କଟକ/ଜଗତପୁର : କଟକ-ଜଗତପୁର ଅଞ୍ଚଳରେ ରହିଥିବା ରେଳବାଇର ମୂଲ୍ୟବାନ ଜାଗାକୁ ଶହ ଶହ ଲୋକ ବର୍ଷ ବର୍ଷ ଧରି ଜବଦରଖଲ କରି ରହିଛନ୍ତି। ଜଗତପୁର ବଟଛକଠାରୁ ଆରମ୍ଭ କରି ନିମପୁର, ବ୍ୟାରେଜ ଛକ, ମହାନଦୀକୂଳ ପୁରୁଣା ପୋଷ୍ଟ ଅଫିସ ମଧ୍ୟରେ ରେଳବାଇର ଥିବା ଏହି ଜମିରେ କୋଠା ଘର ନିର୍ମାଣ ହୋଇଛି। ପାଖାପାଖି ୫୦୦ରୁ ଅଧିକ ଘର ବି ଏଠାରେ ନିର୍ମାଣ ହୋଇଛି। ଏପରିକି ଜମିର କିଣା ବିକା ବି ହୋଇଛି। ଏକର କି ଦୁଇ ଏକର ନୁହେଁ ରେଳବାଇର ପ୍ରାୟ ୩୨ ଏକର ମୂଲ୍ୟବାନ ଜମି ଏଭଳି ଜବରଦଖଲରେ ରହିଛି। ଦୀର୍ଘ ୩୦ରୁ ୪୦ ବର୍ଷ ହେବ ଏହି ଜମି ସବୁ ଜବରଦଖଲରେ ରହିଛି। ପାଖାପାଖି ୪ ଏକର ଜମିରେ ବସ୍ତି ଗଢି ଉଠିଛି। ଏ ନେଇ ବର୍ଷ ବର୍ଷ ଧରି ରେଳବାଇ ଜାରି କରୁଥିବା ନୋଟିସକୁ କେହି ଖାତିର କରୁନଥିବା ବେଳେ ରେଳବାଇ କିନ୍ତୁ ଏବେ କଠୋର ହୋଇଛି। ରେଳବାଇ ଜାଗାକୁ ତୁରନ୍ତ ଛାଡିବାକୁ ରେଳବାଇ କର୍ତ୍ତୃପକ୍ଷ କଡା ନିର୍ଦ୍ଦେଶ ଦେଇଛନ୍ତି। ଏଠ‌ାରେ ଏକ ତାଲିମ କେନ୍ଦ୍ର ସହିତ ଏକାଧିକ ପ୍ରକଳ୍ପ ହାତକୁ ନେଇଥିବାରୁ ଏଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏଠାରେ ଉଚ୍ଛେଦ ପ୍ରକ୍ରିୟା‌ ସଂପୂର୍ଣ୍ଣ ହେଲେ ପାଖାପାଖି ୧ ହଜାର ପରିବାର ବେଘର ହେବେ ବୋଲି ଆକଳନ କରାଯାଉଛି। ଏହାକୁ ନେଇ ଏବେ ଜବରଦଖଲକାରୀଙ୍କ ମେଳି ଆରମ୍ଭ ହୋଇଛି। ସେପଟେ ରେଳବାଇ ଜମି ଜବଦରଖଲ କରିବା ବେଆଇନ, ଏଥିପାଇଁ ଜବଦରଖଲକାରୀଙ୍କ ପାଇଁ କୌଣସି କ୍ଷତିପୂରଣ ବ୍ୟବସ୍ଥା ନଥିବା ଡିଆରଏମ ଖୋର୍ଦ୍ଧ‌ାଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିବ‌ା ପ‌ରେ ଏହାକୁ ନେଇ ତନାଘନ‌ା ଆରମ୍ଭ ହୋଇଛି।

Advertisment

ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ଉଚ୍ଛେଦରେ ସହଯୋଗ କରିବାକୁ ରାଜ୍ୟ ସରକାର, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ଓ କଟକ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଏ ନେଇ ରେଳବାଇ ଜମି ମାଡି ବସିଥିବା ଲୋକଙ୍କୁ ନୋଟିସ ମଧ୍ୟ ଜାରି କରିଛି। ଏ ନେଇ ଡିଆରଏମ ଖୋର୍ଦ୍ଧାର ସିନିୟର ଡିଭିଜନାଲ ଇଂଜିନିୟ ଆର.କେ ଦାଶ ଗତ ୨୬.୧୦.୨୧ରେ ଆରଡସି( କେନ୍ଦ୍ରାଞ୍ଚଳ)ଙ୍କୁ ଚିଠି କରିଛନ୍ତି। ଉଚ୍ଛେଦ ଜବରଦଖଲାକାରୀଙ୍କୁ ରାଜ୍ୟ ସରକାର ତାଙ୍କ ବ୍ୟବସ୍ଥା ଅନୁସ‌ାରେ ଥଇଥାନ କରାଇବାକୁ ସେ କହିଛନ୍ତି। ଏ ନେଇ ଆରଡିସିଙ୍କ ପକ୍ଷରୁ ଚିଠି ନଂ ଏକ୍ସଏ-୧୦୪/୨୦୨୧/୧୧୧୧୨୬ ତା.୨୫.୧୦.୨୦୨୧ ଚିଠିର ଉତ୍ତରରେ ରେଳବାଇ ଡିଆରଏମ ଏହା ଉଲ୍ଲେଖ କରିଛନ୍ତି।
ଏଭଳି ସ୍ଥିତିରେ ବର୍ଷ ବର୍ଷ ଧରି ରେଳବାଇ ଜମିକୁ ମାଡି ବସି ସ୍ଥାୟୀ ଭାବେ ରହି ଆସୁଥିବା ଶହ ଶହ ପରିବାର ‌ଏବେ କେଉଁଠିକି ଯିବେ ତାକୁ ନେଇ ପ୍ରଶ୍ନ ଉଠିଛି। ରେଳବାଇ କର୍ତୃପକ୍ଷ ଜଗତପୁର ଅଞ୍ଚଳରେ ପ୍ରାୟ ୩୨ ଏକର ଜମି ସରକାରଙ୍କ ଠାରୁ ନେଇଛନ୍ତି। ରେଳବାଇର ବିଭିନ୍ନ ପ୍ରକଳ୍ପ ଓ କ୍ବାର୍ଟର ପାଇଁ ଏହି ଜମି ରଖାଯାଇଥିଲା। ମାତ୍ର ରେଳବାଇ କର୍ତୃପକ୍ଷ କୌଣସି ପ୍ରକଳ୍ପ କରି ନଥିବାରୁ ଖାଲି ପଡିଥିବା ଜମିକୁ ବିଭିନ୍ନ ସମୟରେ ଲୋକ ଜବରଦଖଲ କରି ରହିବା ଆରମ୍ଭ କରିଥିଲେ।