ଦୂର ହେଉନି ରେଳ ସମସ୍ୟା: କ୍ଷତିପୂରଣ, ଥଇଥାନକୁ ପଛଘୁଞ୍ଚା
ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ
ରାଉରକେଲା : ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନର ରାଜସ୍ବର ସିଂହଭାଗ ସୁନ୍ଦରଗଡ଼ ଜିଲ୍ଲାରୁ ହିଁ ଆଦାୟ ହେଉଛି। ଏହାସତ୍ତ୍ବେ ସୁନ୍ଦରଗଡ଼ ଜିଲ୍ଲାକୁ ରେଳବାଇର ଅବହେଳା ଆଉ କାହାକୁ ଅଛପା ନାହିଁ। ଅନୁମୋଦନରେ ପ୍ରୀୟାପ୍ରିତି ହେଉ ହେବା ରେଳ ସେବାକୁ ବ୍ୟାପକ କରିବା; ସବୁ କ୍ଷେତ୍ରରେ ବୈମାତୃକ ମନୋଭାବର ଶିକାର ହୋଇଛି ଜିଲ୍ଲା। ଏବେ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ କ୍ଷେତ୍ରରେ ରେଳବାଇର କାଳକ୍ଷେପଣ ନୀତି; ଜିଲ୍ଲାରେ ରେଳସେବାକୁ ସୀମିତ ରଖୁଛି। ପ୍ରକଳ୍ପଗୁଡ଼ିକ ବେଗ ନ ଧରିବା ପଛରେ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ମଧ୍ୟ ସ୍ପଷ୍ଟ ପରିଲକ୍ଷିତ। ସମସ୍ୟାର ସମାଧାନ ପାଇଁ ଆନୁସଙ୍ଗିକ ପଦକ୍ଷେପ ନେଉନାହାନ୍ତି ରାଜ୍ୟ ସରକାର। ଏ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ମଧ୍ୟ ଶୂନ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ଧମୁଣ୍ଡା ଅଞ୍ଚଳର ବିନା କ୍ଷତିପୂରଣ ଓ ଥଇଥାନରେ ଜମି ହାତେଇବା, ରେଳବାଇର ସର୍ବପୁରାତନ ଧୋକା କହିଲେ ଅତ୍ୟୁକ୍ତି ହେବ ନାହିଁ। ବନ୍ଧମୁଣ୍ଡାରେ ମାର୍ସାଲିଂ ୟାର୍ଡ୍ ସ୍ଥାପନ ପାଇଁ ୧୯୫୬-୧୯୬୪ ମସିହା ମଧ୍ୟରେ ଜମି ଅଧିଗ୍ରହଣ କରାଯାଇଥିଲା। ପାଖାପାଖି ୩ ହଜାର ଏକର ଜମି ଅଧିଗୃହୀତ ହୋଇଥିଲା। ଏହାଦ୍ବାରା ପ୍ରାୟ ୧୨ଟି ଗାଁ, ଯଥା- ବନ୍ଧମୁଣ୍ଡା, ହୁଡ଼ତୁଙ୍ଗ, ବରକାନି, ଡୁମେର୍ତ୍ତା, ଡୁମେରମୁଣ୍ଡା, କୁକୁଡ଼ା, ବାରହାବନ୍ଧ, କପାଟମୁଣ୍ଡା, ସନ୍ତୋଷପୁର, ଗୋଗରାବାହାଲ ଆଦି ଗାଁର ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ପରିବାର ବାସହୀନ ହୋଇଥିଲେ। ପରବର୍ତ୍ତୀ ସମୟରେ କେବଳ ବନ୍ଧମୁଣ୍ଡା ଆର୍.ଏସ୍. କଲୋନିରେ ପାଖାପାଖି ୪ ଶହ ପରିବାରଙ୍କ ପାଇଁ ଜମି ଚିହ୍ନଟ କରାଯାଇଥିବାବେଳେ ବାସଗୃହ ନିର୍ମାଣ, ଆର୍ଥିକ ସହାୟତା ଆଦି ଦିଆଯାଇନଥିଲା। ଅପରପକ୍ଷରେ ଉଚ୍ଛେଦ ହୋଇଥିବା ବାକି ପରିବାରକୁ ସାମାନ୍ୟତମ କ୍ଷତିପୂରଣ କିମ୍ବା ଥଇଥାନ କରାଯାଇନଥିଲା। କିନ୍ତୁ ୧୯୭୬ ମସିହାରେ ତତ୍କାଳୀନ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୈତିକଭାବେ ରେଳବାଇ କିଛି ଜମିକୁ ନିଁ ନାଁରେ ପଟ୍ଟା କରିଦେଇଥିଲା। ଗୋଟିଏ ବିଜ୍ଞପ୍ତିରେ ପ୍ରକାଶିତ ଜମି ଅଧିଗ୍ରହଣ ନିର୍ଦ୍ଦେଶାନାମା ଅନୁଯାୟୀ କିଛି ଜମିକୁ ରେଳବାଇ ନିଜ ନାଁରେ ପଟ୍ଟା କରିଥିବାବେଳେ ବାକିଗୁଡ଼ିକୁ ପଟ୍ଟା କରିପାରିନଥିଲା; ଏଭଳି ବିଡ଼ମ୍ବିତ କାର୍ଯ୍ୟକଳାପ ପଛରେ ଜିଲ୍ଲା ପ୍ରଶାସନର କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ୍।
ଅପରପକ୍ଷରେ, ରେଳବାଇ ନିଜ ନାଁରେ ପଟ୍ଟା କରିଥିଲେ ମଧ୍ୟ ଜମି କିନ୍ତୁ ସ୍ଥାନୀୟ ମୂଳବାସୀଙ୍କ ଦଖଲରେ ରହିଥିଲା। ସଂପ୍ରତି ସଂପ୍ରସାରଣ ପାଇଁ ଏହି ଜମିକୁ ରେଳବାଇ କର୍ତୃପକ୍ଷ ହାତେଇବା ପ୍ରକ୍ରିୟା ଆରମ୍ଭ କରିଦଇେଥିବାବେଳେ ପୁଣି ବିବାଦ ମୁଣ୍ଡ ଟେକିଲାଣି। ସେହିଭଳି ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା କାଣିଚାଏଁ ଆରମ୍ଭ ନ ହେବା, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ପ୍ରାୟ ୧୫୪ କିଲୋମିଟର ବିଶିଷ୍ଟ ଏହି ରେଳପଥ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୨୯ଟି ଗାଁରେ ଜମି ଅଧିଗ୍ରହଣ କରାଯିବ। ତେବେ କ୍ଷତିପୂରଣ ରାଶି ଅପେକ୍ଷାକୃତ କମ୍ ଥିବା ସହ ଥଇଥାନ ନୀତି ସୁନିଶ୍ଚିତ କରାଯାଉନଥିବାରୁ ଏବେ ପ୍ରକ୍ରିୟା ଆରମ୍ଭ ହୋଇପାରିନି। ଏହି ପ୍ରକଳ୍ପର ଦୁର୍ଭାଗ୍ୟ ପାଇଁ ରାଜ୍ୟ ସରକାରଙ୍କ ବିଫଳତା ଦାୟୀ। ଇତିମଧ୍ୟରେ ରେଳବାଇ କର୍ତୃପକ୍ଷ କ୍ଷତିପୂରଣ ଓ ଥଇଥାନ ବାବଦକୁ ପ୍ରାୟ ୪ ଶହ କୋଟି ରାଜ୍ୟ ସରକାରଙ୍କ ତହବିଲରେ ଜମା କରିସାରିଲେଣି। ତଥାପି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାରେ ଜିଲ୍ଲା ପ୍ରଶାସନ ଶତପ୍ରତିଶତ ବିଫଳ ହୋଇଛି।
ଏତଦ୍ବ୍ୟତୀତ ରାଉରକେଲା-ଝାରସୁଗୁଡ଼ା ତୃତୀୟ ରେଳପଥ ନିର୍ମାଣ ଏବେ ବି ଅନିଶ୍ଚିତତା ଭିତରେ। ଗତ ୨୦୧୬ ମାର୍ଚ୍ଚ ମାସରେ ତତ୍କାଳୀନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ରାଉରକେଲାରେ ପ୍ରକଳ୍ପର ଶୀଳାନ୍ୟାସ କରିଥିଲେ। ଏହି ରେଳପଥ ପାଇଁ ରାଉରକେଲା-ବୀରମିତ୍ରପୁର ଟ୍ରାକ୍ର ଉଭୟ ପାର୍ଶ୍ବକୁ ୮୨.୫ ଫୁଟ ଉଚ୍ଛେଦ କରିବାକୁ ରେଳବାଇ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ମାଲଗୋଦାମ-ପାନପୋଷ ମଝିରେ ପ୍ରାୟ ୯୧୭ ଟି ପରିବାରକୁ ଉଚ୍ଛେଦ ପାଇଁ ନୋଟିସ୍ ଦିଆଯାଇଥିଲା। ତେବେ ସମ୍ଭାବ୍ୟ ଉଚ୍ଛେଦକୁ ସ୍ଥାନୀୟ ବାସନ୍ତୀକଲୋନି କୁମ୍ଭାରପଡ଼ା, ମାଲଗୋଦାମ, ପାନପୋଷ, ହରିପୁର ବସ୍ତି, ଆଇଟିଆଇ କଲୋନି, ଗଙ୍ଗାଧରପଲ୍ଲୀ ଆଦି ବସ୍ତିର ଲୋକେ ବିରୋଧ କରିଥିଲେ। ତେବେ ଆଜି ଯାଏଁ ଏହି ପ୍ରକଳ୍ପ ଆlଗେଇ ପାରୁନି। ରେଳବାଇ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ, ଥଇଥାନ ପ୍ରତିଶ୍ରୁତି ମିଳିପାରୁନଥିବାବେଳେ ଜିଲ୍ଲା ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଉନି। ରେଲୱେ କଲୋନି ଆର୍ପିଏଫ୍ ଚେକ୍ପୋଷ୍ଟ୍ରୁ ମାଲଗୋଦାମ ଯାଏଁ ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ୧୨ କୋଟି ବ୍ୟୟଅଟକଳରେ ରାସ୍ତା ନିର୍ମାଣ ଯୋଜନା କରାଯାଇଥିଲା। ତେବେ ନିଜ ଜମିରେ ରାସ୍ତା ନିର୍ମାଣ ହେଉଥିବାରୁ କ୍ଷତିପୂରଣ ବାବଦକୁ ରେଳବାଇ କର୍ତୃପକ୍ଷ ୧୧୦ କୋଟି ଟଙ୍କା ଦାବି କରିଥିଲେ। ତେବେ ଶେଷରେ ରେଳମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରେଳବାଇ କର୍ତୃପକ୍ଷ ନିଜ ଜିଦ୍ରୁ ଓହରିଥିଲେ।
ଜିଲ୍ଲାରେ ଏଭଳି ଅନେକ ପ୍ରକଳ୍ପ, ଏବେ ଉଭୟ ରେଳବାଇ-ଜିଲ୍ଲା ପ୍ରଶାସନର ଅବହେଳା ଓ ଦୂରଦୃଷ୍ଟିର ଅଭାବଯୋଗୁଁ ଅସଂପୂର୍ଣ୍ଣ ହୋଇ ପଡ଼ିରହିଛି। ସବୁ ଦିଗକୁ ବିଚାରକୁ ନ ନେଇ ନିଜ ନିଜ ଜିଦ୍ରେ ଅଟଳ ରହିବା ହେଉ ଅବା କେବଳ ରାଜନୈତିକ ଫାଇଦା ଉଠାଇବାର ଚକ୍ରାନ୍ତ; ପ୍ରକଳ୍ପ ଆଗେଇପାରୁନଥିବାରୁ ଜିଲ୍ଲାବାସୀ ବହୁବିଧ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।