ବ୍ରହ୍ମପୁର : ରେଳବାଇରେ ‘ଗ୍ରୁପ୍‌-ସି’ ଚାକିରି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାସହ ଜାଲ୍ ଅଫର୍‌ଲେଟର୍ ଦେଇ ଜଣେ ଯୁବକଙ୍କଠାରୁ ସାଢ଼େ ସାତଲକ୍ଷ ଟଙ୍କା ଠକେଇ ହୋଇଛି। ଏହି ମାମଲାରେ ଆଜି ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ଜଣେ ଯୁବତୀଙ୍କୁ ଗିରଫ କରିଛି।

Advertisment

ଗିରଫ ଯୁବତୀ ହେଲେ, ଜେଏମ୍‌ଏସ୍‌.ପ୍ରଭା(୨୮) । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଝିମାଣି ଗ୍ରାମରେ। ସେ ବ୍ରହ୍ମପୁର ଶରଧାବାଲି ୨ୟ ଗଳିରେ ରହୁଥିଲେ। ତାଙ୍କଠାରୁ ତିନିଟି ଡାଏରି, ଗୋଟିଏ ବ୍ୟାଙ୍କ୍ ଜମାଖାତା, ଗୋଟିଏ ଆଇଫୋନ୍, ଆଧାରକାର୍ଡ଼ ଓ ସ୍କୁଟି ଆଦି ପୁଲିସ ଜବତ କରିଛି। ଏ ନେଇ ଥାନାରେ କେସ୍‌ ନମ୍ବର ୬/୨୦୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପ୍ରଭାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସୂଚନା ମୁତାବକ, ସୋରଡ଼ା ଥାନା ଗୋବିନ୍ଦପୁର ଅଞ୍ଚଳର ଏସ୍‌.ହିତେଶ ପାତ୍ର (୨୫) ନାମକ ଜଣେ ଯୁବକ ଚାକିରି ଅନ୍ବେଷଣରେ ଥିଲେ। ହିତେଶ ନିଜର ଜଣେ ସାଙ୍ଗ କାର୍ତ୍ତିଙ୍କ ମାଧ୍ୟମରେ ପ୍ରଭାଙ୍କ ନିକଟରେ ପହଞ୍ଚିଥିଲେ। ‘ଗ୍ରୁପ୍‌-ସି’ ଚାକିରି ପାଇଁ ୧୧ ଲକ୍ଷ ଟଙ୍କା ଲାଗିବ ବୋଲି ପ୍ରଭା କହିବା ସହ ପ୍ରଥମେ ଅଢ଼େଇ ଲକ୍ଷ ଟଙ୍କା ଆଣି ଦେବାକୁ କହିଥିଲେ। ହିତେଶ ବ୍ରହ୍ମପୁର ଆସି ସାଇ କମ୍ପ୍ଲେକ୍ସ୍ ନିକଟରେ ଅଭିଯୁକ୍ତ ତାଙ୍କୁ ଭେଟି ପ୍ରଥମ କିସ୍ତିରେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ପରେ ଆଉ ଦୁଇଥର ଅନ୍‌ଲାଇନ୍‌ ମାଧ୍ୟମରେ ଅଢ଼େଇଲକ୍ଷ ଟଙ୍କା ଲେଖାଏଁ ପଠାଇଥିଲେ। ହିତେଶ ଏଭଳିଭାବେ ବିଭିନ୍ନ କିସ୍ତିରେ ମୋଟ ସାଢ଼େ ୭ଲକ୍ଷ ଟଙ୍କା ଦେଇସାରିଥିଲେ। ଏହାପରେ ଜାଲ୍ ଅଫର୍‌ଲେଟର୍, ଆଇଡି କାର୍ଡ଼, ନିଯୁକ୍ତିପତ୍ର ଓ ଆଟେଣ୍ଡାନ୍ସ କାର୍ଡ଼ ଆଦି ଦେଇ ଅଭିଯୁକ୍ତ ପ୍ରଭା ଅବଶିଷ୍ଟ ସାଢ଼େ ତିନିଲକ୍ଷ ଟଙ୍କା ମାଗିଥିଲେ। ତେବେ, ହିତେଶ ଠକାମିର ଶିକାର ହୋଇଥିବା ଜାଣିବାପରେ ବ୍ରହ୍ମପୁର ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପ୍ରଭାଙ୍କୁ ଗିରଫ କରିଛି।