ରେଳ ବଜେଟ୍‌: ଆଶା ରହିଥିଲା, ମିଳିଲାନି; ଉତ୍ତରଓଡ଼ିଶାକୁ ଲଲିପପ୍‌ ଧରାଇଲେ ଅଶ୍ୱିନୀ

ପୂରଣ ହେଲାନି ରେଳ ଡିଭିଜନ ଦାବି
ମୟୂରଭଞ୍ଜରେ ରେଳ ବିକାଶ ସ୍ବପ୍ନ ଏଥର ବି ଅଧୁରା
ଭଦ୍ରକ-ଧାମରା ଟ୍ରାକ୍‌ରେ ଏବେ ଗଡ଼ିବନି ପାସେଞ୍ଜର ଟ୍ରେନ୍

ବାଲେଶ୍ବର : ଗୋଟିଏ ସମୟରେ ବାଲେଶ୍ବର ଜିଲ୍ଲାପାଳ ଥିଲେ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଓଡ଼ିଶାକୁ ରେକର୍ଡ ପରିମାଣର ପାଣ୍ଠି ପ୍ରଦାନ କରିଥିଲେ ବି କାହାକୁ କେଞ୍ଚାଏ ତ କାହାକୁ ମେଞ୍ଚାଏ ନୀତିରେ ପାଣ୍ଠି ଅଜାଡ଼ି ଦେଇଥିବା ବେଳେ ଉତ୍ତର ଓଡ଼ିଶାକୁ ସମ୍ପୂର୍ଣ୍ଣ ଭୁଲିଗଲେ ଶ୍ରୀ ବୈଷ୍ଣବ। ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଲାଣି। ଓଡ଼ିଶାରେ ଯେଉଁଠି ପ୍ରଥମେ ରେଳପଥ ତିଆରି ହୋଇଥିଲା ସେହି ମୟୂରଭଞ୍ଜ ମାଟିରେ ଏବେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ କୁଶପୁତ୍ତଳିକା ଦାହ ଯାଏ କଥା ଗଲାଣି। ଏମିତିକି ଭଞ୍ଜ ସେନା ମଧ୍ୟ ଆସନ୍ତା ୧୧ ତାରିଖ‌ରେ ରେଳରୋକ କରିବା ପାଇଁ ଚେତାବନୀ ଦେଇଛି।

ଚଳିତ ବଜେଟ୍‌ରେ ରାଜ୍ୟର ୭ଟି ନୂଆ ରେଳ ଲାଇନ୍ ପାଇଁ ମୋଟ୍ ୧୮୦୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯେଉଁଥିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ଦିଆଯାଇଛି। କିନ୍ତୁ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ କୌଣସି ଗୋଟିଏ ନୂତନ ରେଳ ଲାଇନ୍‌କୁ ମଞ୍ଜୁରି ମିଳିନି। ଭଦ୍ରକ-କେନ୍ଦୁଝର ମଧ୍ୟରେ ଟ୍ରେନ୍‌ ଚଳାଚଳ, ଯାଜପୁର ବିରଜାକ୍ଷେତ୍ରରୁ ଭଦ୍ରକ-ଆରଡି ଦେଇ ଧାମରାକୁ ନୂତନ ରେଳ ସଂଯୋଗ, ଧାମରା-ଭଦ୍ରକ୍‌ ରୁଟ୍‌ରେ ପାସେଞ୍ଜର ଟ୍ରେନ୍ ଚଳାଚଳ, ବାଉତିପୁର-ଚରମ୍ପା ଷ୍ଟେସନ୍‌ ମଝିରେ ସାଳନ୍ଦୀ ପାସେଞ୍ଜର ହଲ୍‌ଟ ଏବଂ ମଞ୍ଜୁରୀରୋଡ୍ ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ବଜେଟ୍‌ରେ କିଛି ନାହିଁ। କେବଳ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍ ପାଇଁ ୩୫୧ କୋଟି ମଞ୍ଜୁର ହୋଇଛି। ହେଲେ ଏହି ପ୍ରକଳ୍ପ ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ବିଶେଷ ମହତ୍ବ ରଖୁନି। ସେହିପରି ଭଦ୍ରକର ସମସ୍ତ ଷ୍ଟେସନ୍‌କୁ ପୂର୍ବତଟ (ଇଷ୍ଟ୍‌କୋଷ୍ଟ) ରେଳବାଇରେ ସାମିଲ ଦାବିକୁ ଅଣଦେଖା କରି ପୂର୍ବ ଭଳି ଏହାକୁ ଦକ୍ଷିଣ-ପୂର୍ବ ରେଳବାଇ ଅଧୀନରେ ରଖିବା ସମସ୍ତଙ୍କୁ ନିରାଶ କରିଛି।

India Rail Info

ସେହିପରି ବହୁ ପ୍ରତୀକ୍ଷିତ ବାଲେଶ୍ବର ରେଳ ଡିଭିଜନ୍‌ ମାନ୍ୟତା ଦାବି ମଧ୍ୟ ଏଥର ପୂରଣ ହେଲାନି। ପୂର୍ବପରି ଏହାକୁ ଖଡଗପୁର୍‌ ଡିଭିଜନ ଅଧୀନରେ ରଖାଯାଇଛି। ବାଲେଶ୍ବର ରେଳ ଡିଭିଜନ୍‌ ମାନ୍ୟତା ପାଇଥିଲେ ଏହି ପ୍ରାନ୍ତରେ ରେଳସେବା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ତ୍ବରିତ ସମାଧାନ ହେବା ସହ ରେଳସେବା ସୁଗମ ହୋଇ ପାରିଥାନ୍ତା। କିନ୍ତୁ ଏହାକୁ ଅଣଦେଖା କରାଗଲା। ସେମିତି ଦୀଘା-ଜଳେଶ୍ବର ରେଳ ସଂଯୋଗ ଦାବି ଉତ୍ତର ବାଲେଶ୍ବରର ବିକାଶ ପାଇଁ ଅନେକ ଗୁରୁତ୍ବ ରଖୁଛି। ଏହି ନୂତନ ରେଳ ଲାଇନ୍‌କୁ ମଞ୍ଜୁରି ମିଳିଥିଲେ ରାଜ୍ୟର ସବୁଠାରୁ ବଡ଼ ବ୍ଲକ୍ ଭୋଗରାଇକୁ ରେଳ ସଂଯୋଗ ସ୍ବପ୍ନ ସାକାର ହୋଇଥାନ୍ତା। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହ ସୀମା ବିବାଦ ଭିତରେ ଛନ୍ଦି ହୋଇଥିବା ଏହି ବ୍ଲକ୍‌କୁ ରେଳ ସଂଯୋଗ ହେଲେ ପର୍ଯ୍ୟଟନ ଶିଳ୍ପର ମଧ୍ୟ ଢ଼େର ଉନ୍ନତି ହୋଇପାରିବ। ଅଥଚ ବଜେଟ୍‌ରେ ଏହାକୁ ଆଦୌ ଗୁରୁତ୍ବ ଦିଆଯାଇନାହିଁ। ଫଳରେ ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ୫୦ଟି ପଞ୍ଚାୟତର ଦେଢ଼ ଲକ୍ଷରୁ ଅଧିକ ଲୋକ ଟ୍ରେନ୍ ଧରିବା ପାଇଁ ଜଳେଶ୍ବର ଆସିବାକୁ ବାଧ୍ୟ ହେବେ। ଅନୁରୂପ ଭାବେ ନୀଳଗିରି ରେଳ ଲାଇନ୍‌କୁ ଔପଦା ଓ ଖଇରା ବ୍ଲକ୍‌ ଦେଇ କେନ୍ଦୁଝର ଜିଲ୍ଲା ସହ ଯୋଡ଼ିବା ଦାବିକୁ ଅଣଦେଖା କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପୁଳାପୁଳା ଦାବିରୁ ଏଥର ଗୋଟିଏ ମଧ୍ୟ ରେଳ ବଜେଟ୍‌ରେ ପୂରଣ କରାଗଲାନାହିଁ। କପ୍ତିପଦା ଉପଖଣ୍ଡରୁ ବାରିପଦା କିମ୍ବା ନୀଳଗିରିରୁ ନୂତନ ରେଳ ସଂଯୋଗ, ବାଙ୍ଗିରିପୋଷି-ଗୋରୁମହିଷାଣୀ-ଟାଟା, ବୁଡ଼ାମରା-ଚାକୁଳିଆ ନୂତନ ରେଳ ସଂଯୋଗ, ବାଙ୍ଗିରିପୋଷିରୁ କୋରାପୁଟ ଯାଏ ଦୈନିକ ଟ୍ରେନ୍ ଚଳାଚଳ ଦାବି ପୁଣି ଦାବିରେ ହିଁ ରହିଗଲା। ବାଙ୍ଗିରିପୋଷି-ଟାଟା ରେଳ ସଂଯୋଗ ହେଲେ ରାଇରଙ୍ଗପୁର ଓ ପାଞ୍ଚପୀଢ଼ ଉପଖଣ୍ଡ ବିକାଶରେ ଡେଣା ଲାଗନ୍ତା। ସେହିପରି ବୁଡ଼ାମରାରୁ ଝାଡ଼ଖଣ୍ଡର ଚାକୁଳିଆକୁ ରେଳ ସଂଯୋଗ ଏକ ମାଇଲ୍‌ଖୁଣ୍ଟ ହୋଇଥାନ୍ତା। ବାଙ୍ଗରିପୋଷି-ଅନ୍ୟପକ୍ଷରେ, ରୁପ୍‌ସା ରେଳପଥ ପାଇଁ ୧ କୋଟି ଓ ବୁଡ଼ାମରା-ଚାକୁଳିଆ ରେଳ ଲାଇନ୍ ସର୍ଭେ ପାଇଁ ଅଳ୍ପ କିଛି ଅନୁଦାନ ଘୋଷଣା କରି ରେଳ ମନ୍ତ୍ରଣାଳୟ ମୟୂରଭଞ୍ଜବାସୀଙ୍କ ପାଇଁ କଟା ଘାରେ ଚୂନ ମାରିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର