କୃଷିବୀମା ରାଶି ପ୍ରଦାନ ଦାବିରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ରେଳରୋକ

ପାଟଣାଗଡ଼: ୨୦୨୧ ଖରିଫ ଋତୁରେ ଭୟାବହ ମରୁଡ଼ି ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ  ବଲାଙ୍ଗୀର ଜିଲ୍ଲାର ୮୦ ଗ୍ରାମପଞ୍ଚାୟତକୁ ବଞ୍ଚିତ ରଖା ଯାଇଥିବା ପ୍ରତିବାଦରେ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯାଉଥିବା ଜଣାପଡ଼ିଛି। ଜିଲ୍ଲାର ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼ ଉପଖଣ୍ଡରେ ଥିବା ହରିଶଙ୍କର ରୋଡ ତଥା ଲାଠୋର ରେଳ ଷ୍ଟେସନରେ ରେଳରୋକ କରାଯାଉଥିବା ଜଣାପଡିଛି।

ସକାଳୁ ଲାଠୋରସ୍ଥିତ ହରିଶଙ୍କର ରେଳ ଷ୍ଟେସନରେ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଗ୍ରାମର ଚାଷୀମାନେ ଏକତ୍ରିତ ହୋଇଥିଲେ। ସେଠାରେ ରେଳରୋକ କରିଥିବା ଜଣାପଡିଛି। ଏହି ସମୟରେ ଏକ ମାଲଗାଡିକୁ ଅଟକ ରଖା ଯାଇଥିବା ଜଣାପଡିଛି। ଚାଷୀମାନଙ୍କ ଦାବି ଅନୁଯାୟୀ, ୨୦୨୧ ଖରିଫ ଋତୁରେ କୃଷିବୀମା ରାଶି ତୁରନ୍ତ ପ୍ରଦାନ କରିବା, ବଲାଙ୍ଗୀର ଜିଲ୍ଲା ଚିର ମରୁଡ଼ିପ୍ରପୀଡିତ ଜିଲ୍ଲା ହୋଇଥିବା ଜାଣି ବି ଏଥିପ୍ରତି ବିଶେଷ ଧ୍ଯନ ଦିଆ ଯାଉ ନାହିଁ। ଜିଲ୍ଲାରେ ଭୟାବହ ମରୁଡି ହୋଇଥିବା ବେଳେ ଜିଲ୍ଲାକୁ ମରୁଡି ଘୋଷଣା କରାଯାଇ ନ ଥିବା, ୩୩ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯିବା, ଦେଓଗାଁ ଚିନିକଳକୁ କାର୍ଯ୍ୟକ୍ଷମ କରିବା, ବଲାଙ୍ଗୀରରେ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା, ପଞ୍ଜିକରଣ ବ୍ଯବସ୍ଥାରେ ସୁଧାର ଆଣିବା, ଧାନ ସଂଗ୍ରହ ସମୟରେ ଏକର ପିଛା ୧୩ କ୍ବିଣ୍ଟାଲ ବଦଳର ୨୨ କ୍ବିଣ୍ଟାଲ କରାଯିବା ଆଦି ଦାବି କରିଥିବା ଜଣାପଡିଛି।

ଏଠାରେ ପ୍ରକାଶ ଥାଉ କି, ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଗତ ୧୬ ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଥିଲା। ହେଲେ ବୀମା ରାଶି ନ ମିଳିବାରୁ ବାଧ୍ଯ ହୋଇ ରେଳରୋକ କରାଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର