ ତ୍ବରାନ୍ବିତ ହେବା ପରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ବୋଲି ରେଳ ବିଭାଗ ସୂଚନା ଦେଇଛି। ସେହିପରି ନୂତନ ଭାବେ ଗଠିତ ରାୟଗଡ଼ା ରେଳ ଡିଭିଜନ ନିମନ୍ତେ ବଜେଟ୍‌ରେ ୪୦ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।
୧୯୭୨ ମସିହାରେ ନୌପଦା-ଗୁଣପୁର ରେଳ ଲାଇନକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ସର୍ଭେ ଆରମ୍ଭ ହୋଇଥିଲା।

୨୦୧୪ରେ ସର୍ଭେ ଶେଷ ହେବାପରେ ୭୯ କିମି ବିଶିଷ୍ଟ ଏହି ରେଳପଥ ଲାଗି ପ୍ରଥମଥର ପାଇଁ ୨୦୧୭-୧୮ ରେଳ ବଜେଟ୍‌ରେ ୯୩୫ କୋଟିର ଅନୁଦାନ ମିଳିଥିଲା। ଘୋଷଣା ପରେ ରେଟ୍ ଅଫ୍ ରିଟର୍ଣ୍ଣିଂ କମ୍ ଥିବା ଦର୍ଶାଇ ରେଳ ବିଭାଗ ୨୦୧୮-୧୯ ବଜେଟରେ ଟଙ୍କାଟିଏ ଅନୁଦାନ ପ୍ରଦାନ କରିନଥିଲା। ସେହିପରି ୨୦୨୦-୨୧ ବଜେଟରେ ୧ ଲକ୍ଷ, ୨୦୨୧-୨୨ ବଜେଟରେ ୧ ଲକ୍ଷ ଅନୁଦାନ ମିଳିଥିଲା। ଚଳିତ ବଜେଟ୍ ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଆସିଥିବା ସମୟରେ ଦଳମତ ନିର୍ବିଶେଷରେ ବିଭିନ୍ନ ସଂଗଠନ ପକ୍ଷରୁ ଗୁଣପୁର-ଥେରୁବାଲି ରେଳପଥର ନିର୍ମାଣ ଲାଗି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଫଳରେ ଗତ ୩ ରେଳ ବଜେଟରେ ଅବହେଳିତ ହୋଇଥିବା ଏହି ରେଳପଥ ଲାଗି ଚଳିତ ବଜେଟରେ ସରକାର ୧୦ କୋଟିର ଅନୁଦାନ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ରେଳପଥକୁ ପଦ୍ମପୁର ଦେଇ ସଂଯୋଗ କରିବାକୁ ଦାବି ଉଠୁଥିବାରୁ ପୁଣି ୨୦ କିମ୍ବା ୩୦ କିମିର ସର୍ଭେ କରିବାକୁ ରେଲୱେ ବୋର୍ଡ ବିଚାର କରୁଛି।

ସେହିପରି ଜୟପୁର-ମାଲକାନଗିରି (୧୩୦ କିମି) ରେଳପଥ ପାଇଁ ବଜେଟ୍‌ରେ ୧୩ କୋଟି ୮୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ୨୦୧୬ ରେଳ ବଜେଟ୍‌ରେ ଅନୁମୋଦିତ ଏହି ପ୍ରକଳ୍ପ ଗତ ଦୁଇ ରେଳ ବଜେଟରେ ୬୦ କୋଟିର ଅନୁଦାନ ପାଇଥିଲା। ସେହିପରି ଜୟପୁର-ନବରଙ୍ଗପୁର (୩୮ କିମି) ରେଳପଥ ନିମନ୍ତେ ଗତ ଦୁଇ ରେଳ ବଜେଟରେ ୩୫.୧୦ କୋଟି ଅନୁଦାନ ମିଳିଥିବା ବେଳେ ଚଳିତ ବର୍ଷ ୮୧ କୋଟିର ଅନୁଦାନ ମିଳିଛି। କିନ୍ତୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇପାରୁନଥିବାରୁ ଉଭୟ ରେଳପଥର ଅଗ୍ରଗତି ହୋଇପାରୁନି। ଅନ୍ୟପକ୍ଷରେ ରାୟଗଡ଼ା ରେଳ ଡିଭିଜନ୍ ପାଇଁ ବଜେଟରେ ୪୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା ଘୋଷଣା ହୋଇଛି। ପରବର୍ତ୍ତୀ ସମୟରେ ଏହି ଅନୁଦାନ କେଉଁ ବାବଦରେ ଖର୍ଚ୍ଚ ହେବ ତାହା ସ୍ପଷ୍ଟ ହେବ। ୨୦୧୯ ମସିହାରେ ନୂଆ ଡିଭିଜନର ମାନ୍ୟତା ପାଇଥିବା ରାୟଗଡ଼ା ଡିଭିଜନ୍ ପାଇଁ ୧୭୦ କୋଟିର ଡିପିଆର ଦାଖଲ ହୋଇଥିବା ବେଳେ ଗତ ୩ ରେଳ ବଜେଟରେ ମାତ୍ର ୩ କୋଟି ୪୦ ଲକ୍ଷ ଅନୁଦାନ ମିଳିଥିଲା। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ସେହିପରି ସର୍ଭେ ସରିଥିବା ରାୟଗଡ଼ା-ଗୋପାଳପୁର, ଗୁଣପୁର-ଗୁମୁଡ଼ା (ପାର୍ବତୀପୁର), ଜୁନାଗଡା-ଜୟପୁର, ଜୁନାଗଡ-ଶିକରପାଇ, ମାଲକାନଗିରି-ଦାନ୍ତେୱାଡା, କଣ୍ଟାବାଞ୍ଜି-ରାଜଖରିଆର-ଆମପାଣି, ମାଲକାନଗିରି-ଭଦ୍ରାଞ୍ଚଳମ ରେଳପଥ ପାଇଁ ବଜେଟରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧିତ ଖବର