ରେଳ ପ୍ରକଳ୍ପର ହିସାବ ଦେଲେ ରେଳମନ୍ତ୍ରୀ: ଅର୍ଥ ଅଛି, ଜମି ଦିଅ, କାମ ଆଗେଇବ

ଜୁନାଗଡ଼-ଭଦ୍ରାଚଳମ୍‌ ପ୍ରକଳ୍ପକୁ ମିଳିଲା ଅନୁମୋଦନ
ଖୋର୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପରେ ଜମି ବାଧକ
ରେଳ ବିକାଶ କାର୍ଯ୍ୟରେ ରାଜନୀତି କରନ୍ତୁ ନାହିଁ

ଭୁବନେଶ୍ବର : ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରେଳ ବଜେଟ୍‌ରେ ପ୍ରତିବର୍ଷ ଓଡ଼ିଶାକୁ ୮୦୦ କୋଟି ଟଙ୍କା ମିଳୁଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ରେଳ ବଜେଟ୍‌ରେ ଓଡ଼ିଶାକୁ ୫ ଗୁଣ ଅଧିକ ଅର୍ଥ ମିଳୁଛି। ୨୦୧୪-୧୫ରେ ୪୭୦୦ କୋଟି ଦିଆଯାଇଥିଲା। ପର୍ଯ୍ୟାୟକ୍ରମେ ତାହା ବୃଦ୍ଧି ପାଇ ୨୦୨୧-୨୨ରେ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶାରେ ରେଳ ବିକାଶ ପାଇଁ କେବେ ବି ଅର୍ଥ ପ୍ରତିବନ୍ଧକ ସାଜିବ ନାହିଁ। ବଜେଟ୍‌ରେ ପ୍ରଚୁର ଅର୍ଥ ରହିଛି। ରେଳ ପ୍ରକଳ୍ପ ଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେଲେ ବିକାଶ ମାଡ଼ି ଚାଲିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ଭୁବନେଶ୍ବର ରେଳ ଷ୍ଟେସନଠାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ରାଜଧାନୀ କୋଚ୍‌ ସଂଯୋଗର ଉଦ୍‌ଘାଟନ କରି ‌କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ ମନ୍ତ୍ରଣାଳୟ ଦାୟିତ୍ବ ଗ୍ରହଣ ପରେ ସମସ୍ତେ ପଚାରୁଥିଲେ ଖୋର୍ଧାରୋଡ-ବଲାଙ୍ଗୀର ରେଳପଥ କାର୍ଯ୍ୟ କେବେ ସରିବ। ବିଭିନ୍ନ ଜିଲ୍ଲା ବୁଲିବା ସମୟରେ ବି ଲୋକେ ପଚାରୁଥିଲେ ଆମ ଅଞ୍ଚଳକୁ କାହିଁକି ରେଳ ନାହିଁ। ସେତେବେଳେ ମୁଁ ସବୁ ଶୁଣି କୌଣସି ପ୍ରତିଶ୍ରୁତି ଦେଇନଥିଲି। କାରଣ ମୁଁ କାମରେ ବିଶ୍ବାସ କରେ। ପ୍ରତିଶ୍ରୁତିରେ ନୁହେଁ। ତେ‌ଣୁ କାମ ହେବ। ମାତ୍ର ଜମି ଦେବା, ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅନୁମତି ଦାୟିତ୍ବ ରାଜ୍ୟ ସରକାରଙ୍କର। ସମସ୍ତେ ମିଶି କାମ କଲେ ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ିବା। ଖୋର୍ଧାରୋଡ-ବଲାଙ୍ଗୀର ‌ରେଳ ପ୍ରକଳ୍ପର ଖୋର୍ଧାରୁ ମହିପୁର ପର୍ଯ୍ୟନ୍ତ କାମ ସରିଥିଲା। ଏବେ ମହିପୁର କାମ ସରିଆସିଲାଣି। ମହିପୁରରୁ ନୂଆଗାଁ କାମ ଫେବ୍ରୁ୍ଆରି ଶେଷ ସୁଦ୍ଧା ସରିବ ଏବଂ ସେଥିରେ ଟ୍ରେନ୍‌ ଚାଲିବ। ନୂଆଗାଁରୁ ଦଶପଲ୍ଲା ପର୍ଯ୍ୟନ୍ତ ଥିବା ସମସ୍ୟାର ସମାଧାନ ହୋଇଛି। ଆସନ୍ତା ୧୦ ମାସ ମଧ୍ୟରେ ଦଶପଲ୍ଲା ପର୍ଯ୍ୟନ୍ତ କାମ ଶେଷ ହୋଇଯିବ। ଦଶପଲ୍ଲାରୁ ବୁଗୁଡ଼ା ପର୍ଯ୍ୟନ୍ତ କାମ ବିଳମ୍ବ ହେଉଛି। ଜଙ୍ଗଲ ଜମି ଅନୁମତି ମିଳିଲେ କାମ ଆଗେଇବ। ବଲାଙ୍ଗୀରରୁ ସୋନପୁର, ବୌଦ୍ଧ, ଚମ୍ପାପୁର ପର୍ଯ୍ୟନ୍ତ କାମ ଜୋରସୋରରେ ଚାଲିଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହା ଶେଷ ହେବ।

ଆହୁରି ହିସାବ ଦେ‌ଇ କହିଲେ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଲାଗି ବହୁ ପୂର୍ବରୁ ଦାବି ହେଉଥିଲା। ୧୦ ଦିନ ତଳେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ଜମି ଅଧିଗ୍ରହଣ କଲେ କାମ ଆଗେଇବ। ଜୁନାଗଡ଼ରୁ ଭଦ୍ରାଚଳମ୍‌ ପର୍ଯ୍ୟନ୍ତ ରେଳ ପ୍ରକଳ୍ପକୁ ଆଜି ଅନୁମତି ମିଳିଛି। ଜୁନାଗଡ଼ରୁ ନବରଙ୍ଗପୁର ସର୍ଭେ ଅନୁମତି ‌ଦିଆଯାଇଛି। ନବରଙ୍ଗପୁରରୁ ଜୟପୁର ଓ ଜୟପୁରରୁ ମାଲକାନଗିରି ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଚାଲିଛି। ରାଜ୍ୟ ସରକାର ଜାଗା ଯୋଗାଇ ଦେଲେ ପ୍ରକଳ୍ପ ଆଗକୁ ବଢ଼ିବ।ଏହାଦ୍ବାରା ବର୍ଷ ବର୍ଷ ଧରି ରେଳ ପ୍ରକଳ୍ପ ଦେଖିବାକୁ ଚାହୁଥିବା ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଏବେ ରେଳ ଦେଖିବ। ରେଳ ବିକାଶ କାମରେ କୌଣସି ରାଜନୀତି ନ ପୂରାଇବାକୁ ସେ ଅନୁରୋଧ କରିବା ସହ ସମସ୍ତେ ମିଶି ‌କାମ କରିବାକୁ ଆହ୍ବାନ ଦେଇଥିଲେ। ଅନୁଗୁଳର ଗୋଟିଏ ସେକ୍ସନରେ ଲୋକଙ୍କ ପ୍ରତିବାଦ ଯୋଗୁଁ କାମ ଆଗେଇ ପାରୁନି। ଏହି ସମସ୍ୟାର ସମାଧାନ ଲାଗି ଜନପ୍ରତିନିଧି ଆଗେଇ ଆସନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ୭ଟା ବିଭାଗ ଦେଇଛନ୍ତି। ତାହାର ଲାଭ ଉଠାଇବାକୁ ପଡ଼ିବ ବୋଲି ସେ କହିଥିଲେ।

ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ରେଳବାଇ ଅର୍ଥନୀତିରେ ଓଡ଼ିଶାର ବହୁତ ବଡ଼ ଅବଦାନ ରହିଛି। ସୁନ୍ଦରଗଡ଼, ଚାଳ‌ଚେର, ବ୍ରଜରାଜନଗର, ବଡ଼ବିଲ୍‌, ଯୋଡ଼ା, ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର ଆଦି ଅଞ୍ଚଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରୋଜଗାରର ପେଣ୍ଠସ୍ଥଳୀ। ଓଡ଼ିଶା ସରକାର ବି ବହୁତ ଲାଭାଂଶ ପାଆନ୍ତି। ମାତ୍ର ତାହା ସାମ୍ନାକୁ ଆସେ ନାହିଁ। କେନ୍ଦୁଝର, ସୁଦରଗଡ଼, ଅନୁଗୁଳ, ଯାଜପୁର ଢେଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡାରେ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ରହିଛି। ତେବେ ଏହି ପାଣ୍ଠି କେଉଁଠି ଖର୍ଚ୍ଚ ହେଉଛି ତାହା ଜଣାନାହିଁ। ଯଦି ତାହା ଠିକ୍‌ ଭାବେ ଖର୍ଚ୍ଚ ହୋଇଥାନ୍ତା ତେବେ ନଗଡ଼ା ଭଳି ଚିତ୍ର ଦେଖିବାକୁ ପଡ଼ି ନ ଥାନ୍ତା।

ଉଦ୍‌ଘାଟନରେ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା‌ ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁ‌ରେଶ କୁମାର ରାଉତରାୟ ସମ୍ମାନିତ ଅତିଥି ଭା‌ବେ ଯୋଗଦେଇ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ଦିଗରେ ପଦକ୍ଷେପ ନେବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପୂର୍ବତଟ ରେଳପଥ ଓ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ସ୍ବାଗତ ଭାଷଣ ଦେବା ସହ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ରାଜଧାନୀ କୋଚ୍‌ ସଂଯୋଗର ଉପକାରିତା ସମ୍ପର୍କରେ କହିଥିଲେ। ଖୋର୍ଧାରୋଡ ରେଳ ମଣ୍ଡଳ ଡିଆର୍‌ଏମ୍‌ ରିଙ୍କେସ୍‌ ରଏ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର