ରେଳ ବଜେଟରେ ଓଡ଼ିଶାକୁ ୫୨୫୨ କୋଟି

ଟାର୍ଗେଟରେ ପୁରୁଣା ପ୍ରକଳ୍ପ, ୨.୯% ଅଧିକ ଟଙ୍କା ବରାଦ

ଭୁବନେଶ୍ୱର: ଶେଷ ମୁହୂର୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ରେଳବାଇ କ୍ଷେତ୍ରରେ ୬୫୦୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ପାଇଁ ଦାବି ରଖିଥିଲେ। ଆଶା କରାଯାଉଥିଲା, ଆଗୁଆ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି। ହେଲେ ରେଳ ବଜେଟ୍‌ ବ୍ୟୟବରାଦ ସଂପର୍କରେ ମନ୍ତ୍ରାଳୟ ଆଜି ଯେଉଁ ତଥ୍ୟ ଦେଇଛନ୍ତି, ସେଥିରେ ଅଧିକ ଅର୍ଥ ବରାଦ ହୋଇଥିଲେ ହେଁ, ଅନ୍ୟ କୌଣସି କ୍ଷେତ୍ରରେ ସେଭଳି ଆଖିଦୃଶିଆ ଘୋଷଣା କରାଯାଇନାହିଁ। କେନ୍ଦ୍ର ସରକାର ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଶେଷ କରିବା ଲକ୍ଷ୍ୟରେ ଓଡ଼ିଶା ପାଇଁ ଗତବର୍ଷ ତୁଳନାରେ ମାତ୍ର ୨.୯% ଅଧିକ ଅର୍ଥ ବରାଦ କରିଛନ୍ତି। ରେଳ ମନ୍ତ୍ରାଳୟ ଆଜି ଟ୍ଵିଟ୍‌ କରି ଜଣାଇଛି ଯେ ଏଥର ଓଡ଼ିଶାକୁ ୫ହଜାର ୨୫୨ କୋଟି ଟଙ୍କା ମିଳିବ। ରେଳ ବିଭାଗ ଦାବି କରିଛି ଯେ ୨୦୦୯-୧୦ ଆର୍ଥିକ ବର୍ଷ ତୁଳନାରେ ରେଳବାଇ କ୍ଷେତ୍ରରେ ପାଖାପାଖି ୫୨୭% ଅଧିକ ବ୍ୟୟ ବରାଦ ହୋଇଛି। ଗତବର୍ଷ ତୁଳନାରେ ୧୫୦ କୋଟି ଟଙ୍କା ଅଧିକ ପାଇବ ଓଡ଼ିଶା। କେବଳ ସେତିକି ନୁହେଁ, ରେଳ ମନ୍ତ୍ରାଳୟ ଜଣାଇଛି ଯେ ଓଡ଼ିଶାରେ ୩୬ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି। ପାଖାପାଖି ୪୭୫୦ କିଲୋମିଟର ରେଳପଥ ବିକାଶ ପାଇଁ ୪୩ ହଜାର ୭୫୧ କୋଟି ବ୍ୟୟ କରାଯାଉଛି। ୨୦୧୭-୧୮ ବର୍ଷରେ ରାଜ୍ୟ ସରକାର ୫୮୭୦ କୋଟି ଟଙ୍କା ଦାବି ରଖିଥିବା ବେଳେ କେନ୍ଦ୍ର ୫୧୦୨ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଓଡ଼ିଶାକୁ ବ୍ୟୟବରାଦ ସଂପର୍କରେ ଆଜି ପୂର୍ବତଟ ରେଳପଥ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ମହାପ୍ରବନ୍ଧକ ଉମେଶ ସିଂହ ସୂଚନା ଦେଇ କିଛି ଅଲଗା ତଥ୍ୟ ରଖିଥିଲେ। କହିଥିଲେ ଯେ ୫୨୫୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ଆନୁଷଙ୍ଗିକ ଯୋଜନା ଓ ଖର୍ଚ୍ଚକୁ ମିଶାଇଲେ ଚଳିତ ରେଳ ବଜେଟରେ ଓଡ଼ିଶାକୁ ପ୍ରାୟ ୬୦୦୦ କୋଟିରୁ ଅଧିକ ଟଙ୍କା ମିଳିବ।

ରାଜ୍ୟ ସରକାର ୬୫୦୦ କୋଟି ମାଗିଥିଲେ
ଚଳିତବର୍ଷ ବଜେଟ୍‌ ଅର୍ଥ ଖର୍ଚ୍ଚ ହୋଇପାରିବନି
ଭିଡ଼ାଭିଡ଼ି ହୋଇ ୩୫୦୦ କୋଟି ଖର୍ଚ୍ଚ ହୋଇପାରେ
ଶୀତଳଭଣ୍ଡାରରେ ଶୀତଳାପଲ୍ଲୀ, ନୂଆ ଟ୍ରେନ୍‌ ନାହିଁ

ଉଲ୍ଲେଖନୀୟ କଥା ହେଲା, ଗତବର୍ଷ ୫୧୦୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଆଜି ରେଳବାଇ କର୍ତ୍ତୃପକ୍ଷ ହିସାବ ଦେବା ବେଳେ ସୂଚାଇଛନ୍ତି ଯେ ଏ ଅର୍ଥ ସମୁଦାୟ ଖର୍ଚ୍ଚ ହୋଇପାରିନାହିଁ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାରେ ରେଳବାଇ ସମର୍ଥ ହୋଇଛି। ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ବଢି ବଢି ସର୍ବାଧିକ ୩୫୦୦ କୋଟି ଟଙ୍କାକୁ ଛୁଇଁପାରେ। ଅର୍ଥାତ୍‌ ଓଡ଼ିଶା ପାଇଁ ହେଉଥିବା ବ୍ୟୟ ବରାଦ ସୂଚାଉଛି, ବର୍ଷକୁ ବର୍ଷ ଅନୁଦାନ ବଢୁଛି। ଏହାକୁ ନେଇ ରାଜନୈତିକ ବୟାନବାଜି ବି ହେଉଛି। ମାତ୍ର ପ୍ରକଳ୍ପର ଅଗ୍ରଗତି ଓ ଅର୍ଥ ବ୍ୟୟ ବରାଦକୁ ଅନୁଶୀଳନ କଲେ ବର୍ଷ ଶେଷ ବେଳକୁ ଯେଉଁ ଚିତ୍ର ଆସୁଛି, ତାହା ବିସ୍ମୟକର। ରେଳବାଇ କର୍ତ୍ତୃପକ୍ଷ ଏକାଧିକ ପ୍ରକଳ୍ପକୁ ହାତକୁ ନେଉଥିଲେ ହେଁ, ଆବଶ୍ୟକ ମାନବସମ୍ବଳ ନିଯୁକ୍ତି ଦେଉନାହାନ୍ତି। କେନ୍ଦ୍ରୀୟ ତତ୍ପରତା ମଧ୍ୟ ପ୍ରକାଶ ପାଉନାହିଁ। ସମାନ୍ତରାଳ ଭାବେ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମତି ନେଇ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତି ପ୍ରକଳ୍ପ ଅଗ୍ରଗତି କ୍ଷେତ୍ରରେ ବାଧକ ସାଜୁଥିବା କଥାକୁ ରେଳବାଇ କର୍ତ୍ତୃପକ୍ଷ ଅସ୍ୱୀକାର କରୁନାହାନ୍ତି। ୨୦୧୮-୧୯ ପାଇଁ ହୋଇଥିବା ବଜେଟ୍‌ରେ ଓଡ଼ିଶାପାଇଁ ଗୋଟିଏ ବି ନୂଆ ଟ୍ରେନ୍‌ ନାହିଁ। ସେହିପରି ବହୁ ଚର୍ଚ୍ଚିତ ଶୀତଳାପାଲୀ ପ୍ରକଳ୍ପ ସଂପର୍କରେ କେନ୍ଦ୍ର ସରକାର ବଜେଟ୍‌ରେ ବିଶେଷ ବ୍ୟବସ୍ଥା କରିନାହାନ୍ତି। ଏହା ଶୀତଳଭଣ୍ଡାରକୁ ଚାଲିଯାଇଛି। ଶୀତଳାପାଲୀ ପାଇଁ ରାଜ୍ୟ ସରକାର ୧୦୦ ଏକର ଜମି ଯୋଗାଇ ଦେଇଥିଲେ। ୨୦୧୧-୧୨ରେ ମଞ୍ଜୁରି ପାଇଥିବା ଓ୍ଵାଗନ କାରଖାନା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ବଜେଟ୍‌ ପୂର୍ବରୁ ରେଳବାଇ ମହାରାଷ୍ଟ୍ରର ମରାଠାଓ୍ଵାଡ଼ାରେ କୋଚ୍‌ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରିିଥିଲେ। ଏହାବ୍ୟତୀତ ରେଳବାଇ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସିଂହଭାଗ ଦାବିକୁ ବଜେଟ୍‌ରେ ଏଡାଇ ଦିଆଯାଇଛି।

ସମ୍ବନ୍ଧିତ ଖବର