ରେଲୱେ ପୁଲିସର ବର୍ବରତା! ଲାଠିମାଡ଼ରେ ଯୁବକଙ୍କ ଗୋଡ଼ ଭାଙ୍ଗିଲା

ତିହିଡ଼ି : ଭଦ୍ରକ ତିହିଡ଼ି ଥାନା ଅଧୀନ ଧାମରା ରେଳପଥ ମଙ୍ଗଳପୁର ରେଳଧାରଣା ନିକଟରେ ରେଲୱେ ପୁଲିସର ବର୍ବରତା ଓ ଅମାନବୀୟ କାଣ୍ତ ପଦାକୁ ଆସିଛି। ପାଟ୍ରୋଲିଂରେ ଆସିଥିବା ୪ ଜଣ ରେଲୱେ ପୁଲିସ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ଲାଠି ପ୍ରହାର କରିବା ସହିତ ଗୋଡ଼ ଭାଙ୍ଗିଦେଇ ରେଳଧାରଣାକୁ ଫିଙ୍ଗି ଦେଇଥିଲେ। ଯୁବକଙ୍କୁ ଅଚେତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ, କୋହ୍ଲ ଗ୍ରାମର ବାବୁଲି ପ୍ରଧାନ(୫୨) ସୋମବାର ଅପରାହ୍ନରେ ମଙ୍ଗଳପୁର ରେଳପଥ ନିକଟରେ ଯାଉଥିବାବେଳେ ଏକ ବୋଲେରୋରେ ଆସିଥିବା ୪ ଜଣ ରେଲୱେ ପୁଲିସ ଅଟକାଇଥିଲେ। ରେଳପଥରୁ କୋଇଲା ଚୋରି କରିଥିବା ଆଳ ଦେଖାଇ ବାବୁଲିକୁ ଲାଠିରେ ସଂଘବଦ୍ଧ ଭାବେ ନିର୍ଘାତ୍ ମାରିଥିଲେ। ବାବୁଲି ତଳେ ପଡ଼ି ଚିତ୍କାର କରୁଥିଲେ ମଧ୍ୟ ସେମାନଙ୍କର ନୃଶଂସତା ଥମିନଥିଲା। ମାଡ଼ରେ ବାବୁଲିଙ୍କ ଡାହାଣ ଗୋଡ଼ର ଆଣ୍ଠୁତଳ ହାଡ଼ ଭାଙ୍ଗି ଯାଇଥିବାବେଳେ ବାମହାତ କହୁଣିରେ ପ୍ରବଳ ଆଘାତ ଲାଗିଛି। ଗାଁ ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ‌େର ଭର୍ତ୍ତି କରିଥିଲେ। ବାବୁଲିଙ୍କ ପରିବାର ପକ୍ଷରୁ ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଛି। ଜିଲ୍ଲା ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର