ମନ୍ଥର ଗତି‌ରେ ରେଳ ପ୍ରକଳ୍ପ

ରେଳ ସଦନରେ ସମୀକ୍ଷା କଲେ ରେଳପଥ ମହାପ୍ରବନ୍ଧକ, ମାର୍ଚ୍ଚ ସୁଦ୍ଧା ଖୋର୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପର ୪୭ କିମି ସରିବ

ଭୁବନେଶ୍ବର : ପୂର୍ବତଟ ରେଳପଥରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି। ତାହାକୁ କିଭଳି ଅଧିକ କ୍ରିୟାଶୀଳ କରାଯାଇପାରିବ ସେନେଇ ସମୀକ୍ଷା କରାଯାଇଛି। ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ‘ରେଳସଦନ’ଠାରେ ରେଳପଥର ପରିସୀମା ମଧ୍ୟରେ ଚାଲୁରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ସମ୍ବନ୍ଧରେ ସମୀକ୍ଷା କରିବା ସହ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରମୁଖ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ ଉପରେ ଅଧିକ ବିଚାର ଆଲୋଚନା କରାଯାଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି ରେଳ ପ୍ରକଳ୍ପ ଅଧୀନରେ ଚାଲିଥିବା ୪୭ କିମି କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ୩୦୧ କିମିର ଖୋର୍ଧାରୋଡ-ବଲାଙ୍ଗୀର ରେଳପଥ ନୂଆ ଲାଇନ୍‌ର ୪ଟି ସ୍ଥାନରେ ଏବେ ନୂତନ ରେଳ ଲାଇନ୍‌ ବିଛା କାର୍ଯ୍ୟ ଚାଲିଛି। ସେଥିମଧ୍ୟରୁ ଚଳିତ ମାସରେ ବିଚ୍ଛୁପାଲ୍ଲୀ-ଝରତରଭା ପର୍ଯ୍ୟନ୍ତ ୧୦.୩୫ କିମି ରେଳ ଲାଇନ୍‌ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନୂଆଗାଁରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୫.୪୪୫ କିମି ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ୨୦୨୩ ଫେବ୍ରୁଆରିରେ ଶେଷ କରାଯିବ। ସେହିପରି ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସୋନପୁର-ଖମ୍ବେଶ୍ବରପାଲ୍ଲି ୧୦.୩୦ କିମି ରେଳ ଲାଇନ୍‌ ଏବଂ ଖମ୍ବେଶ୍ବରପାଲ୍ଲି-ଝରତରଭା ପର୍ଯ୍ୟନ୍ତ ୧୧.୪୦ କିମି ‌ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଛି। ୨୦୦୩-୦୪ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନ୍‌ କାର୍ଯ୍ୟର ମଧ୍ୟ ସମୀକ୍ଷା ହୋଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସୁନାକାହାନି-ସାମଲ-ପରବିଲ୍‌ ପର୍ଯ୍ୟନ୍ତ ୧୬.୩୧ କିମି ଏବଂ ୨୦୨୩ ଜାନୁଆରି ସୁଦ୍ଧା ପରବିଲ୍‌-ଖାମର ପର୍ଯ୍ୟନ୍ତ ୧୪.୨୦ କିମି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହାବ୍ୟତୀତ ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ ନୂତନ ରେଳ ଲାଇନ, ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ, କୋତ୍ତଭାଲାସା-କୋରାପୁଟ-କିରନ୍ଦୁଲ ଦୋହରୀକରଣ ଓ ଅନୁଗୁଳ-ସମ୍ବଲପୁର ମଧ୍ୟରେ ଦୋହରୀକରଣ କାର୍ଯ୍ୟର ସମୀକ୍ଷା ହୋଇଛି। ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟଗୁଡିକ ଦୋହରୀକରଣ, ତୃତୀୟ ଲାଇନ, ରାସ୍ତା ଉପର ପୋଲ, ଉପମାର୍ଗ ପ୍ରକଳ୍ପଗୁଡ଼ିକର ସଫଳତା ପାଇଁ ଆବଶ୍ୟକ ପଦକ୍ଷେପ ଭାବେ ବିସ୍ତୃତ ଓ ସଠିକ ଯୋଜନା, କୁଶଳ ଟେଣ୍ଡର ପ୍ରକ୍ରିୟା ଏବଂ ନିର୍ମାଣ କାର୍ଯ୍ୟର ତଦାରଖ ପ୍ରତି ବିଶେଷ ଧ୍ୟାନ ଦେବାକୁ ଶ୍ରୀ ଶ୍ରୀବାସ୍ତବ ଆଜି ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ତଳସ୍ତରରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ମଚାରୀଙ୍କ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି। ଏହି ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସହିତ ୱାଲଟିୟର, ସମ୍ବଲପୁର, ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ରେଳ ବିକାଶ ନିଗମ ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର