ଭୁବନେଶ୍ବର : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଏମ୍‌ପି ଲ୍ୟାଡ୍‌ ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ବାହାନଗା ଓ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧ କୋଟି ମଞ୍ଜୁର ହୋଇଛି। ଏଥିରେ କମ୍ୟୁନିଟି ସେଣ୍ଟର ଓ ହଲ୍ ସହିତ ଶୌଚାଳୟ, ଥଣ୍ଡା ପାନୀୟ ଜଳ ଯୋଗାଣ, ବାସୁଳି ହାଇସ୍କୁଲ ନିକଟରେ ଶିଶୁ ପାର୍କ ଓ ଜିମ୍ ନିର୍ମାଣ, ଜାତୀୟ ରାଜପଥ-୧୬ରୁ ୯୫ ନମ୍ବର ଲେବଲ କ୍ରସିଂ ପର୍ଯ୍ୟନ୍ତ ସଂଯୋଗକାରୀ ରାସ୍ତାର ସମ୍ପ୍ରସାରଣ ଓ ମଜବୁତ କରାଯିବ। ଏଥିସହ ସାଥିଠାରେ ସରତିରା ଗ୍ରାମ ରାସ୍ତାର ମରାମତି, ପ୍ରାଣବନ୍ଧୁ ବିଦ୍ୟାପୀଠ ଖେଳ ପଡ଼ିଆର ଉନ୍ନତି ଓ ୪୨ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପାଇଁ ଆଡଭାନ୍ସଡ ଲାଇଫ ସପୋର୍ଟ (ଏଏଲ୍‌ଏସ୍‌) ଆମ୍ବୁଲାନ୍ସ କ୍ରୟ ପାଇଁ ୩୫ ଲକ୍ଷ, ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ଗୋଟିଏ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୨୦ ଲକ୍ଷ ଟଙ୍କା କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ମଞ୍ଜୁର କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଗତ ଜୁନ ୨୦ ଓ ୨୧ରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣାସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ, ଗ୍ରାମବାସୀ ଓ ବେସରକାରୀ ସଂସ୍ଥାଙ୍କୁ ଭେଟି ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନେ କରିଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅଞ୍ଚଳରେ ଉପଯୁକ୍ତ ଆଲୋକ ବ୍ୟବସ୍ଥା ଓ ରାତ୍ରି ସମୟରେ ଦୃଶ୍ୟମାନ ପାଇଁ ଫ୍ଲଡ ଲାଇଟ ବ୍ୟବସ୍ଥା ସହ ୨ଟି ହାଇମାଷ୍ଟ ଲାଇଟ ପ୍ରଦାନ କରିବା ବାବଦରେ ଅର୍ଥ ବରାଦ କରାଯାଇଛି। ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ହ୍ୟୁମ୍ ପାଇପ୍ ସ୍ଥାପନ କାର୍ଯ୍ୟ ଜୋରସୋରରେ ଚାଲିଛି। ଟ୍ରେଞ୍ଚିଂ କାର୍ଯ୍ୟ ହୋଇସାରିଛି ଏବଂ କାର୍ଯ୍ୟ ସ୍ଥଳରେ ନିର୍ମାଣ ସାମଗ୍ରୀ ଉପଲବ୍ଧ ରହିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ ହେବ। ଏହି ବିକାଶମୂଳକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି।