ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଉତ୍ତର ରଖି ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଗଡ଼ାଇଦେଲେ କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ: ବରଗଡ଼ ଷ୍ଟେସନ୍‌ରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ୍ ଷ୍ଟେସନ୍ ପର୍ଯ୍ୟନ୍ତ ପ୍ରସ୍ତାବିତ ନୂଆ ରେଳଲାଇନ୍ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଆଉ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଚିଠି ଲେଖିଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ସଫା ସଫା ଶୁଣାଇଦେଇଛନ୍ତି ଯେ ଏହି ପ୍ରକଳ୍ପ ବିଳମ୍ବ ପଛରେ କେନ୍ଦ୍ର ସରକାର ନୁହନ୍ତି ବରଂ ରାଜ୍ୟ ସରକାରଙ୍କର ହାତ ଅଛି | କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଉତ୍ତରରେ ସେ ଲେଖିଛନ୍ତି ଯେ ଭାରତ ସରକାର ୨୦୨୧ ମସିହା ଡିସେମ୍ବର ମାସରେ ବରଗଡ଼ ରୋଡ-ନୂଆପଡା ରୋଡ଼ ରେଳ ପ୍ରକଳ୍ପର ଦାୟିତ୍ୱ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ ବା ଓରିଡିଏଲକୁ ଦେଇଥିଲେ | ଓରିଡିଏଲ ଓଡିଶା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ବେଳେ ଏହି ପ୍ରକଳ୍ପକୁ ଆଗେଇ ନେବା ପାଇଁ ଓଡିଶା ସରକାର ସର୍ଭେ, ଯୋଜନା ଓ ଆକଳନ ତଥା ଜମି ଅଧିଗ୍ରହଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ପଡିବ | ଓଡ଼ିଆରେ ଲେଖିଥିବା ଚିଠିରେ  କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି |

ଉଲ୍ଲେଖ ଥାଉ କି ମନ୍ତ୍ରୀ ଟୁକୁନି ସାହୁ ଲେଖିଥିଲେ ଯେ ୨୦୧୮ ଡିସେମ୍ବର ୧୫ ତାରିଖରେ ବରଗଡ଼ ଷ୍ଟେସନରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ଏ ନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ମଧ୍ୟ ଦେଇଥିଲେ। ଆଜିକୁ ଚାରି ବର୍ଷ ହେଲା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ୨୦୧୯ ଜାନୁଆରିରେ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା ଏବଂ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୭.୩୧ % ହାରରେ ଅର୍ଥ ଫେରସ୍ତ ମିଳିବ ବୋଲି କୁହାଯାଇଥିଲା।

୧୦ ଅକ୍ଟୋବର ୨୦୧୯ରେ ରେଲୱେ ବୋର୍ଡ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କୁ ମାଗଣାରେ ଜମି ଏବଂ ବିସ୍ଥାପିତଙ୍କ ପୁନର୍ବାସ ପାଇଁ ହେବାକୁ ଥିବା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲା।ମୁଖ୍ୟମନ୍ତ୍ରୀ ଏଥିପାଇଁ କେବଳ ଯେ ମାଗଣାରେ ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ ତାହା ନୁହେଁ, ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ରେଳ ମନ୍ତ୍ରଣାଳୟକୁ ଜଣାଇ ଦେଇଥିଲେ। ଏହାସତ୍ତ୍ୱେ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଇଟା ଖଣ୍ଡେ ମଧ୍ୟ ପକାଇ ନାହାନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୁଇଟି ଜିଲ୍ଲାର ଲୋକଙ୍କ ମଧ୍ୟରେ ଗମନାଗମନ ସୁବିଧା ହୋଇପାରନ୍ତା। ପଦ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ନୂଆ ରେଳଲାଇନ୍ ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଶ୍ରୀମତୀ ସାହୁ ଦାବି କରିଥିଲେ।

ଆଜି ଶ୍ରୀମତୀ ସାହୁଙ୍କ ଚିଠିର ଉତ୍ତରରେ ଜଣାଇଛନ୍ତି ଯେ କାମଟି ରାଜ୍ୟ ସରକାରଙ୍କ ପାଖରେ ଅଟକିଛି। ରେଳ ମନ୍ତ୍ରଣାଳୟ ଏ ନେଇ କୌଣସି ଅବହେଳା କରିନାହିଁ।

ସମ୍ବନ୍ଧିତ ଖବର