ନିସହାୟଙ୍କ ପାଇଁ ସହାୟତା ଯୋଗାଉଛି ଭାରତୀୟ ରେଳପଥ : ୨ ନିୟୁତ ମାଗଣା ଖାଦ୍ୟ ପୁଡ଼ିଆ ବଣ୍ଟନ

ଭୁବନେଶ୍ବର : ଦେଶବ୍ୟାପୀ ଜାରି ରହିଥିବା ଲକଡାଉନ ସମୟରେ ଭାରତୀୟ ରେଳପଥ ପକ୍ଷରୁ ବିଭିନ୍ନ ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ବଣ୍ଟନ ଜାରି ରହିଛି। ଆଜି ସୁଦ୍ଧା ୨୦.୫ ଲକ୍ଷ ଲୋକଙ୍କୁ ଏଭଳି ରନ୍ଧାଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। ଭାରତୀୟ ରେଳପଥର ବିଭିନ୍ନ ସଂସ୍ଥାର କର୍ମଚାରୀ ମାର୍ଚ୍ଚ ୨୮ ତାରିଖ ଠାରୁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଚାଲିଛନ୍ତି। ରେଳପଥ ପକ୍ଷରୁ କାଗଜ ପ୍ଲେଟରେ ଏଭଳି ରନ୍ଧାଖାଦ୍ୟକୁ ଦୁର୍ଗତ ଲୋକଙ୍କ ନିକଟରେ ପହଞ୍ଚାଯାଉଛି। ଆଇଆରସିଟିସି ବେସ୍ ପାକଶାଳାରେ ଏଭଳି ଖାଦ୍ୟ ରନ୍ଧା ଯାଉଛି। ଆରପିଏଫର ସମ୍ବଳ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କଠାରୁ ମିଳିଥିବା ଅନୁଦାନ ଦ୍ୱାରା ଏଭଳି ବ୍ୟବସ୍ଥା ହୋଇଛି। ଦୁର୍ଗତ ଲୋକମାନଙ୍କୁ ଏଭଳି ରନ୍ଧା ଖାଦ୍ୟ ଯୋଗାଣ ବେଳେ ସାମାଜିକ ଦୂରତା ରକ୍ଷା ତଥା ସ୍ୱାସ୍ଥ୍ୟ ରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ଆରପିଏଫ, ଜିଆରପି, ଜୋନର ବିଭିନ୍ନ ବ୍ୟବସାୟିକ ବିଭାଗ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ବେଚ୍ଛାସେବୀ ସଙ୍ଗଠନମାନଙ୍କ ଦ୍ୱାରା ଏଭଳି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଉଛି। କେବଳ ଷ୍ଟେସନ ପାଖାପାଖି ଅଞ୍ଚଳ ନୁହେଁ, ବରଂ ରେଳ ଷ୍ଟେସନଠାରୁ ଦୂରରେ ଥିବା ଦୁର୍ଗତ ଲୋକଙ୍କ ନିକଟରେ ମଧ୍ୟ ତାହା ବଣ୍ଟନର ବ୍ୟବସ୍ଥା କରାଯାଉଛି। ଭାରତୀୟ ରେଳପଥର ବିଭିନ୍ନ ଜୋନ ଯଥା ଉତ୍ତର, ପଶ୍ଚିମ, ପୂର୍ବ, ଦକ୍ଷିଣ, ଦକ୍ଷିଣ କେନ୍ଦ୍ରୀୟ ଜୋନ୍‌ର ଆଇଆରସିଟିସିର ନୂଆଦିଲ୍ଲୀ, ବେଙ୍ଗାଲୁରୁ, ହୁବଲି, ମୁମ୍ବାଇ ସେଣ୍ଟ୍ରାଲ୍, ଅହମ୍ମଦାବାଦ, ଭୁସାବଲ, ହାଓଡ଼ା, ପାଟଣା, ଗୟା, ରାଞ୍ଚି, କଟିହାର, ଦୀନ ଦୟାଲ ଉପାଧ୍ୟାୟ ନଗର, ବାଲେଶ୍ୱର, ବିଜୟୱାଡ଼ା, ଖୋର୍ଦ୍ଧା, କଟପାଡ଼ି, ତ୍ରିଚିରାପଲ୍ଲୀ, ଧାନବାଦ, ଗୁଆହାଟୀ, ସମସ୍ତିପୁର, ପ୍ରୟାଗରାଜ, ଇଟାର୍ସି, ବିଶାଖାପାଟଣା, ଚେଙ୍ଗାଲପାଟୁ, ପୁନେ, ହାଜିପୁର, ରାୟପୁର ଓ ଟାଟାନଗର ବେସ୍ ପାକଶାଳାରେ ୨୦.୫ ଲକ୍ଷ ରନ୍ଧା ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଇ ଏପ୍ରିଲ ୨୦ ସୁଦ୍ଧା ବଣ୍ଟାଯାଇଛି।

ସେଥିମଧ୍ୟରୁ ପ୍ରାୟ ୧୧.୬ ଲକ୍ଷ ରନ୍ଧା ଖାଦ୍ୟ ପୁଡ଼ିଆ ଆଇଆରସିଟିସି ଦ୍ୱାରା ଯୋଗାଇ ଦିଆଯାଇଥିବା ବେଳେ ୩.୬ ଲକ୍ଷ ମିଲ୍ ଆରପିଏଫ୍ ଦ୍ୱାରା ସେମାନଙ୍କ ନିଜସ୍ୱ ସମ୍ବଳରୁ ଯୋଗାଣ ହୋଇଛି। ସେହିପରି ୧.୫ ଲକ୍ଷ ମିଲ୍ ରେଳପଥର କମର୍ସିଆଲ୍ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ୩.୮ ଲକ୍ଷ ମିଲ୍ ବିଭିନ୍ନ ରେଳବାଇ ସଂସ୍ଥା ସହ ଅନୁବନ୍ଧିତ ସ୍ୱେଚ୍ଛାସେବୀ ସଂସ୍ଥାଙ୍କଠାରୁ ମିଳିଥିବା ଅନୁଦାନ ମାଧ୍ୟମରେ ଯୋଗାଇ ଦିଆଯାଇଛି। ଆଇଆରସିଟିସି, ଅନ୍ୟାନ୍ୟ ରେଳପଥ ବିଭାଗ, ସ୍ବେଚ୍ଛାସେବୀ ସଙ୍ଗଠନମାନଙ୍କ ନିଜସ୍ୱ ପାକଶାଳା ଦ୍ୱାରା ପ୍ରସ୍ତୁତ ରେଳପଥ ସୁରକ୍ଷା ବଳ ଏଭଳି ଦୁର୍ଗତ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୮ରେ ଦେଶର ୭୪ଟି ସ୍ଥାନରେ ୫୪୧୯ ଜଣ ଦୁର୍ଗତ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଏହାପରେ ପ୍ରତ୍ୟେକ ଦିନ ଏଭଳି ଖାଦ୍ୟ ପୁଡ଼ିଆ ବଣ୍ଟନ ସଂଖ୍ୟା ବୃଦ୍ଧି ପାଇଥିଲା। ବର୍ତ୍ତମାନ ଆନୁମାନିକ ୫୦ ହଜାର ଲୋକଙ୍କୁ ଆରପିଏଫ ଦ୍ୱାରା ଦେଶର ୩୦୦ଟି ସ୍ଥାନରେ ଦୈନିକ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର