ପୂର୍ବ ଭାରତର ବିକାଶରେ ଯୋଡ଼ିହେବ ଓଡ଼ିଶା, ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ସବୁଜ ସଙ୍କେତ: କେନ୍ଦ୍ର ରେଳ ମନ୍ତ୍ରୀ

ରାୟଗଡ଼ାରେ ଅଶ୍ବିନୀ ବୈଷ୍ଣବ 

ରାୟଗଡ଼ା: ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରତି ଘରକୁ ପାଇପ ଯୋଗେ ପାଣି, ଉଜ୍ବଳା ଯୋଜନାରେ ରନ୍ଧନ ଗ୍ୟାସ, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ ପାଇଁ ପ୍ରୟାସ ଚାଲିଛି। ପ୍ରତି ଗାଁକୁ ଫାଇଭର ସଂଯୋଗ ସହ ରେଳ-ସଡ଼କ-ଟେଲିଫୋନ୍ ସେବା ଯୋଗାଇବାକୁ ଗୁରୁତ୍ବ ଦିଆଯାଇଛି। ରାୟଗଡ଼ା ଗସ୍ତରେ ଆସି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ପୂର୍ବ ଭାରତର ବିକାଶ ପ୍ରକ୍ରିୟାରେ ଓଡ଼ିଶାକୁ ଯୋଡ଼ି ଶୀର୍ଷରେ ପହଞ୍ଚାଇବାକୁ ମୋଦି ସଂକଳ୍ପ କରିଛନ୍ତି।

ପ୍ରଥମ ଥର ପାଇଁ ମୋଦୀ କ୍ୟାବିନେଟରେ ଓଡ଼ିଶାକୁ ୭ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ରେଳ, ଯୋଗଯୋଗ, ଆଇଟି, ଶିକ୍ଷା, କୌଶଳ, ଆଦିବାସୀ ବ୍ୟାପାର, ଜଳଶକ୍ତି ଭଳି ବିଭାଗ ଓଡ଼ିଶାର ଭାଗ୍ୟ ବଦଳାଇବ। ବହୁ ପ୍ରତିକ୍ଷୀତ ଗୁଣପୁର-ଥେରୁବାଲି ରେଳ ଲାଇନ ସଂଯୋଗୀକରଣକୁ ସବୁଜ ସଙ୍କେତ ଦେଇଛନ୍ତି ମନ୍ତ୍ରୀ। ଜମି ଅଧିଗ୍ରହଣ ସଂପର୍କରେ ଓଡ଼ିଶା ସରକାରଙ୍କ ସହ ଆଲୋଚନା ପରେ ପ୍ରକଳ୍ପର କିଲୋମିଟର ଅନୁଯାୟୀ ସମୀକ୍ଷା କରି ନିର୍ମାଣ କାମ ଆରମ୍ଭ ହେବ। ସେହିପରି ନୂତନ ରେଳ ଡିଭିଜନ୍ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଡିଭିଜନ୍ କାର୍ଯ୍ୟାଳୟ ପାଇଁ ଚିହ୍ନଟ ସ୍ଥାନକୁ ମନ୍ତ୍ରୀ ବୁଲି ଦେଖିଥିବା ବେଳେ ଡିପିଆର ଅନୁଧ୍ୟାନ ପରେ କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଗ୍ରାମାଞ୍ଚଳର ବିକାଶରେ ରାସ୍ତା ଓ ମୋବାଇଲ୍ କନେକ୍ଟଭିଟ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଅପହଞ୍ଚ ଅଞ୍ଚଳକୁ ନୂତନ ରାସ୍ତା ନିର୍ମାଣ ସହ ମୋବାଇଲ୍ ଟାୱାର ସ୍ଥାପନ, ୱାଇଫାଇ, ବ୍ରଡବ୍ୟାଣ୍ଡ ସେବା ଯୋଗାଇବା କାମ ତ୍ବରାନିତ ହେବ। ଆଦିବାସୀଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣି ବିକାଶର ମୁଖ୍ୟସ୍ରୋତରେ ସାମିଲ୍ କରାଯିବ। କ୍ଷତିରେ ଚାଲିଥିବା ବିଏସଏନ୍ଏଲ୍ ଗତ ୪ ବର୍ଷରେ ପ୍ରଥମ ଥର ପାଇଁ ଲାଭ ଆଡକୁ ମୁହାଁଉଛି। ଖୁବ୍ ଶୀଘ୍ର ୪-ଜି ସେବା ଗ୍ରାହକଙ୍କୁ ମିଳିବ। ସମସ୍ତଙ୍କ ସହଯୋଗ ରହିଲେ ଓଡ଼ିଶାର ଦାବିକୁ ସଂପୂର୍ଣ୍ଣ ରୂପରେଖ ଦେବାରେ କୌଣସି ଅସୁବିଧା ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ହୀରାଖଣ୍ଡ ଟ୍ରେନ୍ ଯୋଗେ ଆସି ମନ୍ତ୍ରୀ ଭୋର ୪ଟା ୪୫ ମିନିଟରେ ରାୟଗଡ଼ାରେ ପହଞ୍ଚିଥିଲେ। ରେଳ ଯାତ୍ରା ସମୟରେ ଯାତ୍ରୀଙ୍କୁ ରେଳ ସେବା ସଂପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ। ରାୟଗଡ଼ା ଷ୍ଟେସନରେ ପହଞ୍ଚିବା ପରେ ସର୍କିଟ୍ ହାଉସ୍ ଅଭିମୁଖେ ଯାଇ ସକାଳ ୮ଟାରେ ଉଜ୍ବଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସାଢ଼େ ୮ଟାରେ ଜନ ଆଶୀର୍ବାଦ ରାଲିରେ ଯୋଗଦେଇ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କୁ ଦର୍ଶନ କରି କରି ବୃକ୍ଷରୋପଣ କରିବା ସହ ତୃତୀୟ ଲାଇନ୍ ରେଳ କାମର ଅନୁଧ୍ୟାନ କରିଥିଲେ। ରାଲିରେ ସହର ପରିକ୍ରମା କରି ପୂଜ୍ୟପୂଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମନ୍ତ୍ରୀ ସମ୍ବର୍ଧନା ସଭାରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର