ଝାରସୁଗୁଡ଼ା : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସ୍ଥାନୀୟ ସର୍କିଟ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ବିଶେଷ କରି ଝାରସୁଗୁଡ଼ାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳମଣ୍ଡଳର ବିଭିନ୍ନ ପ୍ରକଳ୍ପର ସ୍ଥିତି ବିଷୟରେ ସମୀକ୍ଷା​ କରିଥିଲେ। ନିର୍ମାଣାଧୀନ ଓ ଅଧା ପଡ଼ିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହ ରେଳଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ।
ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଥିଲେ, ଝାରସୁଗୁଡ଼ା ଜିଲ୍ଲାରେ ଥିବା ତିନୋଟି ରେଳ ଡିଭିଜନ୍ ନେଇ କାର୍ଯ୍ୟ ପ୍ରଣାଳୀରେ ରହିଥିବା ସମସ୍ୟା ଓ ନୂତନ ଡିଭିଜନ୍ ଗଠନ ନେଇ ଅନୁଧ୍ୟାନ କରାଯିବ। ସେହିପରି ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ, ମାଲକାନଗିର, ଜୟପୁର, କୋରାପୁଟ, ନବରଙ୍ଗପୁର, ଥିରୁବାଲି-ଗୁଣୁପୁର ଲାଇନ୍ର ସମସ୍ୟା ସମାଧାନ କରାଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିବା ସେ ସୂଚନା ଦେଇଥିଲେ। ଓଡ଼ିଶା ଭଳି ଏକ ପବିତ୍ର ମାଟିର ଉନ୍ନତି ପାଇଁ ସେ ବ୍ୟକ୍ତଗତ ଭାବରେ ଉଦ୍ୟମ କରିବାକୁ ଖୁବ୍ ଆଗ୍ରହୀ ବୋଲି କହିଥିଲେ। ଡାକ ବିଭାଗ ଉପରେ ସୂଚନା ଦେଇ କହିଥିଲେ, ସ୍ପିଡ୍ପୋଷ୍ଟ,ପାର୍ସଲ ବ୍ୟବସ୍ଥାକୁ ଲୋକେ ପସନ୍ଦ କରୁଛନ୍ତି। ଆଗକୁ ଅନେକ ନୂଆ ସ୍କିମ୍ ମାଧ୍ୟମରେ ଡାକ ବିଭାଗର ଉନ୍ନତି କରାଯିବା।
ସ୍ବତନ୍ତ୍ର ଟ୍ରେନ୍ ଆଳରେ ଅଧିକ ଟିକେଟ ଆଦାୟ ଉପରେ ମନ୍ତ୍ରୀ କହିଥିଲେ, କୋରନା ସ୍ଥିତି ସୁଧୁରିବା ସହିତ ରେଲୱେରେ ମଧ୍ୟ ୭୫ ରୁ ୮୦ ପ୍ରତିଶତ ଟ୍ରେନ୍ ନିୟମିତ ହେଲାଣି। ଆଉ ଗୋଟିଏ ଦୁଇମାସ ଅପେକ୍ଷା କରିବା ପରେ ଏହି ସମସ୍ୟା ନିଶ୍ଚିତ ସମାଧାନ ହେବ ବୋଲି ମନ୍ତ୍ରୀ କହିଥିଲେ। ସଫ୍ଟୱେର ଡେଭଲପମେଣ୍ଟ ଉପରେ ମତ ଦେଇ କହିଥିଲେ, ଏଥିପାଇଁ ଏକ ଇକୋ ସିଷ୍ଟମ ତିଆରି ହୁଏ। ଏହା ତିଆରି ହେବାକୁ ୩୦/୪୦ ବର୍ଷ ଲାଗେ। ବାଙ୍ଗାଲୋର ଭଳି ସହରକୁ ଅନେକ ବର୍ଷ ଲାଗି ରହିଥିଲା। ବିଦ୍ୟାଳୟସ୍ତରରୁ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସ୍ଥାନୀୟ ସାର୍କିଟ ହାଉସକୁ ଯାଇ ସିଧାସଳଖ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ରେଳବାଇର ଭିତ୍ତିଭୂମି ବିକାଶ କାର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସବିଶେଷ ଆଲୋଚନା ହୋଇଥିଲା। ବିଶେଷ କରି ଝାରସୁଗୁଡା ଅଞ୍ଚଳରେ ରେଳବାଇର ବିକାଶ, ଏକୀକୃତ ରେଳମଣ୍ଡଳ ପ୍ରସ୍ତାବ, ଐତିହ୍ୟ ସମ୍ପନ୍ନ ରେଳ ଷ୍ଟେସନର ମାନ୍ୟତା, ରେଳବାଇ ଓଭରବ୍ରିଜ୍ ଆଦି ସଂକ୍ରାନ୍ତରେ ଆଲାଚନା ହୋଇଥିଲା। ବିଭିନ୍ନ ସ୍ଥାନରେ ଜାରି ରହିଥିବା ରେଳପଥ ସମ୍ପ୍ରସାରଣ ଓ ଅନ୍ୟାନ୍ୟ ​ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ଚାପ ପକାଇଥିଲେ। ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ପୂର୍ବ ବିଧାୟକ ରାଧାରାଣୀ ପଣ୍ଡା, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ, ଉଭୟ ମଣ୍ଡଳର ମଣ୍ଡଳାଧୀଶ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/rail-minister.jpg)