ଅନିଶ୍ଚିତତା ଘେରରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ : ଆଗେଇ ପାରୁନି ରେଲୱେ ଲାଇନ୍ ପାଇଁ ଜମିଅଧିଗ୍ରହଣ, ବୌଦ୍ଧ ଜିଲ୍ଲାରେ କୁହୁଳିଛି ଅସନ୍ତୋଷର ନିଆଁ

ବୌଦ୍ଧ : ଅନିଶ୍ଚିତତା ମଧ୍ୟ ଦେଇ ଗତିକରୁଛି ପଶ୍ଚିମ ଓଡିଶାର ଲାଇଫ୍ ଲାଇନ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ । ଆଗେଇ ପାରୁନାହିଁ ରେଲୱେ ଲାଇନ ପାଇଁ ଜମିଅଧିଗ୍ରହଣ। ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ଜଳୁଛି ଅସନ୍ତୋଷର ନିଆଁ । ସେପଟେ ୨୦୦୬ ମସିହାରେ ହୋଇଥିବା ଜମିଅଧିଗ୍ରହଣର ମୂଲ୍ୟାଙ୍କନକୁ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରତ୍ୟାଖାନ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା କ୍ଷତିଗ୍ରସ୍ତ ପ୍ରଜାସଂଗ୍ରାମ ସମିତି ।

ଖୋର୍ଦ୍ଧାରୁ ନୟାଗଡ ଯାଏ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ରେଳ ମଧ୍ୟ ଗଡିଛି । କିନ୍ତୁ ଦୁର୍ଭାଗ୍ୟର କଥା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିମନ୍ତେ ବୌଦ୍ଧ ଜିଲ୍ଲାରେ ଗୋଟିଏ ଇଂଚ ଜମି ବି ଏଯାଏ ଅଧିଗ୍ରହଣ ହୋଇପାରିନାହିଁ । ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଅଭାବ ହେତୁ ଅଧିଗ୍ରହଣ କାର୍ଯ୍ୟ ଆଗେଇପାରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି । ଆଗକୁ ଏହା କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ଏହି ରେଲୱେ ଲାଇନ ନିମନ୍ତେ ଜିଲ୍ଲାର ମୋଟ ୯୯ ଗୋଟି ଗ୍ରାମବାସୀ ବିସ୍ଥାପିତ ହେବାକୁ ଥିବାବେଳେ ସେମାନଙ୍କୁ ଉଚିତ୍ ମୂଲ୍ୟ ଦିଆଯାଇନାହିଁ । ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବୌଦ୍ଧ ରେଲୱେ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି । ବୌଦ୍ଧ ଜିଲ୍ଲାରେ ୨୨୭୦ ଏକର ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଏକ ହଜାରରୁ ଅଧିକ ପରିବାର ବିସ୍ଥାପିତ ହେଉଛନ୍ତି। ତେବେ ସେମାନଙ୍କୁ ୨୦୦୬ ମସିହାର ଦରରେ ମୁଲ୍ୟାଙ୍କନ କରି କ୍ଷତିପୂରଣ ଦିଆଯାଇଥିବାକୁ ବିରୋଧ କରି ସମିତି ପକ୍ଷରୁ ଜିିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ଅନିଶ୍ଚିତତା ଦେଇ ଗତିକରୁଥିବା ଏହି ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ନିମନ୍ତେ ସରକାର ଦୃଷ୍ଟି ଦେଇ ତୁରନ୍ତ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର