ରାତି ଅଧରେ ଓଡ଼ିଶା କଥା ବୁଝିଲେ ରେଳମନ୍ତ୍ରୀ

ପଦାଧିକାରୀଙ୍କ ସହ ରେଳ ପ୍ରକଳ୍ପର ସମୀକ୍ଷା

ଭବିଷ୍ୟତ ପାଇଁ ପ୍ରସ୍ତୁତ କଲେ ରୋଡମ୍ୟାପ୍‌
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଗୁରୁତ୍ବ

ଭୁବନେଶ୍ବର : କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଅଧ ରାତିରେ ପୂର୍ବତଟ ରେଳପଥ ଅଧୀନରେ ଥିବା ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ନିଜ ମନ୍ତ୍ରଣାଳୟରେ ବସି ଓଡ଼ିଶାର କେଉଁ ପ୍ରକଳ୍ପ କାର୍ଯ୍ୟ କେତେ ବାଟ ଆଗେଇଛି ସେନେଇ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଗୋଟି ଗୋଟି କରି ବୁଝିଛନ୍ତି।

୩୦୬ କିମିର ଖୋର୍ଧାରୋଡ-ବଲାଙ୍ଗୀର ରେଳପଥର ଅଗ୍ରଗତିକୁ ମନ୍ତ୍ରୀ ଅଧିକ ଗୁରୁତ୍ବ ଦେଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ କାର୍ଯ୍ୟ ‌କେତେ ବାଟ ପର୍ଯ୍ୟନ୍ତ ଯାଇଛି, କେଉଁଠି ଅଟକି ରହିଛି, କ’ଣ ପାଇଁ ବିଳମ୍ବ ହେଉଛି ଆଦି ବିଷୟରେ ପଚାରି ବୁଝିଛନ୍ତି। ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ, ତାଲଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍‌ ନିର୍ମାଣର ସମୀକ୍ଷା କରିଛନ୍ତି। ସେହିପରି ବଂଶପାଣି-ଦୈତାରୀ-ଟୋମକା-ଜଖପୁରା, ସମ୍ବଲପୁର-ଟିଟିଲାଗଡ଼, ଖୋର୍ଧାରୋଡ-ବାରଙ୍ଗ, ବିଜୟନଗରମ୍‌-ସମ୍ବଲପୁର, ତାଳଚେର-ସମ୍ବଲପୁର ରେଳଲାଇନ୍‌ ଡବଲିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହାବ୍ୟତୀତ ତାଳଚେରର ଝରପଡ଼ା-ବୁଢ଼ାପଙ୍କ ଫ୍ଲାଏଓଭର, ସାଲେଗାଁ-ବୁଢ଼ାପଙ୍କ, ଭଦ୍ରକ-ନିର୍ଗୁଣ୍ଡି, ଜଗଦଲ୍‌ପୁର-କୋରାପୁଟ, କୋରାପୁଟ-ସିଂଘପୁର, ନାରାୟଣଗଡ଼-ଭଦ୍ରକ, ରାଏପୁର-ଟିଟିଲାଗଡ଼, ରାଉରକେଲା-ଝାରସୁଗୁଡ଼ା, ଝାରସୁଗୁଡ଼ା-ବିଳାସପୁର ଆଦି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଥିବା ଜଣାପଡ଼ିଛି।

ଏଥିସହ ଓଡ଼ିଶାରେ ଭବିଷ୍ୟତ ରେଳପଥର ବିକାଶ ନେଇ ମଧ୍ୟ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଶିଳ୍ପ ଓ ଖଣିଜ ସମ୍ପଦରେ ଓଡ଼ିଶା ପରିପୂର୍ଣ୍ଣ ହୋଇଥିବାରୁ ପରିବହନ କ୍ଷେତ୍ରକୁ ରେଳବାଇକୁ କିଭଳି ଅଧିକ ବ୍ୟାପକ କରାଯାଇ ପାରିବ ସେନେଇ ମଧ୍ୟ ମାନସମନ୍ଥନ କରିଛନ୍ତି। ବିଶେଷକରି କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ପରି ଶିଳ୍ପ ସହରରୁ ପାରାଦୀପକୁ କିଭଳି ଅଧିକ ସଂଯୋଗ ହୋଇପାରିବ ସେନେଇ ରୂପରେଖ ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ଦେଇଥିବା ପ୍ରସ୍ତାବଗୁଡ଼ିକ ଉପରେ ମଧ୍ୟ ‌କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ର ସହ କିଭଳି ରେଳୱେକୁ ସଂଯୋଗ କରାଯିବ ସେନେଇ ମଧ୍ୟ ବିଚାର ଆଲୋଚନା ହୋଇଛି।

ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ନିଜ କାର୍ଯ୍ୟାଳୟ ଟେବୁଲ୍‌ ଉପରେ ଓଡ଼ିଶା ମ୍ୟାପ୍‌ ରଖି ରେଲୱେ ପ୍ରକଳ୍ପର ସମୀକ୍ଷା କରୁଥିବା ଭିଡିଓ ମଧ୍ୟ ଛାଡ଼ିଛନ୍ତି। ଏମିତି କରି ସେ ଓଡ଼ିଶାକୁ ‌କେତେ ଗୁରୁତ୍ବ ଦେଉଛନ୍ତି, ତାହା ଦର୍ଶାଇବାକୁ ଚାହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଓଡ଼ିଶାରୁ ସାଂସଦ ଭାବେ ରାଜ୍ୟସଭାକୁ ଯାଇଥିବା ଶ୍ରୀ ବୈଷ୍ଣବ ରାଜ୍ୟ ପ୍ରତି ନିଜର ପ୍ରଥମ ଦାୟିତ୍ବବୋ‌ଧ ପ୍ରଦର୍ଶନ କରିଥିବାରୁ ଟୁଇଟରରେ ବହୁ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର