ରେଳବାଇର ଆଇଡି ହ୍ୟାକର୍‌ ଗିରଫ, ଲକ୍ଷାଧିକ ଟଙ୍କାର ନକଲି ଇ-ଟିକେଟ ବିକ୍ରି କରିଥିବା ଅଭିଯୋଗ

ପୁରୀ : ରେଳବାଇର ୱେବ୍‌ସାଇଟ୍‌କୁ ହ୍ୟାକ୍‌ କରି ନକଲି ଇ-ଟିକେଟ୍‌ ମାଧ୍ୟମରେ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ପଠାଇ କମିସନ ନେଉଥିବା ଅଭିଯୁକ୍ତକୁ ଆଜି ଆରପିଏଫ୍‌ ଗିରଫ କରିଛି। ଦୀର୍ଘ ବର୍ଷ ଧରି ପୁରୀରେ ଏହି ଭଳି ବ୍ୟବସାୟ ଚାଲୁଥିବା ବେଳେ ରେଳବାଇ ବିଭାଗ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ତେବେ ପୁରୀ ଆର୍‌ପିଏଫ୍‌ ଥାନାଧିକାରୀ ଅନିଲ କୁମାର ସିଂହ ସ୍ବତନ୍ତ୍ର ଭାବେ ତଦନ୍ତ କରି ଏ ଦିଗରେ ଅନେକ ଗୁମର ଖୋଲିବାରେ ସକ୍ଷମ ହୋଇଛନ୍ତି। ଆଜି କୋଣାର୍କର ସମୀର ରଞ୍ଜନ ନାୟକ ନାମକ ଜଣେ ହ୍ୟାକର୍‌କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ଚାରୋଟି ଟିକେଟ୍‌, ଦୁଇଟି ମୋବାଇଲ ଫୋନ୍‌, କମ୍ପ୍ୟୁଟର୍‌, ପ୍ରିଣ୍ଟର୍‌, ସିପିୟୁ ଏବଂ କି ବୋର୍ଡ ଆଦି ଜବତ କରାଯାଇଛି। ଏ ସଂକ୍ରାନ୍ତରେ ୩୬୫/୨୦ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀ ନାୟକଙ୍କୁ ଗିରଫ କରାଯାଇଛି।

ସମୀର କୋଣାର୍କ ରିଙ୍ଗ ରୋଡ୍‌ ଛକରେ ମହାବୀର କମୁନିକେସନ୍‌ ନାମରେ ଏକ ଦୋକାନ କରିଛି। ଏହି ଦୋକାନରେ ସେ ଏ ଭଳି ଜାଲିଆତି କାର୍ଯ୍ୟ କରେ ବୋଲି ଆର୍‌ପିଏଫ୍‌ ପୁଲିସର ତଦନ୍ତରୁ ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି, ଦୀର୍ଘ ଦିନ ଧରି ରେଳବାଇ ବିଭାଗର ଆଇଆର୍‌ସିଟିସି ୱେବ୍‌ସାଇଟ୍‌କୁ ହ୍ୟାକିଂ କରି ସମୀର ନିଜର ଆଇଡି ମାଧ୍ୟମରେ ଯାତ୍ରା ଟିକେଟ୍‌ ପ୍ରିଣ୍ଟ୍‌ କରୁଥିଲା। ଏଠାରେ ଶ୍ରମିକମାନଙ୍କୁ ସେ ଏହି ଇ-ଟିକେଟ୍‌ ଦେଇ ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲା। ସେମାନଙ୍କ ଠାରୁ ସେ କମିସନ ଅର୍ଥ ମଧ୍ୟ ନେଉଥିଲା। ଏହାକୁ ନେଇ ରେଳବାଇ ବିଭାଗର ମୁଣ୍ଡ ବ୍ୟଥା ବଢ଼ିଯାଇଥିଲା। ଏ ସମ୍ପର୍କରେ ତଦନ୍ତ କରିବା ପାଇଁ ପୁରୀ ଜିଆର୍‌ପି ଥାନାକୁ ନିର୍ଦ୍ଦେଶ ହେବାରୁ ଥାନାଧିକାରୀ ଶ୍ରୀ ସିଂହ ଏହି ମାମଲାର ତଦନ୍ତ କରି ଆଜି ସମୀରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ଏହି ଭଳି ଅନେକ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ସଂଗ୍ରହ ହୋଇଥିବା ସୂଚନାକୁ ଆଧାର କରି ଆର୍‌ପିଏଫ୍‌ ପୁଲିସ ଆଜି ସମୀରଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର