ବରଗଡ଼କୁ ରେଳ ନିରାଶା

ବରଗଡ଼ : ବଜେଟ୍‌ ପୂର୍ବରୁ ବରଗଡ଼ରୁ ରାୟପୁରକୁ ସିଧା ରେଳପଥ ସଂଯୋଗୀକରଣ ପାଇଁ ବିଭିନ୍ନ ମହଲରୁ ଆଲୋଚନା ଆରମ୍ଭ ହୋଇଥିଲା। ଏପରିକି ଉଭୟ ଛତିଶଗଡ଼ ଏବଂ ବରଗଡ଼ର ବୁଦ୍ଧିଜୀବୀମାନେ ଏକାଠି ହୋଇଥିଲେ। ଉଭୟ ରାଜ୍ୟର ସରକାରଙ୍କ ଉପରେ ଚାପ ପକାଇ ଏହି ରେଳ ପ୍ରକଳ୍ପକୁ ବଜେଟ୍‌ରେ ସ୍ଥାନ ଦେବାକୁ ଉଦ୍ୟମ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ ପ୍ରୟାସ ବି ହେଲା। କିନ୍ତୁ ରେଳମନ୍ତ୍ରଣାଳୟର ସଦ୍ୟ ଘୋଷଣାରେ ଏହି ରେଳପ୍ରକଳ୍ପର ନାମଗନ୍ଧ ମିଳିଲାନି। ପୂର୍ବରୁ ବରଗଡ଼-ନୂଆପଡ଼ା ନା ବରଗଡ଼-ବାଗବହରା, କେଉଁ ପ୍ରକଳ୍ପ ବୃହତ୍ତର ସ୍ବାର୍ଥ ସାଧନ କରିବ, ତାକୁ ନେଇ ତର୍କବିତର୍କ ଲାଗି ରହିଥିଲା। ବରଗଡ଼-ବାଗବହରା ପ୍ରକଳ୍ପ ପାଇଁ ମଧ୍ୟ ବିଭିନ୍ନ ସମୟରେ ଦାବି ଉଠିଆସିଛି। ବରଗଡ଼-ନୂଆପଡ଼ା ଲାଇନ୍‌ ପାଇଁ ମଧ୍ୟ ବାରମ୍ବାର ଦାବି ହେଉଛି। ତେବେ ବରଗଡ଼-ନୂଆପଡ଼ା ଅପେକ୍ଷା ବରଗଡ଼-ବାଗବହରା ପ୍ରକଳ୍ପରେ ଦୂରତା ଅଧିକ ହ୍ରାସ ପାଇବ। ମାତ୍ର ପଦ୍ମପୁରବାସୀ ରେଳ ସୁବିଧାରୁ ବଂଚିତ ହେବେ।

ସେହିଭଳି ଅନ୍ୟ ଲାଇନ୍‌ ହେ‌ଲେ ଆଉ କିଛି ଅଂଚଳ ରେଳସେବାରୁ ବାଦ୍‌ ପଡ଼ିବେ। ଏଭଳି ଦୋଛକି ମଧ୍ୟରେ ସଭିଏଁ ଥିଲେ ହେଁ ବରଗଡ଼-ରାୟପୁର ସିଧା ସଂଯୋଗ ଆଶା ରଖୁଥିଲେ। ତେବେ ବରଗଡ଼-ରାୟପୁର ବ୍ରଡ୍‌ ଗଜ୍‌ ରେଳ ଲାଇନ୍‌ (ଭାୟା ନୂଆପଡ଼ା, ପଦ୍ମପୁର) ପୂର୍ବରୁ ଚର୍ଚ୍ଚା ଓ ଦାବିରେ ରହି ଆସୁଛି। ଏଥିପାଇଁ ୨୦୦୩ ମସିହାରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ସର୍ଭେ ହୋଇଥିଲା। ସେତିକି ବେଳେ ଏହି ପ୍ରକଳ୍ପ ପାଇଁ ୪୧୫.୮୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। କିନ୍ତୁ ଗତ ଗୋଟିଏ ଦଶନ୍ଧି ଧରି ଏହି ପ୍ରକଳ୍ପର ନାଁ ଗନ୍ଧ ଉଠୁନଥିଲା। ୨୦୧୮ଏପ୍ରିଲ ମାସରେ ପୂର୍ବତଟ ରେଳବାଇ ଉପମୁଖ୍ୟ ପ୍ରବନ୍ଧକ (ପରିଚାଳନା) ଉଭୟ ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରସ୍ତାବିତ ରେଳ ଲାଇନ୍‌ର ଟ୍ରାଫିକ୍‌ ସଂପର୍କିତ ତଥ୍ୟ ଦାଖଲ କରିବାକୁ ଅନୁରୋଧ କରିଥିଲେ। ରିପୋର୍ଟ ରେଲୱେ ବୋର୍ଡ ପାଖରେ ବି ପହଂଚି ସାରିଛି। କିନ୍ତୁ ସେତିକିରେ ହିଁ ଏହି ପ୍ରକଳ୍ପ ଠପ୍‌ ହୋଇପଡ଼ିଛି। ଇତିମଧ୍ୟରେ ତିନୋଟି ରେଳ ବଜେଟ୍‌ ଅତିକ୍ରାନ୍ତ କଲାଣି। କିନ୍ତୁ ବରଗଡ଼-ରାୟପୁର ସିଧା ରେଳସେବା କେବଳ ଦାବିରେ ସୀମିତ ରହିଛି।

ସମ୍ବନ୍ଧିତ ଖବର