ରେଳ ଲାଇନ ପାଲଟିଛି ହାତୀ କରିଡର୍‌; କେତେ ସଜାଗ ବନ ବିଭାଗ?

ସୋଲାର ଫେନ୍‌ସିଂ ବ୍ୟବସ୍ଥା ଗଲା କୁଆଡ଼େ?

ଝାରସୁଗୁଡ଼ା/ଲଇକେରା : ଝାରସୁଗୁଡ଼ା ଜିଲ୍ଲାରେ ରାଜ୍ୟର ସବୁଠାରୁ କମ୍‌ ଜଙ୍ଗଲ ରହିଛି। ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବର୍ଷ ତମାମ ହାତୀ ଘୂରି ବୁଲନ୍ତି। ସମ୍ବଲପୁର ଡିଭିଜନ୍‌ର ବେଉରା ଜଙ୍ଗଲ ଓ ବାଗଡିହି ରେଞ୍ଜର ଗୟଲମୁରା ଓ ପିତାମାଲ ଜଙ୍ଗଲ ଦେଇ ହାତୀମାନେ ସୁନ୍ଦରଗଡ଼ ଡିଭିଜନ୍‌ରେ ଥିବା ଜଙ୍ଗଲ ଆଡ଼େ ଯାତାୟାତ କରନ୍ତି। ମୁଖ୍ୟତଃ ଜୁନ୍‌ ଦ୍ବିତୀୟ ସପ୍ତାହରୁ ଫେବ୍ରୁଆରି ମାସ ଶେଷ ପର୍ଯ୍ୟନ୍ତ ହାତୀମାନେ ଦଳବଦ୍ଧ ହୋଇ ବାଗଡିହି ରେଞ୍ଜରେ ଥିବା ପିତାମାଲ ଓ ଗୟଲମୁରା ସଂରକ୍ଷିତ ଜଙ୍ଗଲରେ ରହିବାକୁ ପସନ୍ଦ କରିଥାନ୍ତି।

ଶିଳ୍ପାୟନର ପ୍ରଭାବ ଯୋଗୁଁ  ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଖଣି ଖନନ ଓ ଶିଳ୍ପ କାରଖାନା ଫଳରେ ବହୁ ମୂଲ୍ୟବାନ ଜଙ୍ଗଲ ଧ୍ବଂସ ହେବାରେ ଲାଗିଛି। ଫଳରେ ଘଞ୍ଚ ଜଙ୍ଗଲରେ ରହୁଥିବା ହାତୀ ଭଳି ବୃହତ୍‌ ବନ୍ୟପ୍ରାଣୀ ଏବେ ସହର ଓ ଗାଁ ମୁହାଁ ହେବାରେ ଲାଗିଛି। ଗାଁ ଓ ସହର ମୁହାଁ ହାତୀଙ୍କ ଯୋଗୁଁ  ବହୁ ଧନ ଜୀବନ ନଷ୍ଟ ହେଉଛି। ହାତୀଙ୍କ ଜୀବନ ମଧ୍ୟ ଯାଉଛି। ତିନିବର୍ଷ ତଳେ ବାଗଡିହିଠାରେ ବମ୍ବେ- ହାୱାଡ଼ା ‌ମେଲ୍‌ରେ କଟି ୩ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହାର କିଛିଦିନ ପୂର୍ବରୁ  ରେଳ ବିଭାଗ ଦ୍ବାରା ଖୋଳା ଯାଇଥିବା ଗାତରେ ପଡ଼ି ଏକ ହାତୀର ମୃତ୍ୟୁ ହାଇଥିଲା। ଉପରେ ଯାଇଥିବା ବିଦ୍ୟୁତ ତାରରେ ଲାଗି ଗୋଟିଏ ହାତୀର ଶୋଚନୀୟ ମୃତ୍ୟୁ ହୋଇଥିଲା। ଜଙ୍ଗଲକୁ ଲାଗି ରହିଥିବା ଏହି ରେଳ ଲାଇନ୍‌ ଉପରକୁ ହାତୀମାନେ ଚାଲି ଆସୁଥିବା ବେଳେ ଦୁର୍ଘଟଣା ଘଟିଥାଏ।

ମୁମ୍ବାଇ- ହାୱାଡ଼ା ଡବଲ ରେଳ ଲାଇନ ହୋଇଥିବା ବେଳେ ତୃତୀୟ ଲାଇନ୍‌ର କାମ ଆରମ୍ଭ ହୋଇଛି। ଏହା ବ୍ୟସ୍ତ ରେଳ ଲାଇନ୍‌ ହୋଇଥିବାରୁ  ସବୁ ବେଳେ ଟ୍ରେନ୍‌ ଚଳାଚଳ ହୋଇଥାଏ। କୋଇଲା ପରିବହନ ସାଙ୍ଗକୁ ବିଭିନ୍ନ ଦ୍ରବ୍ୟର ପରିବହନ ଏହି ଲାଇନ୍‌ଗୁଡ଼ିକରେ ହେଉଥିବାରୁ ବେଶୀ ସଂଖ୍ୟାରେ ମାଲଗାଡ଼ି ମଧ୍ୟ ଯାତାୟାତ କରିଥାଏ। ରେଳ ଧାରଣାରେ ହାତୀ ମରୁଥିବାରୁ ଅତୀତରେ ଅନେକ ପଦକ୍ଷେପ ନିଆଯାଇଥିଲା। ବନ ବିଭାଗ, ରେଳ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ କମିଟିମାନ ଗଠନ ମଧ୍ୟ ହୋଇଥିଲା। ଏହି କମିଟି ଦ୍ବାରା ଅନେକ ବୈଠକ ମଧ୍ୟ ହୋଇ ହାତୀ ସୁରକ୍ଷା ଉପରେ ଯୋଜନା କରାଯାଇଥିଲା। ହାତୀଙ୍କ ସୁରକ୍ଷା ଲାଗି ହାତୀ କରିଡର୍‌ରେ ଯାଉଥିବା ରେଳଲାଇନ୍‌ କଡ଼ରେ ସାଇନ୍‌ ବୋର୍ଡ ଲଗାଇ ରେଳ ଡ୍ରାଇଭରମାନଙ୍କୁ ସତର୍କ କରାଯାଇଥିଲା। ତେବେ ଏହି ସାଇନ୍‌ବୋର୍ଡ ସ୍ଥାନରେ ହିଁ ହାତୀଙ୍କୁ ଟ୍ରେନ୍‌ ଦଳି ଦେଇ ଚାଲି ଯାଇଥିଲା। ପରେ ବନବିଭାଗ ଓ ରେଳବିଭାଗ ମଧ୍ୟରେ ଆଲୋଚନା କରାଯାଇ ହାତୀ କରିଡର ଅଞ୍ଚଳ ଆସିଲେ ଟ୍ରେନ୍‌ର ଗତିକୁ କମାଇ ଦେବାକୁ ନିଷ୍ପତ୍ତି କରାଯାଇଥିଲା।

ବାଗଡିହି ରେଞ୍ଜରେ ଏହି ପଦକ୍ଷେପ ମାତ୍ର ୨/୩ ଦିନ କାର୍ଯ୍ୟକାରୀ କରାଯାଇଥିଲା। ଟ୍ରେନ୍‌ ଡ୍ରାଇଭର ଏହି ସ୍ଥାନ ଆସିବା ପୂର୍ବରୁ ବାରମ୍ବାର ଲମ୍ବା ହର୍ଣ୍ଣ ଦେବା ଓ ବେଗକୁ କମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ରେଳ ଲାଇନ୍‌କୁ  ହାତୀ ନ ଆସିବା ପାଇଁ  କିଲୋମିଟର କିଲୋକିଟର ବ୍ୟାପୀ ସୋଲାର ଫେନ୍‌ସିଂ ବାଡ଼ ଦିଆଯାଇଥିଲା। ସୋଲାର ଦ୍ବାରା ଏହି ବାଡ଼ରେ ବିଦ୍ୟୁତ୍‌ ପ୍ରଭାହିତ କରାଯାଇଥିଲା। ଯେଉଁଥିରେ ହାତୀକୁ କରେଣ୍ଟ ଲାଗିବ କିନ୍ତୁ କିଛି କ୍ଷତି ହେବ ନାହିଁ। କରେଣ୍ଟ ଲାଗିବା ପରେ ହାତୀ ଆଉ ରେଳ ଲାଇନ ଉପରକୁ ନଯାଇ ଫେରି ଆସିବ। ଏଥି ପାଇଁ ବନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଡମାଲ ଗ୍ରାମ୍ୟ ଜଙ୍ଗଲରେ ୫ କିମି ଓ କାଦୋବାହାଲ ଗ୍ରାମ୍ୟ ଜଙ୍ଗଲରେ ୩ କିମି ବ୍ୟାପୀ  ସୋଲାର ଫେନ୍‌ସିଂ ବ୍ୟବସ୍ଥା କରାଗଲା। ଏବେ ଏହି ବ୍ୟବସ୍ଥାର ଚିହ୍ନବର୍ଣ୍ଣ ଆଉ ନାହିଁ।

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ କରାଯାଇଥିବା ଏହି ସୋଲାର ଫେନ୍‌ସିଂ ବ୍ୟବସ୍ଥା ଚୋରି ହୋଇ ଯାଇଥିବା ବନ ବିଭାଗ କହୁଛି। ତେବେ ଏହା କେବେ ଚୋରି ହେଲା ? ଚୋରି ପରେ ପୁଲିସରେ ଅଭିଯୋଗ ଦିଆଯାଇଥିଲା ନା ନାହିଁ ସେ ନେଇ ବନବିଭାଗ ପାଖରେ କୌଣସି ଉତ୍ତର ନାହିଁ। ଏବେ ହାତୀମାନେ କିଛିଦିନ ଧରି  ରେଳ ଲାଇନ୍‌ ଉପରେ ବୁଲାବୁଲି କରୁଥିଲେ ମଧ୍ୟ ବନବିଭଗ ଚୁପ୍‌ ରହିଥିବା ଦେଖା ଯାଇଛି। ଗାଁ ପାଖ ଜଙ୍ଗଲମାନଙ୍କରେ ହାତୀ ପ୍ରତିରୋଧକ ଟ୍ରେଞ୍ଚ‌ମାନ ଖୋଳ ଯାଇଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହା ମଧ୍ୟ ପୋତି ହୋଇ ଗଲାଣି।

ସମ୍ବନ୍ଧିତ ଖବର