ନେ‌ବେ କୋଟିଏରେ, ଦେବେ ଲକ୍ଷରେ : ପ୍ରମୁଖ ଷ୍ଟେସନର ପ୍ଲାଟଫର୍ମ ସଂପ୍ରସାରଣ ନାହିଁ ଯୋଜନା, ମାଲ ପରିବହନକୁ ଗୁରୁତ୍ବ, ଯାତ୍ରୀଙ୍କ ସ୍ବାର୍ଥକୁ ଅଣଦେଖା

ରାୟଗଡା : ମାଲ ପରିବହନ ରାଜସ୍ବ ବାବଦକୁ ନେବେ ଶହ ଶହ କୋଟି। କିନ୍ତୁ ରେଳ ଭିତ୍ତିଭୂମିର ବିକାଶ ବେଳକୁ ବଜେଟରେ ଦେବେ ଲକ୍ଷେ ହିସାବରେ। ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରତି ରେଳ ବିଭାଗର ଏପରି ବୈମାତୃକ ମନୋଭାବ ଚଳିତ ରେଳ ବଜେଟରୁ ସ୍ପଷ୍ଟ ହୋଇଛି। ବଜେଟରେ ନୂଆ ରେଳପଥକୁ ଅଣଦେଖା ସହିତ ‌ପ୍ରମୁଖ ଷ୍ଟେସନର ସଂପ୍ରସାରଣ ନେଇ କୌଣସି ଘୋ‌ଷଣା ହୋଇନି। ସମୟକ୍ରମେ ଏହି ଲାଇନ୍ ଦେଇ ମାଲବାହୀ ରେଳ ସଂଖ୍ୟା ବିଭାଗ ବଢ଼ାଇ ଚାଲିଥିବାରୁ ଯାତ୍ରୀବାହୀ ରେଳ ଚଳାଚଳରେ ସୃଷ୍ଟି ହେଉଛି ବ୍ୟାଘାତ।

କୋରାପୁଟ-ରାୟଗଡା ରେଳପଥ। ପୂର୍ବତଟ ରେଳପଥର ବିଶାଖାପାଟଣା ଡିଭିଜନ୍ ଅଧୀନରେ ଥିବା ଏହି ରେଳପଥ ରାଜସ୍ବ ଆଦାୟ କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ରେଳପଥ ମଧ୍ୟରେ ଅନ୍ୟତମ। ବିଶାଖାପାଟଣା-କିରୁଣ୍ଡୋଲ୍, ସମ୍ବଲପୁର- କୋରାପୁଟ, ରାୟଗଡା- ଝାରସୁଗୁଡା ଏବଂ ଥେରୁବାଲିଠୁ ଆରମ୍ଭ କରି କେନ୍ଦୁଝର ଶିଳ୍ପ କରିଡର୍ ସହ ସଂଯୋଗ ହୋଇଛି ଏହି ରେଳପଥ। ଯେଉଁଥିପାଇଁ ନବରତ୍ନ କଂପାନି ନାଲକୋ, ଉତ୍କଳ ଆଲୁମିନା ଇଣ୍ଟର ନ୍ୟାସନାଲ୍, ଇମ୍ଫା ଫେରୋକ୍ରୋମ କାରଖାନା, ଜେକେ କାଗଜକଳ, ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟ୍, କିରୋଣ୍ଡୋଲରୁ ଲୁହାପଥର ଖଣି, ଝାରସୁଗୁଡା ବେଦାନ୍ତ କଂପାନିରୁ ବକ୍ସାଇଟ୍, ଆଲୁମିନୟମ୍, ସମ୍ବଲପୁର ମହାନଦୀ କୋଲଫିଲଡ୍ ସମେତ ବହୁ ଖଣି ଓ ଶିଳ୍ପ ସଂସ୍ଥାର ମାଲ ପରିବହନ ହୋଇ ପାରୁଛି। ବିନା ଦ୍ବିଧାରେ ଏହି ରେଳପଥ ଦେଇ ଦୈନିକ ୩୦ରୁ ଊର୍ଧ୍ବ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି। ଯାହାର ରାଜସ୍ବ ବାବଦକୁ କେନ୍ଦ୍ର ସରକାର ମାସିକ ଆଦାୟ କରୁଛନ୍ତି କୋଟି କୋଟି ଟଙ୍କା। ଏହି ଜିଲ୍ଲାର ଜଳ, ଜମି, ଜଙ୍ଗଲକୁ ବ୍ୟବହାର କରି ସରକାର ରେଳ ଲାଇନ୍ ସହିତ ଖଣି ଖାଦାନ ବାବଦରୁ ସରକାର ମୋଟା ଅଙ୍କର ରାଜସ୍ବ ଆଦାୟ କରୁଛନ୍ତି। କିନ୍ତୁ ଭିତ୍ତିଭୂମି ବିକାଶ ବେଳକୁ ହାତ ଟେକା ଅନୁଦାନ ଭଳି କିଞ୍ଚିତ ଅର୍ଥ ପ୍ରଦାନ କରୁଛନ୍ତି। ଯେଉଁଥିପାଇଁ ରେଳ ଭିତ୍ତିଭୂମିର ବିକାଶ ଆଖିଦୃଶିଆ ହୋଇପାରୁନି। ନୂଆ ରେଳପଥ ଲାଗି ବଜେଟରେ ମିଳୁଥିବା ଅର୍ଥ ସମୁଦ୍ରକୁ ଶଂଖେ ସଦୃଶ୍ୟ ହେଉଥିବା ବେଳେ ପ୍ଲାଟର୍ଫମ ଗୁଡ଼ିକର ବିକାଶ ପାଇଁ ସରକାର ଗୁରୁତ୍ବ ଦେଉ ନାହାନ୍ତି।

କେଆର୍ ଲାଇନର ପ୍ରମୁଖ ଷ୍ଟେସନ ମଧ୍ୟରେ ଥିବା କେଉଟଗୁଡା, ଭାଲୁମାସ୍କା, ଟିକିରି, ଲକ୍ଷ୍ମୀପୁର ଭଳି ଅନେକ ଷ୍ଟେସନରେ ଆବଶ୍ୟକ ପ୍ଲାଟର୍ଫମ ନଥିବାରୁ ଯାତ୍ରୀ ରେଳ ଧାରଣା ଦେଇ ଯାତାୟାତ କରୁ ନାହାନ୍ତି। ସେହିପରି ଫୁଟ୍ ଓଭର୍ ବ୍ରିଜ୍ ସମେତ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ମଧ୍ୟ ଷ୍ଟେସନ ଗୁଡ଼ିକରେ ନାହିଁ। ରାୟଗଡା ଷ୍ଟେସନକୁ ଛାଡିଲେ କୋରାପୁଟ ପର୍ଯ୍ୟନ୍ତ ଥିବା ଅନ୍ୟ ସମସ୍ତ ଷ୍ଟେସନ ଅବହେଳିତ ଅବସ୍ଥାରେ। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ବିକାଶ‌ରେ ରେଳପଥ ଗୁରୁତ୍ବପୂର୍ଣ ଭୂମିକା ନିଭାଉ ଥିବାରୁ କେନ୍ଦ୍ର ସରକାର ରେଳ ବଜେଟରେ ଏହି ଜିଲ୍ଲା ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର