ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ସାମିଲ ହେବେ ଧର୍ମେନ୍ଦ୍ର
ତପସ୍ୱିନୀ ଏକ୍ସପ୍ରେସରେ ଲାଗିବ ଏଲ୍ଏଚ୍ବି କୋଚ୍
କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶପଥର ଭିତ୍ତିପ୍ରସ୍ତର
ଭୁବନେଶ୍ୱର-ଭଦ୍ରକ ଯାତ୍ରୀବାହୀ ଟ୍ରେନ ବାଲେଶ୍ୱର ଯାଏ ଗଡ଼ିବ
ଭୁବନେଶ୍ବର : କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ଅଶୋକ ନଗରସ୍ଥିତ ବିଏସ୍ଏନ୍ଏଲ୍ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମାଞ୍ଚଳରେ ୩୯୩୩ଟି ମୋବାଇଲ୍ ଟାୱାର ଓ ୨୦୭ଟି ନୂତନ ପୋଷ୍ଟ ଅଫିସର ଉଦ୍ଘାଟନ କରିବେ। ରାତି ସାଢ଼େ ୮ଟା ବେଳେ ଭୁବନେଶ୍ୱର ରେଳଷ୍ଟେସନଠାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଲିଙ୍କେ-ହୋଫମାନ-ବୁଶ(ଏଲ୍ଏଚ୍ବି) କୋଚ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଯାତ୍ରୀଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ତପସ୍ୱିନୀ ଏକ୍ସପ୍ରେସ(୧୮୪୫୨/୧୮୪୫୧)କୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ଏଲ୍ଏଚ୍ବି କୋଚ ସହ ଚଳାଇବାକୁ ସ୍ଥିର ହୋଇଛି। ଉଭୟ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ସାମିଲ୍ ହେବେ। ରେଳଷ୍ଟେସନ୍ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେବେ।
୭ ତାରିଖ ସକାଳୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କଟକ ଚଣ୍ଡୀମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ପରେ କଟକରେ ଏକ ନୂତନ ମୋବାଇଲ୍ ହେଲ୍ଥ ୟୁନିଟ୍ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ କଟକ ରେଳଷ୍ଟେସନ ପରିଦର୍ଶନ ସହ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ମହମ୍ମଦ ମୋକିମ, ସୌଭିକ ବିଶ୍ୱାଳ ପ୍ରମୁଖ କଟକ ରେଳ ଷ୍ଟେସନରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ।
ମଧ୍ୟାହ୍ନରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନଠାରେ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅପରାହ୍ନରେ ବାଲେଶ୍ବର-ନୀଳଗିରି ରେଳପଥର ଭିତ୍ତିପ୍ରସ୍ତର, କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିବା ପରେ ବସ୍ତା ଗସ୍ତ କରି ରେଳ ଷ୍ଟେସନର ଉନ୍ନତୀକରଣ ଓ ଭଦ୍ରକ-ଖଡ଼ଗପୁର ତୃତୀୟ ରେଳ ଲାଇନ୍ କାର୍ଯ୍ୟର ତଦାରଖ କରିବେ। ଜଳେଶ୍ୱର ରେଳ ଷ୍ଟେସନରେ ନୂତନ ବିଲ୍ଡିଂ ଉଦ୍ଘାଟନ କରିବା ପରେ ଭୁବନେଶ୍ବର ଫେରି ଦିଲ୍ଲୀ ପତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/RGD_Railway-Minister-Aswin-Baishanba.jpg)