କେନ୍ଦ୍ରାପଡ଼ା/ଡୋରବିଶ : କେନ୍ଦ୍ରାପଡ଼ା ଜିଲ୍ଲାରେ ନିର୍ମାଣାଧୀନ ପାରାଦୀପ-ହରିଦାସପୁର ରେଳପଥର ଡେରାବିଶ ଥାନା ଅନ୍ତର୍ଗତ ବଳଭଦ୍ରପୁରଠାରେ କାର୍ଯ୍ୟରତ ଯୁବ ଇଂଜିନିୟର ପ୍ରକାଶ ଚନ୍ଦ୍ର ବେହେରା(୩୬)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ପ୍ରକାଶଙ୍କ ଘର ଜଗତସିଂହପୁର ଜିଲ୍ଲା ରେପୁର(ବାଲିପାଟଣା)ରେ। ସେ ପତ୍ନୀଙ୍କ ସହ ଭୁବନେଶ୍ୱର ରହୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନିର୍ମାଣାଧୀନ ରେଳପଥର ବିଦ୍ୟୁତ୍ ଓ କଂକ୍ରିଟ୍ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରେଳ ବିକାଶ ନିଗମ ଲିମିଲେଡ଼୍ ସଂସ୍ଥା ଏଆରଏସ୍ଏସ୍ ‘ସିଭମ୍ କଣ୍ଡେଭ୍ ପ୍ରାଇଭେଟ୍ ଲିମିଟେଡ଼୍’କୁ କାର୍ଯ୍ୟାଦେଶ ଦେଇଥିଲା। ପ୍ରକାଶ ଏହି ସଂସ୍ଥାର ଜଣେ ଇଲେକ୍ଟକାଲ ମୁଖ୍ୟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ଭୁବନେଶ୍ୱରରୁ ଠିକା ସଂସ୍ଥାର ଅନ୍ୟ କର୍ମଚାରୀଙ୍କ ସହ କାଯ୍ୟର୍ର ତଦାରଖ ପାଇଁ ସେ ବଳଭଦ୍ରପୁର ସାଇଟ୍ ଅଫିସ୍କୁ ଆସିଥିଲେ। ସେଠାରେ ଅପରାହ୍ନରେ ତାଙ୍କୁ ଏକ ଜେସିବି ମେସିନ୍ ଧକ୍କା ଦେବାରୁ ସେ ଆହତ ହୋଇଥିଲେ ବୋଲି ସଂସ୍ଥା ପକ୍ଷରୁ କୁହାଯାଉଛି। ଏହି ଦୁର୍ଘଟଣାରେ ଗୁରୁତର ହେବା ପରେ ପ୍ରକାଶଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହା ଜାଣିବା ପରେ ସଂସ୍ଥାର କର୍ମଚାରୀମାନେ ପ୍ରକାଶଙ୍କ ମୃତଦେହ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲକୁ ନେଇଯିବା ସହ ସେଠାରେ ଛାଡ଼ି ପଳାଇ ଯାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗତକାଲି ଅପରାହ୍ନରେ ସଂପୃକ୍ତ ସଂସ୍ଥାର କର୍ମଚାରୀ ପ୍ରକାଶଙ୍କ ପରିବାରକୁ ଦୁର୍ଘଟଣା କଥା କହିବା ସହିତ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଫୋନ୍ରେ ଜଣାଇଥିଲେ। ହେଲେ ପରେ କଟକ ଓ ଭୁବନେଶ୍ୱର ନିଆଯିବା ବିଷୟରେ ସେମାନେ କିଛି ଜାଣି ନ ଥିଲେ। ଏଣୁ ସ୍ୱାମୀଙ୍କ ମୃତ୍ୟୁ ଘଟଣା ଅଧିକ ରହସ୍ୟମୟ ମନେ ହେଉଛି ବୋଲି ପ୍ରକାଶଙ୍କ ପତ୍ନୀ ପ୍ରିୟଦର୍ଶିନୀ ଅଭିଯୋଗ କରିଛନ୍ତି। ଏହା ଦୁର୍ଘଟଣା ନୁହେଁ ବରଂ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସେ କହିଛନ୍ତି। ପ୍ରିୟଦର୍ଶିନୀ ଅଭିଯୋଗ କରିଛନ୍ତି ଏ ସଂକ୍ରାନ୍ତରେ ପ୍ରକାଶଙ୍କ ପରିବାର ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଡେରାବିଶ ଥାନା ପୁଲିସ୍ ମଧ୍ୟ ଷ୍ଟେସନ୍ ଡାଏରି କରି ତଦନ୍ତ କରିଛି। କ୍ୟାପିଟାଲ୍ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଡେରାବିଶ ଥାନାକୁ ସବିଶେଷ ତଥ୍ୟ ଦିଆଯାଇଥିବା ଥାନା ଅଧିକାରୀ ସୁଧିର କୁମାର ସାହୁ କହିଛନ୍ତି । ଏହାକୁ ଆଧାର କରି ଡେରାବିଶ ପୁଲିସ୍ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ଘଟାଇଥିବା ଜେସିବି ମେସିନ୍କୁ ଜବତ କରିବା ସହ ସେଠାରେ କାର୍ଯ୍ୟରତ ଥିବା ୬ ଜଣ କର୍ମଚାରୀଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି।