ରେଳ ବିଦ୍ୟୁତକରଣ ଅଫିସ ସ୍ଥାନାନ୍ତର ପ୍ରସଙ୍ଗ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କଲା ଦଳ

ଭୁବନେଶ୍ବର : କେନ୍ଦ୍ର ସରକାର ଆଦର୍ଶ ଆଚରଣ ବିଧି ଉଲଂଘନ କରି ଭୁବନେଶ୍ବରରୁ ରେଳ ବିଦ୍ୟୁତକରଣ ଅଫିସ ବେଙ୍ଗାଲୁରୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଅଭିଯୋଗ ଦାଖଲ କରିଛି। ବିଜେପିର ଏପରି ଚକ୍ରାନ୍ତକୁ ରୋକାଯିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବିଜେଡି ଦାବ ି କରିଛି। ଏ ନେଇ ତୁରନ୍ତ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।

ରବିବାର ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି ରେଳ ବିଦ୍ୟୁତକରଣ ଅଫିସ ସ୍ଥନାନ୍ତର ନେଇ ଅଭିଯୋଗ କରିଛି। ଅଭିଯୋଗ ପତ୍ରରେ ଦଳ ଦର୍ଶାଇଛି, ଗତ ୧୦ ତାରିଖରେ ଭାରତ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ପରଠୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ନିୟମାନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ନୂଆ ନିଷ୍ପତ୍ତି ନେଇପାରିବେ ନାହିଁ। କିନ୍ତୁ ଆଚରଣ ବିଧି ଲାଗୁ ହେବାର ମାତ୍ର ୩ ଦିନ ପରେ ଅର୍ଥାତ ଗତ ୧୩ ତାରିଖରେ ଭୁବନେଶ୍ବରରେ ରେଳ ବିଦ୍ୟୁତିକରଣ ଅଫିସ ବେଙ୍ଗାଲୁରୁ ସ୍ଥାନାନ୍ତର ହେଉଥିବା ଜଣାପଡ଼ିଛି। ଯାହାକି ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ। ଏପରି ନିଷତ୍ତିକୁ ପ୍ରତ୍ୟାହାର କରିବାକୁ ବିଜେଡି ଦାବି କରିଛି।

ବିଜେଡି ଅଭିଯୋଗ ପତ୍ରରେ ଦର୍ଶାଇଛି, ବିଜେପିର ଷଡ଼ଯନ୍ତ୍ରରେ ରେଳ ବିଦ୍ୟତ କରଣ ଅଫିସ ସ୍ଥାନାନ୍ତର କରାଯାଉଛି। କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ଭୋଟ ହାତେଇବା ଉଦ୍ଦେଶ୍ୟରେ ଏପରି କରିଛି। ଅଫିସ ସ୍ଥାନାନ୍ତର କରି ଓଡ଼ିଶାରେ ରେଳ ବିଦ୍ୟୁତକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। ସେହିପରି ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଦିନ ପୂର୍ବରୁ ପୂର୍ବତଟ ରେଳବାଇକୁ ଭାଗ କରି ଦକ୍ଷିଣତଟ ରେଳବାଇ ଜୋନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ଦୁଇଟି ଯାକ ଘଟଣାରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ଜଣାପଡ଼ିଛି। ନିର୍ବାଚନ କମିସନ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଜେଡି ପକ୍ଷରୁ ନିବେଦନ କରାଯାଇଛି।

ପ୍ରତିନିଧିମଣ୍ଡଳୀରେ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ବିଧାୟକ ତଥା ମୁଖପାତ୍ର ଦେବାଶିଷ ସାମନ୍ତରାୟ, କାଜୁ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ ସମେତ ବିଜେଡି କର୍ମୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର