ରାଜ୍ୟ ଜମିରେ ରେଲୱେ ମଲ୍‌!

ଆପାର୍ଟମେଣ୍ଟ ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିବାକୁ ବି ଅନୁମତି ଲୋଡ଼ିଲେ

ଉତ୍ତର ପ୍ରଦେଶ ଦେଇଛି, ତୁମେ ଦିଅ: ରେଳ ମନ୍ତ୍ରଣାଳୟ

ଭୁବନେଶ୍ବର : କ୍ଷତିରେ ଚାଲୁଥିବା ରେଳ ବିଭାଗ ରେଳ ଧାରଣା ଏବଂ ରେଳ ପ୍ରକଳ୍ପ ପାଇଁ ଯେଉଁ ସବୁ ଜମି ନେଇଥିଲା ତାହାକୁ ଏବେ ଅଲଗା କାମ ପାଇଁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଅବ୍ୟବହୃତ ହୋଇ ପଡ଼ିଥିବା ରେଲୱେ ଜମିରେ ମଲ୍‌, ସପିଂ କମ୍ପ୍ଲେକ୍ସ, ଆପାର୍ଟମେଣ୍ଟ ଆଦି ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟ‌ରେ ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଥିବା ରେଲୱେ ଜମିକୁ ନିଲାମ କରାଯିବ। ଏହାପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅବ୍ୟବହୃତ ଜମିକୁ ୯୯ବର୍ଷିଆ ଲିଜ୍‌ରେ ଦେବାକୁ ନିଷ୍ପତ୍ତି ହୋଇଛି।

ହେଲେ ରେଳ ମନ୍ତ୍ରଣାଳୟ ଯେଉଁ ଉଦ୍ଦେଶ୍ୟରେ ‌ଜମି ଅଧିଗ୍ରହଣ କରିଥିଲା ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ତାହା ନିୟମର ଉଲ୍ଲଂଘନ ହେବ। ଏହାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରେଳ ମନ୍ତ୍ରଣାଳୟ ଏସଂପର୍କରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଜମିକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ଲାଗି ଅନୁମତି ଦେବା ପାଇଁ ନିୟମରେ ଆବଶ୍ୟକ ସଂଶୋଧନ କରିବାକୁ ମୁଖ୍ୟ ସଚିବଙ୍କୁ ଅନୁ‌ରୋଧ କରିଛି। ରେଲୱେ ବୋର୍ଡର ଭିତ୍ତିଭୂମି ସଦସ୍ୟ ସଞ୍ଜୀବ ମିତ୍ତଲ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲେଖିଥିବା ଏହି ଚିଠିରେ ଉତ୍ତରପ୍ରଦେଶର ଉଦାହରଣ ଦେଇଛନ୍ତି। ଉତ୍ତରପ୍ରଦେଶ ସରକାର ଯେପରି ରେଳ ଜମିକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ସେହିପରି ଓଡ଼ିଶାରେ ଦିଆଯାଉ। କିନ୍ତୁ ରାଜ୍ୟ ସରକାର ଏଥିଲାଗି ରାଜି ହୋଇ ନପାରନ୍ତି ବୋଲି ଖବର ମିଳିଛି।

ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟର ଚିଠି ପାଇବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗର ମତାମତ ଲୋଡ଼ାଯାଇଛି। ରାଜସ୍ବ ବିଭାଗ ଜମି ଅଧିଗ୍ରହଣ ଓ ରେଲୱେକୁ ସ୍ଥାନାନ୍ତର ବେଳେ କ’ଣ ସର୍ତ୍ତ ରଖିଥିଲା, ଜମିର ବ୍ୟବହାର ପରିବର୍ତ୍ତନ ହୋଇପାରିବ କି ନାହିଁ ସେନେଇ ‌ମତାମତ ଦେବ। ନଗର ଉନ୍ନୟନ ବିଭାଗ ବି ସହରର କେଉଁ ଅଞ୍ଚଳ ପାଇଁ କ’ଣ ଯୋଜନା ରଖିଛି, ସେଠାରେ ଜମି ବ୍ୟବହାର ବଦଳିଲେ ସହରର ମାଷ୍ଟରପ୍ଲାନ୍‌ ଉପରେ କ’ଣ ପ୍ରଭାବ ପଡ଼ିବ, ରେଲୱେ ଯେଉଁ ଯୋଜନା କରୁଛି ତାହା ଉକ୍ତ ଅଞ୍ଚଳରେ ହୋଇପାରିବ କି ନାହିଁ, କ’ଣ ସମସ୍ୟା ହେବ ସେନେଇ ମତାମତ ଦେବ। ଏହାପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା ହେବ। ଏହାପରେ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

RailNews Media India Ltd

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ରେଳପଥ ବିଛାଇବା ପାଇଁ ହେଉ କି ରେଲୱେର ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ହଜାର ହଜାର ଏକର ଜମି ମାଗଣାରେ ରେଲୱେକୁ ଦେଇଛନ୍ତି। ଏପରିକି ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ହୋଇଛି ସେଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରିଛନ୍ତି। ରେଳ ଲାଇନ,‌ ରେଳ ଷ୍ଟେସନ ଏବଂ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପକୁ ନଜରରେ ରଖି ଉକ୍ତ ଅଞ୍ଚଳର ମାଷ୍ଟର ପ୍ଲାନ୍ ଏବଂ ଜୋନାଲ ଡେଭଲପମେଣ୍ଟ ପ୍ଲାନ୍ ହୋଇଛି। ଏବେ ସେମାନେ ଯଦି ସେହି ଜମିରେ ବ୍ୟାବସାୟିକ ପ୍ରତିଷ୍ଠାନ କରିବେ, ତେବେ ଆମେ କିପରି ଅନୁମତି ଦେବୁ? ବିଭିନ୍ନ ସ୍ଥାନରେ ସାଧାରଣ ପ୍ରଶାସନ ବିଭାଗ, ରାଜସ୍ବ ବିଭାଗ ଜମି ଅଧିଗ୍ରହଣ କରି ଦେଇଛନ୍ତି। ଜମି କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ତାହା ସ୍ପଷ୍ଟ ଉଲ୍ଲେଖ ହୋଇଛି। ରେଳ ମନ୍ତ୍ରଣାଳୟ ବ୍ୟବସାୟ କରିବ ବୋଲି ଆମେ କ’ଣ ସେମାନଙ୍କୁ ‌ଜମି ଦେଇଦେବୁ ଓ ନିୟମ ବଦଳାଇ ଦେବୁ?

ଏହାବାଦ୍ ରେଳ ଲାଇନ୍ ବିଛାଇବା ପାଇଁ ଯେଉଁ ଜମି ରାଜ୍ୟ ସରକାର ମାଗଣାରେ ବା କମ୍‌ ଦାମ୍‌ରେ ଦେଇଛନ୍ତି ତାହା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଦେଇଛନ୍ତି। ଏବେ ଯଦି ସେମାନେ ସେଠାରେ ମଲ୍‌, ସପିଂ କମ୍ପ୍ଲେକ୍ସ, ଆପାର୍ଟମେଣ୍ଟ ନିର୍ମାଣ କରି ଭଡ଼ା ନେବେ ବା ବିକିବେ ତାହାଦ୍ବାରା ରାଜ୍ୟ ସରକାର କିଛି ଉପକୃତ ହେବେନି।

ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରେଳ ଲାଇନ୍ ବିଛାଇବା ଓ ରେଳ ଷ୍ଟେସନ ନିର୍ମାଣକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଜମି ଆବଣ୍ଟନ ହେବା ପରେ ସ୍ଥାନୀୟ ଅଞ୍ଚଳ ପାଇଁ ଆମେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥାଉ। ସେହି ଅନୁଯାୟୀ ରାସ୍ତା, ଡ୍ରେନ୍ ନିର୍ମାଣ ସ୍ବେରେଜ୍ ଲାଇନ୍ ବିଛାଇବା, କୋଠା ନିର୍ମାଣ ପାଇଁ ଅନୁମତି ଦେଇଛୁ। ଯଦି ଅଲଗା କିଛି ପ୍ରକଳ୍ପ ହେବ ତେବେ ଆମକୁ ଭିତ୍ତିଭୂମି ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଏହାବାଦ୍ ସାଧାରଣ ଲୋକ ହଇରାଣ ହେବେ। ତେଣୁ ରେଳ ମନ୍ତ୍ରଣାଳୟ ଯଦି ପିପିପି ପ୍ରକଳ୍ପରେ କିଛି ଆୟ କରିବାକୁ ଚାହୁଁଛି ତେବେ ରେଳ ଷ୍ଟେସନଗୁଡ଼ିକରେ କରୁ।

ଅପରପକ୍ଷେ ରେଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ରେଲୱେରେ ଅଧିକ ପୁଞ୍ଜିନିବେଶ ପାଇଁ ରେଲ୍‌ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି (ଆର୍‌ଏଲ୍‌ଡିଏ)କୁ ରେଲୱେର ଅବ୍ୟବହୃତ ଜମିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ କୁହାଯାଇଛି। ଆମେ ରାଜ୍ୟ ସରକାରଙ୍କୁ ଏନେଇ ଜଣାଇଛୁ। ଆମକୁ ରାଜ୍ୟ ସରକାର ଜମି ଦେବା ପରେ ଏହା ଉପରେ ଆମର ଅଧିକାର। ଆମର ବହୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଜମି ଅବ୍ୟବହୃତ ହୋଇ ପଡ଼ିଛି। ତେଣୁ ଏହାକୁ ଆମେ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଅଧିକ ରାଜସ୍ବ ପାଇବୁ। ରାଜ୍ୟରେ ପ୍ରକଳ୍ପ କରିବାକୁ ଥିବାରୁ ରାଜ୍ୟ ସରକାରଙ୍କ ଅନୁମତି ମାଗିଛୁ।

ସମ୍ବନ୍ଧିତ ଖବର