ଖୋଲିଲାନି ରେଳ ଫାଟକ: ଅଟକିଲା ଟ୍ରେନ୍‌ ଓ ଯାନବାହନ

ଜଳେଶ୍ୱର : ଜଳେଶ୍ୱର ନୂଆବଜାରସ୍ଥିତ ରେଳଫାଟକରେ ଆଜି ଲିଭର ଲକ୍‌ ନଖୋଲିବାରୁ ଉଭୟ ରେଳ ଓ ସଡ଼କ ପଥରେ ଦୀର୍ଘ ୪୫ ମିନିଟ୍‌ ଧରି ଟ୍ରେନ୍‌ ଓ ଯାନବାହନ ଅଟକି ଥିଲା। ଏଥିପାଇଁ ଯାତ୍ରୀମାନେ ନାହିଁନଥିବା ହୀନସ୍ତା ହୋଇଥିବା ବେଳେ ଲିଭର ଲକ୍‌ ଖୋଲିବାକୁ ରେଳ କର୍ମଚାରୀଙ୍କୁ ବି ନାକେଦମ୍‌ ହେବାକୁ ପଡ଼ିଥିଲା।

ସୂଚନା ଅନୁସାରେ, ୧୨ଟା ୪୫ରେ ଏକ ମାଲବାହୀ ଗାଡ଼ି ପାଇଁ ରେଳଫାଟକ ପଡ଼ିଥିଲା। ଗାଡ଼ି ଯିବା ପରେ ଫାଟକ କିନ୍ତୁ ଆଉ ଖୋଲିନଥିଲା। ଫଳରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ଯାତାୟାତ କରୁଥିବା ଶତାଧିକ ଯାନବାହନ ଫାଟକର ଉଭୟପାର୍ଶ୍ୱରେ ଅଟକି ରହିଥିଲା। ଆଉ କେତେକ ରେଳ ନିୟମକୁ ନମାନି ଗେଟ୍‌ ଭିତର ଦେଇ ଗଳି ପଳାଉଥିଲେ। ତେଣୁ ଗେଟ୍‌ କିପରଙ୍କ ସୂଚନା ଆଧାରରେ ଜଳେଶ୍ୱର ଷ୍ଟେସନ କର୍ତ୍ତୃପକ୍ଷ ଫାଟକର ୨ ଶହ ମିଟର ଦୂର ଅପ୍‌ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଓ ଡାଉନ୍‌ ଲାଇନ୍‌ରେ ଜଳେଶ୍ୱର ଷ୍ଟେସନରେ ବାଲେଶ୍ୱର-ଖଡ଼ଗପୁର ଲୋକାଲ ଟ୍ରେନ୍‌କୁ ଅଟକାଇଥିଲେ। ପରେ ଏକ ବୈଷୟିକ ଟିମ୍‌ ଲିଭର ଲକ୍‌କୁ ଖୋଲିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତା ହୋଇଥିବା ବେଳେ ଏହି ରେଳ ଫାଟକ ଯୋଗୁ ଯାତ୍ରୀମାନେ ଅକଥ୍ୟ ଦୁର୍ଦ୍ଦଶା ଭୋଗିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଏକ ରେଳ ଓଭରବ୍ରିଜ୍‌ ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଥିଲେ ବି କାମ ଆରମ୍ଭ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର