ରସୁଲପୁର : ତାଙ୍କ ହାତ ବାଜିଲେ ମାଟି ପାଏ ଆକର୍ଷଣୀୟ ରୂପ। ମାଟିରେ ତିଆରି ଚା’ କପ୍‌ ରେଳ ବିଭାଗକୁ କିମିଆ କରିଛି। ଏତେ ଅର୍ଡର ଅଛି ଯେ ରେଳବାଇକୁ ଯୋଗାଇ ପାରୁନାହାନ୍ତି। ଦେଶବିଦେଶରେ ବିଭିନ୍ନ ଗୃହୋପକରଣର ଚାହିଦା ବହୁତ। ହାଣ୍ଡି, ମାଠିଆ, ପଲମ ଗଢ଼ିବାର ପାରମ୍ପରିକ କୌଳିକ ବୃତ୍ତିରୁ ସାମାନ୍ୟ ଭିନ୍ନ; ଜଣେ ଟେରାକୋଟା କାରିଗର ଭାବେ ଏହି ସଫଳତା ସାଉଁଟିଛନ୍ତି ରସୁଲପୁର ବ୍ଲକ୍ ପ୍ରଥମାଖଣ୍ତ ଗ୍ରାମର ପର୍ଶୁରାମ ବେହେରା। ତାଙ୍କ ବାପା, ଜେଜେ କୌଳିକ ବୃତ୍ତି ଭାବେ ମାଟିପାତ୍ର ଗଢ଼ିଆସୁଥିଲେ। ପିଲାଟି ଦିନୁ ତାହା ଦେଖିଦେଖି ସେ ମଧ୍ୟ ଜଣେ ନିଖୁଣ କାରିଗର ହୋଇଯାଇଥିଲେ। ପାରମ୍ପରିକ ହାଣ୍ତି, ମାଠିଆ, ପଲମ, ଠେକି, ମାଣ୍ତିଆ, କଳସର ଚାହିଦା ଧୀରେଧୀରେ କମୁଥିବା ଲକ୍ଷ୍ୟ କରି ସେ ଟେରାକୋଟା ଆଡ଼କୁ ମୁହାଁଇଥିଲେ। ୧୯୯୮ ମସିହାରେ କେନ୍ଦୁଝରର ଗଜେନ୍ଦ୍ର ସାହୁଙ୍କଠାରୁ ସେ ଟେରାକୋଟା ତାଲିମ ନେଇଥିଲେ। ପରେ ଗାଁକୁ ଫେରି କାମ ଆରମ୍ଭ କରି ଆଉ ପଛକୁ ଫେରି ନାହାନ୍ତି। ଗତ ଅଗଷ୍ଟ ୪ ତାରିଖରେ ୟୁନିସେଫ୍ ଦ୍ବାରା ଆୟୋଜିତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ସେ ଭାରତରୁ ଏକ ମାତ୍ର ପ୍ରତିନିଧି ଭାବରେ ନିଜର ବକ୍ତବ୍ୟ ରଖିଛନ୍ତି। ଓଡ଼ିଶାର ସଂସ୍କୃତି ବିଶେଷକରି ଜଗନ୍ନାଥ ସଂସ୍କୃତିରେ ମାଟି ପାତ୍ରର ଭୂମିକା ଓ ଜନଜୀବନରେ ଏହାର ପ୍ରାସଙ୍ଗିକତା ସଂପର୍କରେ ସେ ସୂଚନା ଦେଇ ପ୍ରଶଂସିତ ହୋଇଛନ୍ତି।

Advertisment

publive-image

ବର୍ତ୍ତମାନ ମାଟିରେ ବିଭିନ୍ନ ଘରକରଣା ସାମଗ୍ରୀ, ରୋଷେଇ ଓ ଖାଇବା ପାତ୍ର, ଘର ସାଜସଜ୍ଜା ସାମଗ୍ରୀ, ହାତୀ, ଘୋଡ଼ା, ଫୁଲଦାନୀ, ଚା’ କପ୍, ଦୀପ, ୱାଟର ଫିଲଟର ଆଦି ପ୍ରସ୍ତୁତ କରୁଛନ୍ତି। ମାଟି ବାସନ, ୱାଟର ଫିଲଟର, ମଟନ ପ୍ରସ୍ତୁତ ପାଇଁ ହାଣ୍ତି, ଚା’ କପ୍ ଓ ଦୀପ ଆଦିର ଖୁବ୍ ଚାହିଦା ରହିଛି ବୋଲି ପର୍ଶୁରାମ କୁହନ୍ତି। ସ୍ଥାନୀୟ ଅଞ୍ଚଳରେ ଏସବୁ ବିକ୍ରି କରାଯିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଉଛି। ଭାରତୀୟ ରେଳବାଇକୁ ସେ ମାଟିର ଚା’ କପ୍ ଯୋଗାଉଛନ୍ତି। ଚାହିଦା ଏତେ ଅଛି ଯେ ଯୋଗାଇ ହେଉନାହିଁ। ମାଟି ପାତ୍ରରେ ରୋଷେଇ ଓ ଖାଦ୍ୟ ଖାଇବାର ଉପକାରିତା ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ବଢୁଥିବାରୁ ଏହାକୁ ପେସା କଲେ ଭବିଷ୍ୟତ ଉଜ୍ଜ୍ବଳ ବୋଲି ସେ କହନ୍ତି। ଏହି କଳାକୁ ସେ ନିଜ ଭିତରେ ନରଖି ଆଗ୍ରହୀ କାରିଗରଙ୍କୁ ତାଲିମ ଦେଉଛନ୍ତି। ୨୦୦୮ ରୁ ଏପର୍ଯ୍ୟନ୍ତ ୩୦୦ରୁ ଊର୍ଦ୍ଧ୍ବଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରାଇ ପାରିଥିବାରୁ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି ପର୍ଶୁରାମ। ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ସରକାରଙ୍କ ପକ୍ଷରୁ ଷ୍ଟାଇପେଣ୍ତ୍, ଟୁଲ୍ କିଟ୍, ବ୍ୟାଙ୍କ ଜରିଆରେ ଋଣ ମିଳିବା ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି। ପ୍ରକୃତରେ ସେ ହେଉଛନ୍ତି ମେକ୍‌ ଇନ୍‌ ଇଣ୍ଡିଆର ବାର୍ତ୍ତାବହ ବୋଲି ସ୍ଥାନୀୟ ଲୋକେ ମତ ଦିଅନ୍ତି।