ଭଦ୍ରକରେ ରେଳରୋକ: ମେମୁ ଟ୍ରେନକୁ ପୂର୍ବ ଭଳି ଭଦ୍ରକ ଷ୍ଟେସନରୁ ଛାଡ଼ିବା ଲାଗି ଦାବି

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ସ୍ଥାନୀୟ ଲୋକେ ଘଣ୍ଟିକିଆ ରେଳରୋକ କରିଥିବାର ଖବର ମିଳିଛି। ଭଦ୍ରକ-କଟକ ମେମୁ (୦୮୪୩୭/୩୮) ବା ପାସେଞ୍ଜର ‌ ଟ୍ରେନକୁ ପୂର୍ବ ଭଳି ଭଦ୍ରକ ଷ୍ଟେସନରୁ ଛାଡ଼ିବା ଲାଗି ଦାବି କରି ଲହି ରେଳରୋକ କରାଯାଇଥିବା ଜଣାଯାଇଛି। ପୂର୍ବତନ ବିଧାୟକ ନରେନ୍ଦ୍ର ପଲେଇଙ୍କ ନେତୃତ୍ବରେ ଶତାଧିକ ଲୋକ ଏହି ରେଳରୋକ କରୁଛନ୍ତି। ଭଦ୍ରକ-କଟକ ମେମୁ (୦୮୪୩୭/୩୮) (ପାସେଞ୍ଜର ଟ୍ରେନ୍) ଭଦ୍ରକରୁ ନ ଛାଡ଼ିବା ଫଳରେ ବହୁ ଡେଲି ଯାତ୍ରୀ ହଇରାଣ ହରକତ ହେଉଛନ୍ତି।ବାଲେଶ୍ଵର ପରିବର୍ତ୍ତେ ପୂର୍ବରୁ ଯେପରି ଏହି ମେମୁ ଟ୍ରେନଟି ଆଗରୁ ଭଦ୍ରକରୁ ଛାଡୁଥିଲା ସେପରି ଛାଡିବାକୁ ଦାବି ହୋଇଛି। ରେଳବାଇ କର୍ତ୍ତୃପକ୍ଷଙ୍କ ଵୈମାତୃକ ମନୋଭାବ ଯୋଗୁଁ ଭଦ୍ରକ ଜିଲ୍ଲାଵାସୀ ମେମୁ ଟ୍ରେନରେ ସିଟ୍ ପାଇ ପାରୁନାହାନ୍ତି। ଆଜି ଦଳମତ ନିର୍ବିଶେଷରେ ଜନସାଧାରଣ ଵହୁ ସଂଖ୍ୟାରେ ଯୋଗ ଦେଇ ଆନ୍ଦୋଳନକୁ ସଫଳ କରାଇଥିବାରୁ ନରେନ ପଲେଇଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସ୍ଥାନୀୟ ଲୋକେ। ଯଦି ଦାବି ପୂରଣ ନ ହୁଏ, ତେବେ ଆସନ୍ତା ମାସ ୬ତାରିଖ ସକାଳ ୬ଟା ବେଳେ ପୁଣି ମେମୁ ଟ୍ରେନରୋକ କରାଯିବ ବୋଲି ନରେନ ପଲେଇ କହିଛନ୍ତି।

କରୋନା ସଂକ୍ରମଣ କମିଛି, କଟକଣା ମଧ୍ୟ କୋହଳ ହୋଇଛି। ସ୍କୁଲ, କଲେଜ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ଧର୍ମାନୁଷ୍ଠାନ ଖୋଲିବା ସହିତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଛି। କିନ୍ତୁ ଲୋକମାନଙ୍କ ଜୀବନରେଖା କୁହାଯାଉଥିବା ଟ୍ରେନ୍ ଚଳାଚଳ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରି ନାହିଁ। ସବୁ ଜାଗାରୁ କରୋନା ପ୍ରଭାବ ହଟିବା ପରି ଦେଖାଯାଉଛି, କିନ୍ତୁ ରେଳ ଚଳାଚଳ ଏବେ ମଧ୍ୟ ମହାମାରୀ ପ୍ରଭାବରେ ରହିଥିବା ଭଳି ମନେହେଉଛି। କଟକ ଷ୍ଟେସନ୍ ଦେଇ ଯାତାୟତ କରୁଥିବା ଅଧିକାଂଶ ଏକ୍ସପ୍ରେସ୍ ଟ୍ରେନ୍‌କୁ ସ୍ପେଶାଲ ଟ୍ରେନ୍ ଭାବେ ଚଳାଯାଉଥିବା ବେଳେ ପାସେଞ୍ଜର ଟ୍ରେନ୍ କଥା ନ କହିଲେ ଭଲ। କଟକ ଭୁବନେଶ୍ବର ସହର ଦେଇ ଯା ଆସ କରୁଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ , ହଜାର ହଜାର ଲୋକ ନିର୍ଭର କରୁଥିବା ଭଦ୍ରକ-କଟକ ମେମୁ (୦୮୪୩୭/୩୮) (ପାସେଞ୍ଜର ଟ୍ରେନ୍) ପ୍ରାୟ ଦୁଇ ବର୍ଷ ହେଲା ବନ୍ଦ ରହିଛି କରୋନା ସଂକ୍ରମଣ ୨୦୨୦ ମାର୍ଚ୍ଚରୁ ଏହାର ପ୍ରଭାବ ଦେଖାଇବା ସମୟରୁ ଏହି ପାସେଞ୍ଜର ଟ୍ରେନ୍ ବନ୍ଦ ରହିଛି। ଏହି ପାସେଞ୍ଜର ଟ୍ରେନରେ ମାତ୍ର ୧୦ ଟଙ୍କା ଦେଇ ଜଣେ କଟକରୁ ଭୁ‌ବନେଶ୍ବର ଯାଇ ପାରୁଥିଲେ।

ସମ୍ବନ୍ଧିତ ଖବର