ଟିଟିଲାଗଡ଼: ଟିଟିଲାଗଡ଼ର ରେଳଯାତ୍ରୀମାନେ ରେଳ ବିଭାଗ ପକ୍ଷରୁ ପ୍ରଦତ୍ତ ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଥିବା ଅଭି‌ଯୋଗ କରିଛନ୍ତି। ଏନେଇ ଟିଟିଲାଗଡ଼ ବଣିକ ସଂଘ ପକ୍ଷରୁ ଶମ୍ଭୁ ପ୍ରସାଦ ଗୋଏଲଙ୍କ ନେତୃତ୍ବ ସ୍ଥାନୀୟ ଅତିରିକ୍ତ ରେଳବାଇ ମ୍ୟାନେଜର ଉଦ୍ଧବ ରାମଙ୍କ ଜରିଆରେ ସମ୍ବଲପୁର ଡିଆର୍‌ଏମ୍‌ଙ୍କୁ ଏକ ୨୧ ଦଫା ଦାବିପତ୍ର ଦିଆଯାଇଛି।

Advertisment

ବଣିକ ସଂଘର ସୂଚନା ଅନୁସାରେ, ଟିଟିଲାଗଡ଼ ଏକ ବ୍ୟସ୍ତବହୁଳ ଷ୍ଟେସନ। ଏଠାରେ ୫ଟି ପ୍ଲାଟଫର୍ମ ରହିଥିଲେ ମଧ୍ୟ ୪ ଓ ୫ ନମ୍ବର ପ୍ଲାଟଫର୍ମରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଉକ୍ତ ଦୁଇ ପ୍ଲାଟଫର୍ମ ଯିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩ଟି ବ୍ରିଜ୍‌ରୁ ପୁରଣା ବ୍ରିଜ କାର୍ଯ୍ୟକ୍ଷମ ନାହିଁ। ଅନ୍ୟ ଗୋଟିଏ ବ୍ରିଜ କେବଳ ୨ ଓ ୩ ନମ୍ବର ପ୍ଲାଟଫର୍ମକୁ ସଂଯୋଗ କରିଥାଏ। ଭଲ ଡିସପ୍ଲେ ବୋର୍ଡ ନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଅନେକ ସମୟରେ ୧, ୨, ୩ ନମ୍ବର ପ୍ଲାଟଫର୍ମରେ ମାଳବାହୀ ଟ୍ରେନ୍‌କୁ ଡାଇଭର୍ଟ କରି ୪ ଓ ୫ ନମ୍ବରରେ ଯାତ୍ରୀ ଟ୍ରେନ୍‌କୁ ଦିଆଯାଉଛି ବୋଲି ବଣିକ ସଂଘ ଅଭିଯୋଗ କରିଛି।

ଦାବିଗୁଡ଼ିକ ମଧ୍ୟରେ ଲିଫ୍ଟ ବ୍ୟବସ୍ଥା, କୋଚ୍ ସୂଚକ ପ୍ରଣାଳୀ, ଅପେକ୍ଷା କକ୍ଷ, ସିରଭଟା ପଡ଼ା ଓ ହାଟପଦା ପଡ଼ା କୋଣରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅତିରିକ୍ତ ଟିକଟ କାଉଣ୍ଟର, ପିଇବା ପାଣି ସୁବିଧା, ଶୌଚଳୟ ସୁବିଧା ଆଦି ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, ଜେଡ୍‌ଆର୍‌ୟୁସିସି ସଦସ୍ୟ ଈଶ୍ବର ଚନ୍ଦ ଜୈନ, ସଚିବ ଗୋପାଳ ଜୈନ, କୋଷାଧ୍ୟକ୍ଷ ଶଶିକପୁର ଜୈନ, ସହସଚିବ ଅଙ୍କୁର ଅଗ୍ରୱାଲ, ଦେବୀ ଶର୍ମା, ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ନିରୁ ଶର୍ମା, ବିକାଶ ବିରମିୱାଲ, ତ୍ରିନାଥ ରାଓ, ଦୀପକ ପୋପଟ ସହ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ।