ବେଙ୍ଗାଲୁରୁ-ଉତ୍ତର ପୂର୍ବ ଭାରତ ମଧ୍ୟରେ ପାର୍ସଲ ଏକ୍ସପ୍ରେସ

ଭୁବନେଶ୍ୱର : ଦେଶରେ ତାଲାବନ୍ଦ ସତ୍ତ୍ୱେ ରେଳ ମନ୍ତ୍ରଣାଳୟ ସାରା ଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ବାଧାହୀନ ଭାବେ ଯୋଗାଇ ଦେଉଛି। ଔଷଧ, ଖାଦ୍ୟଶସ୍ୟ, ସାର, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ ଓ ପନିପରିବା, ଦୁଗ୍ଧ, ଜାଳେଣୀ ତୈଳ, ଚିନି ଓ ଲୁଣ ଇତ୍ୟାଦି ନିୟମିତ ଭାବେ ପରିବହନ ଜାରି ରଖିଛି। ଏଥିପାଇଁ ଏକ ପାର୍ସଲ୍ ଏକ୍ସପ୍ରେସ୍ ଟ୍ରେନ୍ ଅସାମର ଦିମାପୁର ରେଳ ଷ୍ଟେସନ୍‌ରୁ ପୂର୍ବତଟ ରେଳପଥ ପରିସୀମା ଦେଇ କର୍ଣ୍ଣାଟକର ଯଶବନ୍ତପୁର ମଧ୍ୟରେ ଚଳାଚଳ କରିବ।

ଏହି ଟ୍ରେନ୍ ୧୧ ଏପ୍ରିଲ୍ ସଂଧ୍ୟା ୬ଟାରେ ଯଶବନ୍ତପୁରରୁ ଛାଡ଼ି ଦିମାପୁରଠାରେ ୧୪ଏପ୍ରିଲ୍ ସକାଳ ୮ଟା ୪୦ ମିନିଟ୍‌ରେ ପହଞ୍ଚିବ। ଫେରିବା ରାସ୍ତାରେ ଏହି ଟ୍ରେନ୍ ଦିମାପୁରରୁ ୧୪ଏପ୍ରିଲ୍ ରାତି ୯ଟାରେ ଛାଡ଼ି ୧୭ ଏପ୍ରିଲ୍ ଅପରାହ୍‌ଣ ୨ଟାରେ ଯଶବନ୍ତପୁରଠାରେ ପହଞ୍ଚିବ। ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମାର ବିଶାଖାପାଟଣା, ଖୋର୍ଦ୍ଧାରୋଡ୍‌, ଭୁବନେଶ୍ୱର, ଯଶବନ୍ତପୁର ଓ ଦିମାପୁର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ଗୁଡ଼ିକରେ ରହିବ।

ଯେଉଁମାନେ ଏହି ପାର୍ସଲ୍‌ ଟ୍ରେନ୍‌ରେ ପାର୍ସଲ୍ ବୁକ୍ କରିବାକୁ ଚାହୁଁଛନ୍ତି, ସେମାନେ ସମ୍ବଲପୁର – ସମ୍ବିତ ନାୟକ (୮୪୫୫୮୮୬୯୫୦), ଖୋର୍ଦ୍ଧାରୋଡ୍‌- ପି.କେ ସାମଲ (୮୪୫୫୮୮୭୯୫୦), ୱାଲଟିୟର – ସୁନୀଲ କୁମାର (୮୯୭୮୦୮୦୯୫୦) ଏହି ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକଙ୍କ ସମେତ ଭୁବନେଶ୍ୱରର ଉପମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ ଏଚ୍‌.ଏଲ୍‌ ଲୁହାଙ୍ଗ(୮୪୫୫୮୮୫୯୫୫)ଙ୍କ ସହ ଯୋଗାଯୋଗ କରିପାରିବେ। ଏହାବ୍ୟତୀତ ପୂର୍ବତଟ ରେଳପଥ ବିଶାଖାପାଟଣାରୁ ସମ୍ବଲପୁର ଭାୟା ରାୟଗଡ଼ା ଓ ବିଶାଖାପାଟଣାରୁ କଟକ ପର୍ଯ୍ୟନ୍ତ ଦୁଇଟି ପାର୍ସଲ୍‌ ଟ୍ରେନ୍ ଚଳାଚଳ କରୁଛି। ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଦୁଗ୍ଧ ପାଉଡର୍‌, ଲୁଣ ଇତ୍ୟାଦି ବହନ କରି ବହୁ ପାର୍ସଲ ଏକ୍ସପ୍ରେସ୍ ଟ୍ରେନ୍ ଦକ୍ଷିଣ ଭାରତରୁ ହାୱଡ଼ା ଓ ଦେଶର ଉତ୍ତରପୂର୍ବ ଅଞ୍ଚଳକୁ ଯାତାୟାତ କରୁଛି। ସାମାଜିକ ଦୂରତ୍ୱ ରକ୍ଷା ସହ ଅନ୍ୟାନ୍ୟ ସମସ୍ତ ସାବଧାନତାକୁ ନିଶ୍ଚିତ କରି ଏହି କର୍ମଚାରୀମାନେ ବିଭିନ୍ନ ଷ୍ଟେସନ୍‌ର ଗୁଡ଼ସ୍ ସେଡ଼୍ ଓ ପାର୍ସଲ୍‌ ସେବାରେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର